Home ଜିଲ୍ଲା ପରିକ୍ରମା ସାପ୍ତାହିକ ସମ୍ବାଦପତ୍ର ଅଭିନନ୍ଦନର ଦ୍ୱାଦଶ ସ୍ୱନକ୍ଷତ୍ର

ସାପ୍ତାହିକ ସମ୍ବାଦପତ୍ର ଅଭିନନ୍ଦନର ଦ୍ୱାଦଶ ସ୍ୱନକ୍ଷତ୍ର

11

ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ଅଭିନନ୍ଦନର ଦ୍ୱାଦଶତମ ସ୍ୱନକ୍ଷତ୍ର ଓ ବାର୍ଷିକ ଉତ୍ସବ ସ୍ଥାନୀୟ ଶିଳ୍ପାଂଚଳସ୍ଥିତ ଉଦ୍ୟୋଗ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସଦାନନ୍ଦ ଦୀକ୍ଷିତଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ସମ୍ବାଦପତ୍ରର ସ୍ୱନକ୍ଷତ୍ର ଦିବସ ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ। ଏଥିରେ ପୂର୍ବତନ ବିଧାୟକ ଅରୁଣ ଦେ, ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ର ସମ୍ପାଦକ ତଥା ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ, ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ରତିକାନ୍ତ ପରୀକ୍ଷା, ବରିଷ୍ଠ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି, ରଞ୍ଜନ ବାଗ, ବଂଶୀଧର ଜେନା ପ୍ରମୁଖ ଯୋଗଦେଇଥିଲେ। ବିଜ୍ଞାନର ଅଗ୍ରଗତି ସହିତ ସାମ୍ପ୍ରତିକ ସମୟରେ ବୈଦ୍ୟୁତିକ ଗଣମାଧ୍ୟମ ଲୋକଙ୍କ ମଧ୍ୟରେ ବେଶ ପ୍ରଭାବ ପକାଇଥିବା ସତ୍ୱେ ମୁଦ୍ରିତ ଗଣମାଧ୍ୟମ ତାର ପୂର୍ବସ୍ଥିତିକୁ ବଂଚାଇରଖିବାରେ ସକ୍ଷମ ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ମୁଦ୍ରିତ ଗଣମାଧ୍ୟମ ବା ସମ୍ବାଦପତ୍ରଗୁଡିକ ପ୍ରତି ପାଠକଙ୍କ ରୁଚି କମିନଥିବା ବେଳେ ସରକାରୀ ପ୍ରୋତ୍ସାହନ ଅଭାବରୁ ଅନେକ ସମ୍ବାଦପତ୍ର ସାମୟିକ ପ୍ରକାଶନ ବନ୍ଦ ରଖିବାକୁ ବାଧ୍ୟ ହେଉଛନ୍ତି ବୋଲି ସେମାନେ କହିଥିଲେ। ଏଭଳି ସ୍ଥିତିରେ ଅଭିନନ୍ଦନ ସମ୍ବାଦପତ୍ର ନିରବିଚ୍ଛିନ୍ନ ଭାବେ ଦୀର୍ଘ ୧୧ ବର୍ଷ ଧରି ପ୍ରକାଶିତ ହୋଇଆସୁଥିବା ନିଶ୍ଚିତଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ଆଦର୍ଶ ଶିକ୍ଷକ ପଂଚାନନ ନାୟକ, ଯୁବ ସାମ୍ବାଦିକ ମହେଶ ମିଶ୍ର, ଯାତ୍ରା ଅଭିନେତା ଗୌର ଦାସ, ସଫଳ ଚାଷୀ ନିରଞ୍ଜନ ପାଲ, ସମାଜସେବୀ ନନ୍ଦିନୀ ପାଲ, ପ୍ରାବନ୍ଧିକ ନଳିନୀ କୁମାର ପଣ୍ଡା, ଗାଳ୍ପିକା ଶ୍ରଦ୍ଧାଞ୍ଜଳି ପଣ୍ଡା, କବୟତ୍ରୀ ନମିତା ପାତ୍ର, କଳା ନିର୍ଦ୍ଦେଶକ କେଶବ ମଲ୍ଲିକ ପ୍ରମୁଖଙ୍କୁ ଅଭିନନ୍ଦନ ସମ୍ବାଦପତ୍ର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବାଦପତ୍ରର ସମ୍ପାଦକ ଜଗଦିଶ ମିଶ୍ର ପ୍ରାକ ସୂଚନା ପ୍ରଦାନ କରିଥିବା ବେଳେ କାର୍ତିକ ଚନ୍ଦ୍ର ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ଅମରେଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.