Home ଜିଲ୍ଲା ପରିକ୍ରମା ସରିବାକୁ ବସିଲାଣି ୨୦୨୧, ସରିଲାନି ସାଳନ୍ଦୀ ସେତୁ ନିର୍ମାଣ, ନଦୀ ପାର ଲାଗି ବାଉଁଶ ଚାରା...

ସରିବାକୁ ବସିଲାଣି ୨୦୨୧, ସରିଲାନି ସାଳନ୍ଦୀ ସେତୁ ନିର୍ମାଣ, ନଦୀ ପାର ଲାଗି ବାଉଁଶ ଚାରା ଭରସା

26

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ସେତୁ ନିର୍ମାଣକୁ ଆଉ ବର୍ଷେ ପୁରିଲା ତଥାପି ସରିଲାନି ସାଳନ୍ଦୀ ସେତୁ ନିର୍ମାଣ । କେବେ କାର୍ଯ୍ୟକ୍ଷମ ହେବ ସେତୁ ଏହା ନେଇ ଅଂଚଳବାସୀ ସନ୍ଦିହାନରେ ଅଛନ୍ତି । ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାର ୩ଟି ସ୍ଥାନରେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅବଧି ସରିବା ପରେବି ବିଜୁ ସେତୁ ନିର୍ମାଣ କାର୍ଯ୍ୟ ନ ସରିବା ସରକାରଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି କାର୍ଯ୍ୟ ସରୁନଥିବାରୁ ଲୋକେ ବାଉଁଶଚାର ରେ ନଦୀ ପାରି ହେଉଥିବା ଦେଖିବାକୁ ମିଳିଛି । ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁ ଶୁଭ ଦିଆ ହେବାକୁ ୬ବର୍ଷ ପୁରିବାକୁ ବସିଲାଣି ତଥାପି ନିର୍ମାଣ ସରିନି । ଉକ୍ତ ଅଂଚଳର ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା । କିନ୍ତୁ ସାଳନ୍ଦୀ ନଦୀ ଏଥି ପାଇଁ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ପୂର୍ବତନ ସାଂସଦ ଓ ବିଧାୟକଙ୍କ ସହଯୋଗରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା । ଏହାର ଲମ୍ବ ୬୦.୧୫ ମିଟର ଓ ପ୍ରସ୍ଥ ୮.୩୫ ମିଟର । ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଟୋବର ୩ରେ କାର୍ଯ୍ୟ ଶେଷ ହେବାର ଥିଲା । ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ଅବଧି ସରିବାର ବହୁ ବିଳମ୍ବରେ ସେତୁ କାର୍ଯ୍ୟ ସମାପ୍ତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ରାସ୍ତା ସଂଯୋଗୀକରଣ(ଆପ୍ରୋଚ ରୋଡ଼) ନିର୍ମାଣ ଆଉ ଏକ ସମସ୍ୟା ରୂପେ ଠିଆ ହୋଇଛି । ଶ୍ରୀରାମପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ସମସ୍ୟା ସମାଧାନ ହୋଇ ଏହା ନିର୍ମାଣାଧିନ ଥିବାବେଳେ । ଟିକିରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ ଦେଖା ଦେଇଥିବା ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଯଦ୍ୱାରା ଏହା ସର୍ବସାଧାରଣ ରାସ୍ତା ସହିତ ସଂଯୋଗ କରାଯାଇ ପାରୁନାହିଁ । ଇତି ମଧ୍ୟରେ ବିଜୁ ସେତୁ ନିର୍ମାଣକୁ ୬ ପୁରିବା ସହ ନିର୍ମାଣ ଅବଧିକୁ ୫ ବର୍ଷ ପୁରିବାକୁ ବସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିଜୁ ସେତୁ ସଂପୂର୍ଣ୍ଣ ହେବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷଭାବ ପ୍ରକାଶ ପାଇଛି । ଶ୍ରୀରାମପୁର, ସାହୁପଡ଼ା, ଗୋପୀନାଥପୁର, ମାର୍କଣ୍ଡପୁର ଆଦି ଗ୍ରାମବାସୀମାନେ ସେତୁ ନିର୍ମାଣ ହୋଇନଥିବାରୁ ଯାତାୟାତ କରିବାରେ ନାନାଦି ଦୂର୍ଦ୍ଦଶାଦେଇ ଗତି କରୁଛନ୍ତି ।

