Home ଜିଲ୍ଲା ପରିକ୍ରମା ସାବରମତୀର ପବିତ୍ର ସ୍ମୃତିସ୍ଥଳକୁ ସୌଖୀନ ପର୍ଯ୍ୟଟନ ସ୍ଥଳୀ କରା ନଯାଉ

ସାବରମତୀର ପବିତ୍ର ସ୍ମୃତିସ୍ଥଳକୁ ସୌଖୀନ ପର୍ଯ୍ୟଟନ ସ୍ଥଳୀ କରା ନଯାଉ

40

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସ୍ମାରକୀ ସାବରମତୀ ଆଶ୍ରମ । ସତ୍ୟ, ସାଧନା, ସଂକଳ୍ପ, ସତ୍ୟାଗ୍ରହ, ଶୃଙ୍ଖଳା ଆଧାରରେ ଗଢା ସତ୍ୟାଗ୍ରହ ଅସ୍ତ୍ରର ସଫଳ ପ୍ରୟୋଗଶାଳା ସାବରମତୀ ଆଶ୍ରମ କେବଳ ଆମ ଦେଶକୁ ନୁହେଁ, ବିଶ୍ୱକୁ ନୂତନ ସୂର୍ଯ୍ୟୋଦୟର ସୂଚନା ଦିଏ । ଗାନ୍ଧିଜୀ ଉକ୍ତ ଆଶ୍ରମ ପାଇଁ ୩୬ ଏକର ଜାଗା କ୍ରୟ କରି ଉକ୍ତ ଆଶ୍ରମ ନିର୍ମାଣ କରିଥିଲେ । ଆଶ୍ରମରେ ଥିବା କେଇ ବଖରା ଖପରଲି ମଧ୍ୟରେ ଗାନ୍ଧିଜୀଙ୍କ ସରଳ ଜୀବନ ଓ ଉଚ୍ଚ ଚିନ୍ତନ ମଧ୍ୟରେ ଚାଲିଥିଲା ସତ୍ୟର ପରଖ । ୟଙ୍ଗ ଇଣ୍ଡିଆ ଭଳି ସ୍ୱାଧୀନତା ସଂଗ୍ରାମ ଓ ସାଧାରଣ ଜନତାଙ୍କ ମୁଖପତ୍ର ପ୍ରକାଶିତ ହୋଇଥିଲା । ଦେଶ ବିଦେଶର ସତ୍ୟ ସନ୍ଧାନୀମାନେ ମାଟି କାଦୁଅ ଭରା ସାବରମତୀ ଆଶ୍ରମକୁ ସ୍ୱର୍ଗ ସମ ମଣୁଥିଲେ । ଏଇ ଆଶ୍ରମର ସ୍ପର୍ଶରେ ମିସ୍ ମେଡ଼ଲିନ୍ ସ୍ଲେଡ ସ୍ୱାଧୀନତା ସଂଗ୍ରାମୀ ମୀରା ବେନ୍‌ରେ ପରିଣତ ହୋଇଥିଲେ । ଏ ଆଶ୍ରମ ଦେଶକୁ ସର୍ଦ୍ଦାର ପଟେଲ, କୁମାରାପ୍ପା, ବିନୋବା ଭାବେ ଆଦି ବହୁ ମହାପୁରୁଷଙ୍କୁ ସୃଷ୍ଟି କରିଛି । ଏଇ ଆଶ୍ରମ ମାର୍ଟିନ ଲୁଥର କିଙ୍ଗ୍‌, ନେଲସନ୍ ମାଣ୍ଡେଲା, ବାରାକ ଓବାମା, ଡୋନାଲ୍‌ଡ଼ ଟ୍ରମ୍ପଙ୍କ ପରି ବହୁ ରାଷ୍ଟ୍ର ମୁଖ୍ୟ ଓ ରବିନ୍ଦ୍ର ନାଥ ଟାଗୋର, ମଦର ଟେରେସାଙ୍କ ଭଳି ଲକ୍ଷ ଲକ୍ଷ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଜ ପାଖକୁ ଟାଣି ଆଣିଛି । ଆଜି ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୭ ଲକ୍ଷ ପରିଦର୍ଶକ ଆସନ୍ତି ।

ଏଠିକାର ସଂଗ୍ରହାଳୟରେ ରହିଛି ୩୪,୧୧୭ ପୃଷ୍ଠାର ଗାନ୍ଧିଜୀଙ୍କ ମୂଳ ଚିଠି, ୮୭୮୧ ପୃଷ୍ଠାର ଗାନ୍ଧିଜୀଙ୍କ ହାତଲେଖା ପାଣ୍ଡୁଲିପି, ୬୦୦୦ରୁ ଅଧିକ ଫଟୋ ସମେତ ଅନେକ ତୈଳଚିତ୍ର, ଏକ ବଡ ପାଠାଗାର, ଗାନ୍ଧିଜୀଙ୍କ ବ୍ୟବହୃତ ବହୁ ସାମଗ୍ରୀ, ଓଡ଼ିଆ ସମେତ ୧୧ଟି ଭାଷାରେ ଗାନ୍ଧିଜୀଙ୍କ ଦସ୍ତଖତର ବିରଳ ପ୍ରଦର୍ଶନୀ । ଏହା ଗାନ୍ଧୀ ସାହିତ୍ୟ ଓ ବିଚାରର ପ୍ରଚାର ଓ ପ୍ରସାରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହା ଏକ ସୌଖୀନ ପର୍ଯ୍ୟଟନସ୍ଥଳୀ ନୁହେଁ, ବିଶ୍ୱବାସୀଙ୍କ ପାଇଁ ଏକ ଜୀବନ୍ତ କିମ୍ବଦନ୍ତୀ । ଏଠାରେ ଥିବା ଐତିହ୍ୟକୁ ଧ୍ୱଂସ କରି ତାହା ଉପରେ ୧୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଯେଉଁ ମେମୋରିଆଲ ପ୍ରୋଜେକ୍ଟ ନିର୍ମାଣ କରିବାକୁ ଚାହାନ୍ତି ତାହା ସାବରମତୀ ସନ୍ଥଙ୍କ ଦର୍ଶନ ବିରୋଧୀ ବୋଲି ଆଜି ଭଦ୍ରକ ଗାନ୍ଧୀ ପଡ଼ିଆ ଠାେରେ ଅନୁଷ୍ଠିତ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ସରକାରଙ୍କ ହସ୍ତକ୍ଷେପ ବିରୋଧୀ ସଭାରେ ମତ ପ୍ରକାଶ ପାଇଛି । ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ପ୍ରତିବାଦ ସଭାରେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମହମ୍ମଦ ଫାରୁକ୍‌, ବୈଲୋଚନ ବେରିଆ, ସେକ୍ ଜୁଲଫୁକାର, ଲଲାଟେନ୍ଦୁ ମହାନ୍ତି, ଶାନ୍ତି ପ୍ରତିଷ୍ଠାନର ସଭାପତି ଅଖିଳ କୁମାର ପାଢୀ, ପ୍ରକାଶଜ୍ୟୋତି ମହାକୁଡ଼, ନାସିରୁଦ୍ଦିନ ଖାଁ, ପବନ ଶର୍ମା, ସୀତାକାନ୍ତ ଦାସ, କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ତୁଷାରକାନ୍ତ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ହରିପ୍ରସାଦ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଧର ବାରିକ, ବିଶାଲ ଲାଖାନୀ, ଜୀତେନ୍ଦ୍ର କୁମାର ଦାସ, ଜାହିର ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.