Home ଜିଲ୍ଲା ପରିକ୍ରମା ସର୍ତ୍ତାନାଳ ସେତୁ ଓ ଜୋର ପୋଲ ବିକଳ୍ପରାସ୍ତା ଅଗମ୍ୟ , ଗାଁ ଲୋକଙ୍କ ହାତରେ ନିର୍ମାଣ...

ସର୍ତ୍ତାନାଳ ସେତୁ ଓ ଜୋର ପୋଲ ବିକଳ୍ପରାସ୍ତା ଅଗମ୍ୟ , ଗାଁ ଲୋକଙ୍କ ହାତରେ ନିର୍ମାଣ କାର୍ଯ୍ୟ ଟେକିଦେଇ ଠିକାଦାର ଛୁ

12

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ସର୍ତ୍ତାନାଳ ସେତୁ ଓ ମଣିନାଥପୁର ଜୋରପୋଲ ଗତ ଜାନୁୟାରୀ ମାସ ଠାରୁ ନିର୍ମାଣାଧିନ ଅଛି । ଏହି ସେତୁ ଦ୍ୱୟର ବିକଳ୍ପ ଓ ଅସ୍ଥାୟୀ ରାସ୍ତା ବହଳ କାଦୁଅ ଯୋଗୁଁ ଗତ ଦୁଇ ଦିନ ଧରି ଅଗମ୍ୟ ହୋଇ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅସ୍ଥାୟୀ ରାସ୍ତା ଦ୍ୱୟକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରାଯାଇ ନଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାଷ୍ମଋତୁରେ ସମ୍ପ୍ରତି ହେଉଥିବା କାଳବୈଶାଖି ପ୍ରଭାବରେ କ୍ରମାଗତ ଭାବେ ବର୍ଷା ହେଉଥିବାରୁ ରାସ୍ତା ଉପରେ ପାଣି ଜମି ରହି ଅତିଶୟ କାଦୁଅ ହୋଇଛି । ଏହି କର୍ଦ୍ଦମାକ୍ତ ରାସ୍ତାରେ ଶହ ଶହ ବେଆଇନ ବାଲି ବୋଝେଇ ହାଇୱା ଗତାଗତ କରୁଥିବାରୁ ବିକଳ୍ପ ରାସ୍ତା ୁପରେ ବଦଳ କାଦୁଅ ସୃଷ୍ଟି ହୋଇ ପଥଚାରୀଙ୍କ ପାଇଁ ମଧ୍ୟ ଅଗମ୍ୟ ହୋଇଛି । ଫଳରେ ଦୁଇ ଦିନ ଧରି ଏହି ରାସ୍ତାରେ ଯୋଗଯୋଗ ବସ୍ତୁତଃ ବିଚ୍ଛିନ୍ନ ହୋଇଛି । ଗତ ଜାନୁୟାରୀ ୯ତାରିଖରେ ଭଦ୍ରକ ପୁର୍ତ୍ତ ବିଭାଗ ପକ୍ଷରୁ ଏହି ସେତୁର ଶିଳାନ୍ୟାସ କରାଯାଇଥିଲା । ସର୍ତ୍ତାନାଳ ସେତୁ ସମେତ ଏହି ରାସ୍ତାରେ ଥିବା ମୋଟ ଆଠଗୋଟି ସେତୁ ଓ ଏହି ରାସ୍ତାର ତୁଲସୀପୁର ଠାରୁ ସରସଦା ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ପାଞ୍ଚକୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଏହି ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେବାକୁ ୯ ମାସ ସମୟ ରଖାଯାଇଛି ।

ମାତ୍ର ଠିକାଦାରଙ୍କ ପକ୍ଷରୁ କେବଳ ସର୍ତ୍ତାନାଳ ସେତୁ ଓ ମଣିନାଥପୁର ଜୋରପୋଲ ବହୁ ବିଳମ୍ବରେ ଆରମ୍ଭ କରାଯାଇଥିଲା । ପାଞ୍ଚ ମାସ ବିତିଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଏକ ତୃତୀୟାଂଶ ହୋଇଛି । ଏହି ଦୁଇସେତୁ ବନ୍ୟା ଜଳରେ ବୁଡିଯାଉଥିବାରୁ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ କରାଯିବାକୁ ବିଭାଗ ପକ୍ଷରୁ ଠିକାଦାରଙ୍କୁ କୁହାଯାଇଥିଲା । ମାତ୍ର ଠିକାଦାର ଅନଭିଜ୍ଞ ସ୍ଥାନୀୟ ଲୋକଙ୍କ ହାତରେ ନିର୍ମାଣ କାର୍ଯ୍ୟ ଛାଡିଦେଇ କମିଶନି ନେଇ ଧରାଛୁଆଁ ଦେଉନଥିବାରୁ ଜନସାଧାରଣଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକେ ଦୋଷାରୋପ କରିଛନ୍ତି । ମାତ୍ର ଦୁଇଟି ସେତୁର କାର୍ଯ୍ୟକୁ ଯଦି ଠିକାଦାର ୯ ମାସ ସମୟ ନିଅନ୍ତି ତେବେ ବାକି ସମସ୍ତ କାର୍ଯ୍ୟ ସାରିବାକୁ ପ୍ରାୟ ପାଞ୍ଚବର୍ଷ ଲାଗିବ ବୋଲି ବିଭାଗକୁ ତାଚ୍ଛଲ୍ୟ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୧୪ ମସିହାରେ ଦୁଇକୋଟି ପଚାଶ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତୁଳସୀପୁର ଠାରୁ ସରସଦା ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରାସ୍ତା ଅଧାପନ୍ତରିଆ ଭାବେ ନିର୍ମାଣ କରାଯାଇଥିଲା । ଫଳରେ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ୨୦୧୭ ମସିହାରେ ବିଭାଗ ପକ୍ଷରୁ ସରସଦା ଠାରୁ ମଣିନାଥପୁର ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ୧୩,୬୦,୧୯,୭୩୧ଟଙ୍କା ବ୍ୟୟଅଟକଳରେ ହାତକୁ ନିଆଯାଇଥିଲା । ୨୦୧୮ ଜୁନ ସୁଦ୍ଧା ସାରିବାକୁ ଥିବା ନିର୍ମାଣ କାର୍ଯ୍ୟ ଏବେବି ଅଧୁରା ରହିଛି । ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ରଖାଯାଇ ଆବଶ୍ରକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ ମତଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.