Home ଜିଲ୍ଲା ପରିକ୍ରମା ସାମ୍ବାଦିକ ସମ୍ମିଳନୀରେ ଥାଲସେମିଆ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥାର ଦାବି ରଖିଲା କଂଗ୍ରେସ, ବିଆଇଇଟିର...

ସାମ୍ବାଦିକ ସମ୍ମିଳନୀରେ ଥାଲସେମିଆ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥାର ଦାବି ରଖିଲା କଂଗ୍ରେସ, ବିଆଇଇଟିର ଆନ୍ଦୋଳନରତ କର୍ମଚାରୀଙ୍କୁ ଭଦ୍ରକ ଜିଲା କଂଗ୍ରେସ କମିଟି ସଭାପତିଙ୍କ ସମର୍ଥନ

7

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଥାଲସେମିଆ ରୋଗୀମାନଙ୍କର ଦୂରାବସ୍ଥା ଦିନକୁ ଦିନ ବଢିବାରେ ଲାଗିଛି । ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀମାନେ ବହୁ ଯନ୍ତ୍ରଣା ଭୋଗ କରୁଛନ୍ତି । ଥାଲସେମିଆ ରୋଗ ଜନିତ ସଂକ୍ରମିତ, ଗ୍ରୋଥ୍ ଶୀଘ୍ର ନଘଟିବା, ବୋନ୍ ଠିକ୍ ଭାବେ କାମ ନକରିବା ଭଳି ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରକ୍ତଦାନର ବ୍ୟବସ୍ଥା, ରକ୍ତଭଣ୍ଡାରର ସୁବ୍ୟବସ୍ଥା ନଥିବାରୁ ଥାଲସେମିଆ ୱାର୍ଡ ଓ ଅଭିଜ୍ଞ ଡାକ୍ତର ଅଭାବରୁ ରୋଗୀମାନେ ନାନାଦି ହଇରାଣ ମଧ୍ୟ ହେଉଛନ୍ତି । ରକ୍ତ ସଂଗ୍ରହ ଓ ରକ୍ତ ଜମା ରଖିବାରେ ବିଫଳ ହୋଇଛି ଜିଲା ମୁଖ୍ୟ ଡାକ୍ତରଖାନା । ସମଗ୍ର ଭଦ୍ରକ ଜିଲାରେ ପ୍ରାୟ ୫ ଶହରୁ ଅଧିକ ଥାଲସେମିଆ ରୋଗୀ ଥିବାବେଳେ ଏହା କ୍ରମବର୍ଦ୍ଧଷ୍ଣୁ ଗତିରେ ବଢିବାରେ ଲାଗିଛି । ଏବଂ ରକ୍ତଦାନ ଶିବିର କରାଯାଇ ସଂଗ୍ରହ ଅଧିକ କରାଯିବାର ଆବଶ୍ୟକତା ରହିଛି । ଗୋଟିଏ ରୋଗୀକୁ ମାସକୁ ୨ ଥର ରକ୍ତ ଦିଆଯାଉଛି । ଏ+, ଏବି- ଭଳି ବିରଳ ରକ୍ତ ଅଭାବରୁ ଏହି ବ୍ଲଡ୍ ଗ୍ରୁପ୍‌ର ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି । ଏବଂ ଡାକ୍ତରଖାନାରେ ମଧ୍ୟ ସହାୟକ ଓ କର୍ମଚାରୀଙ୍କର ଅଭାବ ରହିଛି । ନୂତନ ଭାବେ ନିର୍ମାଣ କରାଯାଇଥିବା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳରେ ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡା ଜିଲାରୁ ୩୦ ଭାଗ ରୋଗୀ ରହିଥିବାବେଳେ ଭଦ୍ରକ ଜିଲାର ରୋଗୀ ଆଡମିଶନ ପାଇପାରୁନାର୍ହାନ୍ତି । ଭଦ୍ରକ ଜିଲାପାଳ ଏହି ମର୍ମରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ ତୁରନ୍ତ ମେଡିକାଲ କଲେଜ ପାଇଁ ପ୍ରଶାସନିକ ଦାବି ପ୍ରେରଣ କରନ୍ତୁ ।

ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଶିଶୁ ରୋଗ ବିଭାଗ ଡାକ୍ତର, ଅଭିଜ୍ଞ ପାରା ମେଡିକାଲ ଷ୍ଟାଫ, ଉପକରଣ ଅଭାବ ଓ ଅତ୍ୟଧିକ ମେଡିସିନ୍ କୌଣସି କାମରେ ଆସୁନଥିବାର ଅଭିଯୋଗ ହୋଇଛି । ଭଦ୍ରକ ଜିଲା କଂଗ୍ରେସ କମିଟି ଥାଲସେମିଆ ରୋଗୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ଓ ସମସ୍ତ ବ୍ୟବସ୍ଥା, ଅଭିଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ମିଡିଆ ସେଲର ଆବାହକ ଶୁଭେନ୍ଦୁ ରାୟ ମହାପାତ୍ର, ଜିଲା ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ଜିଲା ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ ଅଲ୍ଲୀ ଖାଁ ଓ ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ଭଦ୍ରକ ଜିଲା କଂଗ୍ରେସ କମିଟିର ସଭାପତି ଅଶୋକ କୁମାର ଦାସ ଏକ ସମର୍ଥନ ପତ୍ର ମାଧ୍ୟମରେ ବରପଦା ଯାନ୍ତ୍ରିକ ବୈଷୟିକ ବିଦ୍ୟାଳୟର ଆନ୍ଦୋଳନରତ କର୍ମଚାରୀଙ୍କ ଦାବୀକୁ ସମର୍ଥନ ଜଣାଇଛନ୍ତି । ଏହି ସମର୍ଥନ ପତ୍ରରେ ଉଲ୍ଲେଖ ରହିଛି ଏମାନଙ୍କ ଦାବୀ ଯଥାର୍ଥ ଅଟେ । ସେମାନେ ଯେଉଁ ପରିଚାଳନା କମିଟି ଭଂଗ କରିବାକୁ ଦାବୀ କରୁଛନ୍ତି, ତାହା ଯଥାର୍ଥ । ଭାରତୀୟ ଜାତୀୟ କଂଗ୍ରେସ, ଭଦ୍ରକ ଜିଲା ଏହାର ସଂପୂର୍ଣ୍ଣ ସମର୍ଥନ କରୁଛି । ବର୍ତ୍ତମାନର ପରିଚାଳନା କମିଟି ସଂପୂର୍ଣ୍ଣ ଭାବେ ଏକ ପରିବାର ଦ୍ୱାରା ନିୟନ୍ତ୍ରିତ । ଯାହାକୁ ଭଂଗ କରି ଜିଲାପାଳ ସଭାପତି ହୋଇ ଏକ ନୂତନ ପରିଚାଳନା କମିଟି ଗଠନ କରି ଏହାର ଦାୟିତ୍ୱ ନେବାକୁ ଆନ୍ଦୋଳନରତ କର୍ମଚାରୀଙ୍କ ଦାବୀକୁ ଭାରତୀୟ ଜାତୀୟ କଂଗ୍ରେସ ଭଦ୍ରକ ଜିଲା ସମର୍ଥନ କରୁଛି । ଆନ୍ଦୋଳନରତ କର୍ମଚାରୀମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ଏହି ଆନ୍ଦୋଳନକୁ ଆଗେଇ ନେବା ପାଇଁ ଯାହା ନିଷ୍ପତ୍ତି ନେବେ, ତାହାକୁ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ ଜଣାଉଛି ବୋଲି ସଭାପତି ଶ୍ରୀ ଦାସ ସମର୍ଥନ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.