Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ଧାନ ସଂଗ୍ରହ ଟାର୍ଗେଟ ଶେଷ, ମଣ୍ଡିରେ ଧାନ ଜଗିଛନ୍ତି ଚାଷୀ , ମାଗିଥିଲେ...

ଭଦ୍ରକ ଜିଲ୍ଲାରେ ଧାନ ସଂଗ୍ରହ ଟାର୍ଗେଟ ଶେଷ, ମଣ୍ଡିରେ ଧାନ ଜଗିଛନ୍ତି ଚାଷୀ , ମାଗିଥିଲେ ୧୫ ଲକ୍ଷ ମିଳିଲା ୩.୫ ଲକ୍ଷ କ୍ୱିଂଟାଲ

36

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ମାତ୍ର ୨୫ ହଜାର ଚାଷୀଙ୍କ ଧାନ କିଣାରେ ଶେଷ ହୋଇ ଯାଇଛି ଧାନ ସଂଗ୍ରହ କୋଟା । ଯାହାକୁ ନେଇ ଅପେକ୍ଷାରତ ଚାଷୀଙ୍କ ମଧ୍ୟରେ ଭାଳେଣି ପସିଛି । ଫଳରେ ଗତ ପ୍ରାୟ ଏକ ସପ୍ତାହ ହେବ ଜିଲ୍ଲାରେ ବାଧାପ୍ରାପ୍ତ ହୋଇଛି ସରକାରୀ ଧାନ ସଂଗ୍ରହ । କୋଟା ସରି ଯାଇଥିବା ଅଥବା ସରିଆସୁଥିବା ଜାଣି ଅଧିକାଂଶ ସରକାରୀ ଧାନ ସଂଗ୍ରହ ଏଜେନ୍ସି ଆଗୁଆ ଧାନ ସଂଗ୍ରହ ବନ୍ଦ କରିଦେବା ଯୋଗୁ ଟୋକନ ଧରି ହିନନ୍ତା ହେଉଛନ୍ତି ଚାଷୀ । ଟୋକନ ପାଇଥିବା ଚାଷୀ ସେମାନଙ୍କ ଧାନ ବିକ୍ରି ନିଶ୍ଚିତ ମନେ କରି ଆଗୁଆ ସେମାନଙ୍କ ଧାନକୁ ମଣ୍ଡିରେ ମହଜୁଦ କରି ରଖିଥିବା ବେଳେ ତେଣେ ଧାନ କିଣିବାକୁ କୋଟା ନଥିବାରୁ ସରକାରୀ ଧାନ ସଂଗ୍ରହ ଏଜେନ୍ସି ଗୁଡିକ ଚାଷୀଙ୍କୁ ଧରାଛୁଆଁ ଦେଉନାହାନ୍ତି । ଫଳରେ ମୁଣ୍ଡରେ ଠେକାବାନ୍ଧି ରାତି ଅନିଦ୍ରା ହୋଇ ମଣ୍ଡିରେ ଧାନ ଜଗିଛନ୍ତି ଚାଷୀ । ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ସରକାରଙ୍କୁ ଧାନ ବିକିବାକୁ ରେକର୍ଡ ପରିମିତ ୬୯ ହଜାର ୬୫୨ ଜଣ ଚାଷୀ ଅନଲାଇନ ପଞ୍ଜିକରଣ କରିଥିଲେ । ଜାନୁଆରୀ ୩୧ ତାରିଖ ସୁଦ୍ଧା ସେମାନଙ୍କ ମଧ୍ୟରୁ ମାତ୍ର ୨୫ ହଜାର ଚାଷୀ ସରକାରଙ୍କୁ ସେମାନଙ୍କ ଧାନ ବିକ୍ରି କରିବାକୁ ସମର୍ଥ ହୋଇଥିବା ବେଳେ ଆହୁରୀ ପ୍ରାୟ ୪୪ ପଞ୍ଜିକୃତ ଚାଷୀ ସରକାରଙ୍କୁ ସେମାନଙ୍କ ଧାନ ବିକ୍ରି କରିବାକୁ ବିଭିନ୍ନ ଭାବେ ଅଟକି ରହିଛନ୍ତି । ଜିଲ୍ଲାପାଇଁ ଧାନ ସଂଗ୍ରହ କୋଟା ସରି ଯାଇଥିବା ଯୋଗୁ ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ପ୍ରତିଶତ ଚାଷୀ ଟୋକନ ପାଇ ମଧ୍ୟ ସେମାନଙ୍କ ଧାନ ବିକ୍ରି କରିପାରୁ ନଥିବା ବେଳେ ଅବଶିଷ୍ଟ ଚାଷୀ ସରକାରଙ୍କ ପରବର୍ତି ଧାନ ସଂଗ୍ରହ କୋଟାକୁ ଅପେକ୍ଷା କରି ବସିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଦଫାରେ ଜିଲ୍ଲାରୁ ମାତ୍ର ୧୩ ଲକ୍ଷ ୮୦ ହଜାର କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ଘୋଷଣା କରିଥିବା ବେଳେ ଧାନ ସଂଗ୍ରହ ଆରମ୍ଭ ହେବାର ମାତ୍ର ୪୦ ଦିନ ମଧ୍ୟରେ ଜିଲ୍ଲାରେ ଧାନ ସଂଗ୍ରହ କୋଟା ଶେଷ ହୋଇ ଯାଇଥିବା ଦର୍ଶାଇ ଅଧିକାଂଶ ପାକ୍ସ ଏବଂ ମହିଳା ସ୍ୱୟଂସହାୟିକା ଗୋଷ୍ଟି ଗତ ଜାନୁଆରୀ ମାସ ଶେଷ ସପ୍ତାହ ବେଳକୁ ଧାନକିଣା ବନ୍ଦ କରି ଦେଇଛନ୍ତି ।

