Home ଜିଲ୍ଲା ପରିକ୍ରମା ଅଭିନବ ଢଙ୍ଗରେ ଚାଲିଛି ଜିଏସ୍‌ଟି ଠକେଇ , ବାଂଲାଦେଶ ଯାଉଛି ଖୁଚୁରା ଟଙ୍କା ବସ୍ତା

ଅଭିନବ ଢଙ୍ଗରେ ଚାଲିଛି ଜିଏସ୍‌ଟି ଠକେଇ , ବାଂଲାଦେଶ ଯାଉଛି ଖୁଚୁରା ଟଙ୍କା ବସ୍ତା

89

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବସ୍ କଣ୍ଟକ୍ଟର ହାତରେ କୋଲକାତାରୁ ନକଲି ଜିଏସ୍‌ଟି କାଗଜ ଧରାଇ ଦେଇ ଲକ୍ଷ ଲକ୍ଷ ଟଙ୍କାର ଟିକସ ଫାଙ୍କୁଛନ୍ତି ବେପାରୀ । ନିୟମ ଅନୁସାରେ, କଲିକତାର ଗୋଦାମ ମାଲିକମାନେ ଜିନିଷ ବିକ୍ରି କଲା ବେଳେ ଷ୍ଟେଟ୍ ଜିଏସ୍‌ଟି ଏବଂ କେନ୍ଦ୍ର ଜିଏସ୍‌ଟି ୧୮% ପ୍ରତିଶତ ଲଗାଇ ବିଲ୍ କରିବା କଥା । କିନ୍ତୁ ଓଡ଼ିଶାଗାମୀ ଯାତ୍ରୀବାସୀ ବସ୍‌ରେ ଲକ୍ଷ ଲକ୍ଷ ଟଙ୍କାର ମାଲ୍ ବୋଝେଇ କରି ନକଲି ଜିଏସ୍‌ଟି ନମ୍ବରରେ ଚାଲାଣ କରୁଛନ୍ତି । ଏ କଥାକୁ ଓଡ଼ିଶା ଜିଏସ୍‌ଟି କର୍ମଚାରୀ ଜାଣି ମଧ୍ୟ ଅଜଣା ରହୁଛନ୍ତି । ଏପରିକି ଜିଏସ୍‌ଟି କମିଶନର ଅଧିକାରୀମାନେ ମଧ୍ୟ ନିଦାବିଷ୍ଣୁ ପାଲଟି ଯାଇଛନ୍ତି । ଯେଉଁଥିପାଇଁ ଚୋରା କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ଆରଡି, ରାଜକନିକା, ତିହିଡି, ଚାନ୍ଦବାଲି ଓ ଧାମରା ଅଂଚଳରୁ ବସ୍ତା ବସ୍ତା କଏନ ଟଙ୍କା ଏହି କୋଲକାତା ଗାମୀ ଯାତ୍ରୀବାହୀ ବସ୍‌ରେ ମାଲ ଆକାରରେ ଚାଲାଣ ହେଉଛି । କୋଲକାତା ବାବୁଘାଟରେ ଏହି ବସ୍ତା ବସ୍ତା କଏନ ଏଜେଣ୍ଟଙ୍କ ମାଧ୍ୟମରେ ଓହ୍ଲାଯିବା ପରେ ଏଗୁଡିକ ବାଂଲାଦେଶ ପଠାଯାଉଛି ବ୍ଲେଡ୍ ତିଆରି ପାଇଁ । ଭଦ୍ରକ ଜିଲାର ମାଲ ପରିବହନର ଦାୟିତ୍ୱ ନେଇଥିବା ଦୁଇରୁ ତିନି ଜଣ ଏଜେଣ୍ଟ ଏହି କାର୍ଯ୍ୟର ସୂତ୍ରଧର ସାଜିଛନ୍ତି । ଖରନାସି, ରାଜକନିକା, ଆରଡି, ଚାନ୍ଦବାଲିରୁ ସନ୍ଧ୍ୟାରେ ଯାତ୍ରୀବାହୀ ବସ୍ ଗଲାବେଳେ ଯାଉଛି କଏନ୍ ଏବଂ କଲିକତା ବାବୁଘାଟରୁ ପୁଣି ସନ୍ଧ୍ୟାରେ ଛାଡୁଥିବା ବସ୍‌ରେ ଆସୁଛି ଟିକସ ଫାଙ୍କି ମାଲ । ଶାଳ, ଶାଗୁଆନ କାଠର ପଲଙ୍କ, ଖଟ, କୁଟିକମ୍ କରା କବାଟ ଓ ବନ୍ଧ ସହ ଛତା ଠାରୁ ଆରମ୍ଭ କରି ଲୁହା ଲକଡ, କପଡା, ଲୁଗା, ପାଣିପମ୍ପ, ପାୱାର ଟିଲର, ଇଲେକ୍ଟ୍ରୋନିକ୍ସ ଜିନିଷ ଆଦି ବିନା ବିଲରେ ଏହି ବସ୍ ମାନଙ୍କରେ ଲଦା ଯାଇ ଭଦ୍ରକ ଆସୁଛି ।

