Home ଜିଲ୍ଲା ପରିକ୍ରମା ସହରୀ ଇଲାକାର ‘ବିଲ ହିଡ’ରାସ୍ତା

ସହରୀ ଇଲାକାର ‘ବିଲ ହିଡ’ରାସ୍ତା

64

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ସହରୀ ଇଲାକାର ଲୋକେ ‘ବିଲ ହିଡ’ ରାସ୍ତାରେ ଆତଯାତ କରୁଛନ୍ତି ।ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସହରର ୧ନଂ ୱାର୍ଡରେ ଏମିତିକା ଅବସ୍ଥା । ଯଦିଓ ୱାର୍ଡବାସୀଙ୍କ ଲାଗି ମୂଳ ରାସ୍ତା ଆତଯାତ ପାଇଁ ରହିଛି ତଥାପି ଏକ ଅଳ୍ପ ଦୂରତାର ରାସ୍ତା ନିର୍ମାଣକୁ ଆଡନଜର କରିଚାଲିଛି ପ୍ରଶାସନ । ବର୍ଷବର୍ଷ ଧରି ଲୋକେ ଦାବି କରୁଛନ୍ତି, ପ୍ରଶାସନ ଶୁଣୁନାହିଁ, ଏଣୁ ବିଲହିଡରେ ଭାଗ୍ୟକୁ ଆଦରି ଆତଯାତ ହେଉଛନ୍ତି ୱାର୍ଡବାସୀ, ସ୍କୁଲ,କଲେଜ ଛାତ୍ରଛାତ୍ରୀ… । ୧ନଂ ୱାର୍ଡର ଲୋକସଂଖ୍ୟା ୬ ହଜାରରୁ ଅଧିକ ହେବ । ଭଦ୍ରକ ରେଳ ଷ୍ଟେସନର ୧୯ନଂ ଲେବଲ କ୍ରସିଂରୁ ଗୁଣ୍ଠୁଣିଆ ବଜାର, ବିଦାଙ୍ଗ ଦେଇ ଓକାଳଭାଟିଆ ଯାଏ ଲମ୍ବିଛି ଏହି ୱାର୍ଡର ମୁଖ୍ୟରାସ୍ତା । ଲମ୍ବ ୨କିଲୋମିଟରରୁ ଅଧିକ ହେବ । ହେଲେ ସେହି ଲେବଲ କ୍ରସିଂ ନିକଟରୁ ଓକାଳ ଭାଟିଆ ଯାଏ ଭିନ୍ନ ଏକ ରାସ୍ତା ରହିଛି ଯାହାର ଲମ୍ବ ମାତ୍ର ୫୦୦ ମିଟର ହେବ । ଲେବଲ କ୍ରସିଂରୁ ବାମପଟେ ବିଲ ମଝିରେ ଏହି ରାସ୍ତାରେ କିନ୍ତୁ ଶହଶହ ଲୋକ ଦୈନିକ ଆତଯାତ ହେଉଛନ୍ତି । କିନ୍ତୁ ପ୍ରଶାସନ ଏଯାଏ ଏହି ରାସ୍ତାକୁ ସରକାରୀ ରେକର୍ଡରେ ସ୍ୱୀକୃତି ଦେଉନାହିଁ କି ଉଆର ନିର୍ମାଣ ଦିଗରେ ତତ୍ପରତା ଦେଖାଉନାହିଁ । ଏହି ରାସ୍ତାର କିଛି ଅଂଶ ଘରୋଇ ଜମି ରହିଥିବାରୁ ଏଥିନେଇ ସମସ୍ୟା ଥିବା କଥା ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ବି ଇତିମଧ୍ୟରେ ଉକ୍ତ ସମସ୍ୟା ବି ଦୂର ହୋଇଯାଇଥିବା କହିଛନ୍ତି ୱାର୍ଡବାସୀ । ତେବେ ଏହି ରାସ୍ତା ନିର୍ମାଣ ହେଲେ କେବଳ ୧ନଂ ୱାର୍ଡ ନୁହେଁ ପଂଚାୟତ ସମିତି ଅଧନସ୍ଥ ଗେଲଟୁଆ ପଂଚାୟତର ଲୋକେ ବି ଉପକୃତ ହେବେ । ଏହି ରାସ୍ତା ସମ୍ଭବ ହେଲେ ତାହା ଓକାଳଭାଟିଆରୁ ରେଳଷ୍ଟେସନ ଯାଏ ଛୁଇଁବ । କେବଳ ସେତିକି ନୁହେଁ ଲେବଲ କ୍ରସିଂ ପାଇଁ ରାସ୍ତା ପାରିହେବାକୁ ଆଉ ଯନ୍ତ୍ରଣା ଭୋଗିବାକୁ ପଡିବ ନାହିଁ । ସରକାର ଏବେ ବହୁବିଧ ଯୋଜନାରେ ନୂତନ ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଏଥିପ୍ରତି ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.