ସରକାରୀ ସୁଚନା ମୁତାବକ ଜାନୁଆରୀ ୩୧ ତାରିଖ ସୁଦ୍ଧା ଜିଲ୍ଲାରୁ ପ୍ରାୟ ୧୨ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ର୍ରହ କରିନେଇଛନ୍ତି । ଏହି ସୁଚନା ଅନୁଯାଇ ସରକାରୀ ଧାନ ସଂଗ୍ରହ ଏଜେନ୍ସିଙ୍କ ହାତରେ ଆହୁରୀ ପ୍ରାୟ ୨ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ ବାକି ରହିଥିଲେ ମଧ୍ୟ କୋଟା ସରିଯାଇଥିବା ଦର୍ଶାଇ ଅଧିକାଂଶ ସୋସାଇଟି ଏବଂ ମହିଳା ଗୋଷ୍ଟି ସେମାନଙ୍କ ଧାନ କିଣା ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଧାନ ସଂଗହରେ ଏହି ଚଳାବସ୍ଥା ଦୁର କରିବା ସକାସେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ଜିଲ୍ଲାକୁ ଅଧିକ ୧୫ ଲକ୍ଷ କ୍ୱିଂଟାଲ ଅତିରିକ୍ତ କୋଟା ମଂଜୁର କରିବାକୁ ସରକାରଙ୍କୁ ଚିଠି ଲେଖାଯାଇଥିବା ବେଳେ ସୋମବାରଦିନ ସରକାରଙ୍କ ପକ୍ଷରୁ ଜିଲ୍ଲାପାଇଁ ମାତ୍ର ୩ ଲକ୍ଷ ୫୦ ହଜାର କ୍ୱିଂଟାଲ ଧାନ ସଂଗ୍ରହ ସକାସେ ଅତିରିକ୍ତ କୋଟା ମଞ୍ଜୁର କରାଯାଇଛି । ଯାହାକି ଅପେକ୍ଷାରତ ୪୪ ହଜାର ଚାଷୀଙ୍କ ସକାସେ ହାସ୍ୟାସ୍ପଦ ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ସରକାର ପରବର୍ତି ପର୍ଯ୍ୟାୟରେ ଜିଲ୍ଲାପାଇଁ ଆବଶ୍ୟକ ପଡୁଥିବା କୋଟା ଯୋଗାଇ ଦେବେ ବୋଲି ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ କେଦାରନାଥ ନାୟକ କହିଛନ୍ତି । ତେବେ ଭଦ୍ରକ ଜିଲ୍ଲାରେ ଚାଷୀ ପଞ୍ଜିକରଣ ଅନୁଯାଇ ଅତିକମ୍ ରେ ୨୫ ରୁ ୩୦ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ କରାଯିବାର ଆବଶ୍ୟକତା ରହିଥିବା ବେଳେ ସରକାର ଏହି କୋଟା ପୁରଣ କରିବାରେ ବିଫଳ ହେବା ଘଟଣା ଅପେକ୍ଷାରତ ହଜାର ହଜାର ଚାଷୀଙ୍କ ଆଖିରୁ ନିଦ ହଜେଇ ଦେଇଛି । ସୁଚନା ଯୋଗ୍ୟ ଯେ ଚଳିତବର୍ଷ ଭଦ୍ରକ ଜିଲ୍ଲରେ ସରକାରୀ ଧାନ ସଂଗ୍ରହ କରିବା ସକାସେ ୯୮ ଗୋଟି ସେବା ସମବାୟ ସମିତି,୫୪ ଗୋଟି ମହିଳା ସ୍ୱୟଂସହାୟିକା ଗୋଷ୍ଟି ଏବଂ ୩୧ ଗୋଟି ମିଲର ନିୟୋଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.