ରାତି ୧ଟାରୁ ୩ଟା ମଧ୍ୟରେ ଚରମ୍ପା, ତିହିଡି, ପୀରହାଟ, ମତୋ, ଚାନ୍ଦବାଲି, ରାଜକନିକା ଆଦି ସ୍ଥାନରେ ଏହି ବସ୍ ଗୁଡିକ ପହଞ୍ôଚବା ସହ ଟିକସ ଫାଙ୍କିବା ମାଲ୍ ଅନ୍‌ଲୋ୍ କରୁଛି । ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ, ବସ୍‌ରେ ଯାତ୍ରୀବାହୀ ସିଟ୍ କମ୍ କିନ୍ତୁ ପଡିଆ ଦାଣ୍ଡ ଭଳି ଜାଗା ରଖାଯାଇଛି ବସ୍ତା ବସ୍ତା ମାଲ ରଖିବାକୁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୮ ଅକ୍ଟୋବର ୨ ରୁ ପ୍ଲାଷ୍ଟିକ୍ ଜିନିଷକୁ ବେଆଇନ୍ କରାଯାଇଥିଲାବେଳେ ଏହି ଏଜେଣ୍ଟମାନେ ପ୍ଳାଷ୍ଟିକ୍ ପଲିଥିନ୍ ବସ୍ତା ବସ୍ତା କୋଲକାତାରୁ ତିହିଡି ଓ ଚାନ୍ଦବାଲିକୁ ବିନା ଟିକସରେ ବୋହି ଆଣୁଛନ୍ତି । ବାଲେଶ୍ୱର, ସେରଗଡ ଚେକ୍‌ଗେଟ ନିକଟରେ ଆଗରୁ ଚେକିଂ ହେଉଥିଲା । କିନ୍ତୁ କିଛି ମୁନାଫାଖୋର ପରିବହନ କର୍ମଚାରୀ ଓ ଜିଏସ୍‌ଟି କର୍ମଚାରୀଙ୍କ ପାଇଁ ଏହି ବସ୍‌ଗୁଡିକ ଆଉ ତନଖି ହେଉନି । ଢାବାରେ ଏହି କର୍ମଚାରୀ, କଣ୍ଡକ୍ଟର ଏବଂ ମାଲ ପରିବହନ କରୁଥିବା ଏଜେଣ୍ଟଙ୍କ ମଧ୍ୟରେ ହେଉଛି ସଲା ସୁତୁରା ଓ ଟଙ୍କାର ଆଦାନ ପ୍ରଦାନ । ପରେ ଯାହାକୁ ଯେତେ ବିନା ଜିଏସ୍‌ଟି କାଗଜପତ୍ରରେ କୋଟି କୋଟି ଟଙ୍କାର ମାଲ ପରିବହନ ହେଉଛି । ଏପରିକି କଲିକତା ମଦ, ବ୍ରାଉନ୍‌ସୁଗାର, ଗଂଜେଇ ମଧ୍ୟ ଏହି ଏଜେଣ୍ଟମାନେ ଚାଲାଣ କରିବାରେ ଲାଗିଛନ୍ତି । ଏମାନଙ୍କ ଉପରେ ଅଙ୍କୁଶ ନଲଗାଇଲେ ପରିସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ଜଣାପଡିଛି । ଲୁଗା ଦୋକାନୀମାନେ ବସ୍ତା ବସ୍ତା ଲୁଗା ବଣ୍ଡଲ ଏହି ବସ୍‌ରେ ଆଣିବାବେଳେ ଯେଉଁ ଜିଏସ୍‌ଟି କାଗଜ କଣ୍ଡକ୍ଟର ହାତରେ ପଡୁଛି, ତାହା ତନଖି ହେବା ଜରୁରୀ । କାରଣ ପଶ୍ଚିମବଙ୍ଗ ସରକାରଙ୍କ ଜିଏସ୍‌ଟି ପଡୁଥିବା ବେଳେ ଏଥିରେ ସି-ଜିଏସ୍‌ଟି ପଡୁନାହିଁ । ଭଦ୍ରକ ଓ ବାଲେଶ୍ୱର ଜିଲାରେ ଜିଏସ୍‌ଟି ଆଦାୟ କରୁଥିବା ଅଧିକାରୀମାନେ ଦିନ ୧୦ ରୁ ସନ୍ଧ୍ୟା ଯାଏ କାମ କରୁଥିବାବେଳେ ରାତିରେ ଏହି ବସ୍ ପାସ୍ କରୁଥିବାରୁ ଏହାରି ଉପରେ ତାଙ୍କର ନଜର ନାହିଁ । ଏପରିକି ଟ୍ୟାକ୍ସ କଲେକ୍ସନ କରୁଥିବା ଅଧିକାରୀ ବି ନୀରବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.