ଅଧିକ ରାସ୍ତା କାଣ୍ଡବା ସେତୁ ଦେଇ ଦୈନ୍ୟଦିନ ଯାତାୟାତ କରୁଛନ୍ତି ନ ହେଲେ ବିପଦ ସଙ୍ଗୁଳ ପରିସ୍ଥିତିରେ ସେତୁ ଉପରୁ ସଂଯୋଗୀକରଣ ରାସ୍ତାକୁ ଅସ୍ଥାୟୀ ବାଉଁଶ ଚାରରେ ଯାତାୟତ କରୁଛନ୍ତି । ଲୋକମାନଙ୍କ ସମେତ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଆଗରପଡ଼ା ସ୍ଥିତ ଅଣିଜୋ ପଂଚାୟତ ନରିପୁର ଠାରେ ବିଜୁ ସେତୁ ପାଇଁ ଦୁଇ ଥର ଶିଳା ନ୍ୟାସ ହୋଇ ନିର୍ମାଣ କାର୍ଯ୍ୟ ସରିଯାଇଥିଲେ ଏହା ସରକାରୀ ସ୍ତରରେ ବ୍ୟବହାର ଯୋଗ୍ୟ ଘୋଷଣା କରାଯାଇନଥିବାରୁ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ବାଲେଶ୍ୱର ଜିଲ୍ଲା ଖଇରା,ସିମୁଳିଆ,ଅନ୍ତରା,ଡୁଙ୍ଗୁରା,ବରୋଦା,ଗରସଙ୍ଗ ଆଦି ଗ୍ରାମର ଜନସାଧାରଣମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନୁରୂପ ଭାବେ ଆଗରପଡ଼ା ସ୍ଥିତ ମହାନ୍ତିପଡ଼ା ଠାରୁ ଇଟୁଆ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ହଳଦୀପହଣୀ ଠାରେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ଉଚ୍ଚତତ୍ତର ବିଜୁ ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନଥିଲା । ଯଦ୍ୱାରା ମହାନ୍ତିପଡ଼ା,କାଣ୍ଡବା,ହଳଦୀପହଣୀ,ବିଟିପୁର ଓ ଆଗରପଡ଼ା ଆଦି ଅଂଚଳର ଲୋକେ ଅଧିକ ବାଟ ଦେଇ ଯାଆଆସ କରୁଛନ୍ତି । ବିଜୁ ସେତୁ ନିର୍ମାଣ ପାଇଁ ୬୪୨.୨୬ ଲକ୍ଷ ୯୨ ଟଙ୍କା ମଂଜୁର ହୋଇଥିଲା । ଏହାର ଲମ୍ବ ୯୨.୫୯ ମିଟର ଓ ପ୍ରସ୍ଥ ୮.୩୫ ମିଟର । ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ନିର୍ମାଣ ହୋଇ ୨୦୨୧ ମେ ମାସ ୫ ତାରିଖରେ କାର୍ଯ୍ୟ ଶେଷ ହେବାର ଥିଲା । ମାତ୍ର ଉକ୍ତ ସେତୁର କିଛି ଅଂଶ ହଳଦୀପହଣୀ ଗ୍ରାମବାସୀଙ୍କ ନିଜସ୍ୱ ଜାଗା ଉପରେ ଯାଉଥିବାରୁ ଗ୍ରମବାସୀମାନେ ଏହାକୁ ବିରୋଧ କରିଆସୁଥିଲେ । ଯଦ୍ୱାରା ସେତୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିଲା । ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିଲା । ଗତ ନଭେମ୍ବର ମାସ ୭ତାରିଖ ରବିବାର ଜିଲ୍ଲାପାଳ ଘଟଣା ସ୍ଥଳରେ ପହଂଚି ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଉପୁଜିଥିବା ସମସ୍ୟାର ଆପୋଷ ସମାଧାନ କରିବାପରେ ହଳଦୀପହଣୀ ପାଶ୍ୱର୍ ସ୍ଥିତ ସେତୁ ସ୍ପାନ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଥିବାର ଦେଖିବାକୁ ମିଳିଛି । ସରକାରୀ ସ୍ତରରେ ଯୋଜନା ପରେ ଯୋଜନା କରାଯାଉଛି । ନିମ୍ନମାନର କାର୍ଯ୍ୟ ଓ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ସାଧାରଣ ଜନତା କେବଳ ହନ୍ତସନ୍ତ ହେବା ସାର ହେଉଛି । ସ୍ଥାନୀୟ ନେତା, ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ପ୍ରାୟ ସମସ୍ତ ଉନ୍ନୟନ କାର୍ଯ୍ୟ ଚାଲଛି । ଅବଧି ଶେଷ ପରେ ବର୍ଷାଧିକ କାଳ ଅତିକ୍ରମ କଲେ ମଧ୍ୟ କାର୍ଯ୍ୟ ଶେଷ ହେଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.