Home ଉପ ନିର୍ବାଚନ ସରକାରୀ ଅର୍ଥ ଲୁଟି ମଧ୍ୟ ଲୋକଙ୍କୁ ମୌଳିକ ସେବା ନାହିଁ: ଦୁର୍ନୀତିଗ୍ରସ୍ତ ଦଳର ପ୍ରାର୍ଥୀଙ୍କୁ ଉଚିତ...

ସରକାରୀ ଅର୍ଥ ଲୁଟି ମଧ୍ୟ ଲୋକଙ୍କୁ ମୌଳିକ ସେବା ନାହିଁ: ଦୁର୍ନୀତିଗ୍ରସ୍ତ ଦଳର ପ୍ରାର୍ଥୀଙ୍କୁ ଉଚିତ ଜବାବ ଦିଅ: ସୁରେଶ ପୂଜାରୀ

45

ବାଲେଶ୍ୱର, ୨୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ଚଳିତ ସଦର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଅଂଶଗ୍ରହଣ କରିଥିବା ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ ବାଲେଶ୍ୱରର ପ୍ରତ୍ୟେକ କ୍ଷେତ୍ରରେ ବଦ୍ଧି ପାଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ ଯୋଗଦେଇ ସହର ସମେତ ଜିଲ୍ଲାବାସୀଙ୍କୁ ଦୀର୍ଘଦିନ ଧରି କରାଯାଇଥିବା ଅବହେଳା ସମ୍ପର୍କରେ ସୂଚନା ଦେଇଛନ୍ତି। ବିଶେଷ କରି ପୌରାଞ୍ଚଳ ଓ ପଞ୍ଚାୟତ ସ୍ତରରେ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନରେ ରାଜ୍ୟ ସରକାରଙ୍କ ବିଫଳତାକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ଲୋକାଲ ଫଣ୍ଡ ଅଡିଟ୍ ରିପୋର୍ଟକୁ ଆଧରରେ ପୌରାଞ୍ଚଳ ଓ ଗ୍ରାମାଞ୍ଚଳ ବିକାଶ ପାଇଁ ଆସୁଥିବା ଅନୁଦାନକୁ ସରକାର ଓ ପ୍ରଶାସନ ଖର୍ଚ୍ଚ କରିପାରୁ ନାହାନ୍ତି। ଏମିତିକି ହେଉଥିବା ଖର୍ଚ୍ଚର ହିସାବ ଏବଂ ବିନିଯୋଗ ପ୍ରମାଣପତ୍ର ପ୍ରଦାନରେ ଶାସନକଳର ବିଳମ୍ବତା ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି। ଅଦ୍ୟାବଧି ଜିଲ୍ଲା ପରିଷଦରେ ୧୫ କୋଟି, ପଞ୍ଚାୟତ ସମିତିରେ ୨୫୭ କୋଟି ଓ ଗ୍ରାମ ପଞ୍ଚାୟତରେ ୧୭୦ କୋଟି ଟଙ୍କା ଖର୍ଚ୍ଚ ହୋଇ ନପାରି ପଡ଼ି ରହିଛି। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାଦେଶ ସହ ବିଜେଡି କର୍ମୀମାନେ ସମ୍ପୃକ୍ତ ଅଟକଳ ଅର୍ଥରୁ କୋଟି କୋଟି ଟଙ୍କା ଅଗ୍ରୀମ ଆକାରରେ ନେଇଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସବୁଠାରୁ ବଡ଼କଥା ହେଲା ଗତ ୫ବର୍ଷରେ ଅମୃତ ଯୋଜନା କାର୍ଯ୍ୟକାରୀରେ କେନ୍ଦ୍ର ପ୍ରଦତ୍ତ ୮୮୫ କୋଟି ଟଙ୍କାର ଖର୍ଚ୍ଚର ହିସାବ ଏବେ କାହା ପାଖରେ ନାହିଁ। ତେବେ ବାଲେଶ୍ୱର ସହରର ବିକାଶ ପାଇଁ ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଥିଲେ ବି ବାସ୍ତବରେ କେଉଁଠି ଆଖିଦୃଶିଆ କାର୍ଯ୍ୟ ହୋଇଛି, ତାହା ସାଧାରଣ ଜନତା ବେଶ ଭଲ ଭାବେ ଜାଣିଛନ୍ତି। ପାଇପ ପାଣି ଯୋଗାଣ ଯୋଜନା, ପବ୍ଲିକ ପାର୍କ, ସିଟି ବସ୍ ଚଳାଚଳ ଆଦି ଯୋଜନା ଏବେ କେଉଁଠି ବୋଲି ନିର୍ବାଚନ ପ୍ରଚାରରେ ଆସୁଥିବା ବିଜେଡି ନେତାଙ୍କୁ ପଚାରିବାକୁ ଶ୍ରୀ ପୂଜାରୀ ବାଲେଶ୍ୱରବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ମିଥ୍ୟା ପ୍ରତଶ୍ରୁତି ଦେଇ କୋଟିକୋଟି ଟଙ୍କା ଲୁଟି ଚାଲିଥିବା ଦଳର ପ୍ରାର୍ଥୀଙ୍କୁ ଏହି ନିର୍ବାଚନ ମାଧ୍ୟମରେ ଉଚିତ ଜବାବ ଦେବାକୁ ସେ ସମସ୍ତଙ୍କୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ବିରଞ୍ôଚ ନାରାୟଣ ତ୍ରିପାଠୀ, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.