Home ଉପ ନିର୍ବାଚନ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ କମ୍ୟୁନିଷ୍ଟର କର୍ମୀ ସମ୍ମିଳନୀ

କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ କମ୍ୟୁନିଷ୍ଟର କର୍ମୀ ସମ୍ମିଳନୀ

44

ବାଲେଶ୍ୱର, ୨୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ଆସନ୍ତା ଉପ-ନିର୍ବାଚନରେ ବାଲେଶ୍ୱର ସଦର ବିଧାନସଭା ଆସନପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ସମର୍ଥନ କରି କମ୍ୟୁନିଷ୍ଟ ପାର୍ଟିର କର୍ମୀ ସମ୍ମିଳନୀ ବୁଧବାର ପୂର୍ବାହ୍ନରେ ପଢ଼ୁଆଁପଦାସ୍ଥିତ ଶ୍ରମିକ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ସଭାରେ ବର୍ଷିୟାନ୍ ବାମପନ୍ଥୀ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ, ସହସଂପାଦକ ଭାଗବତ ପ୍ରତିହାରୀ, ମାୟାଧର ନାୟକ ଓ ଫରୱାର୍ଡ଼ ବ୍ଲକ୍‌ର ଲକ୍ଷ୍ମୀଧର ଗିରି ପ୍ରମୁଖ ଦେଶ ଓ ରାଜ୍ୟର ସାଂପ୍ରତିକ ରାଜନୈତିକ ପଟ୍ଟଭୂମିରେ ବାଲେଶ୍ୱର ସଦର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାରରେ ଥିବା ଦୁଇ ପ୍ରମୁଖ ଦଳଙ୍କ ନୀତି ଓ ଆଦର୍ଶରେ କୌଣସି ପାର୍ଥକ୍ୟ ନଥିବାର ଦର୍ଶାଇଥିଲେ। କେନ୍ଦ୍ରସରକାରରେ ଥିବା ବିଜେପିର ସଂବିଧାନ ଓ ଗଣତନ୍ତ୍ର ବିରୋଧି ନୀତିକୁ ବିଜେଡ଼ି ସଂସଦରେ ସମର୍ଥନ ଜଣାଇଛି। ପ୍ରଚଳିତ ଶ୍ରମ ଆଇନକୁ ମାଲିକମାନଙ୍କ ସପକ୍ଷରେ ଏବଂ କୃଷକ, କ୍ଷେତ ମଜଦୂର ଓ ଖାଉଟିମାନଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିକୁ ଲୋକସଭାରେ ବିଜେଡ଼ି ଦୃଢ଼ ସମର୍ଥନ ଜଣାଇଥିବାବେଳେ ଲୋକଦେଖାଣିଆ ଭାବେ ରାଜ୍ୟ ସଭାରେ ବିରୋଧ କରୁଛି। ବିମୁଦ୍ରୀକରଣ, ଜିଏସ୍‌ଟି ପ୍ରଭୃତି ଜନବିରୋଧି ଆଇନକୁ ବିଜେଡ଼ି ସମର୍ଥନ ଜଣାଇ ରାଜ୍ୟବାସୀଙ୍କ କ୍ରୋଧର ଶୀକାର ହୋଇଛି। ଉଭୟଦଳ ନିଜର ଶାସନ ଗାଦିର ସୁରକ୍ଷା ପାଇଁ ଅଲିଖିତ ବୁଝାମଣା କରିଥିବା ସଂପର୍କରେ ବାମପନ୍ଥୀ ନେତାମାନେ ଗୁରୁତର ଅଭିଯୋଗ କରିଥିଲେ। କଂଗ୍ରେସ ଦଳର ପ୍ରାର୍ଥୀ ମମତା କୁଣ୍ଡୁ ଏଥିରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ବାଲେଶ୍ୱର ଜିଲ୍ଲାରେ ସମସ୍ତ ଶିଳ୍ପ ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ, ମେଡିକାଲ୍ କଲେଜ ପ୍ରଭୃତି ପ୍ରତିଷ୍ଠାରେ କଂଗ୍ରେସଦଳର ଅବଦାନ ବୋଲି ଅଭିହିତ କରିଥିଲେ। ବିଜେଡ଼ି ଦଳର କୋଡ଼ିଏ ବର୍ଷ ଶାସନକାଳରେ ବାଲେଶ୍ୱରର ଶିଳ୍ପସଂସ୍ଥାଗୁଡ଼ିକ ମୃତ କିମ୍ବା ମୃତ୍ୟୁ ଅପେକ୍ଷାରେ ରହିଛନ୍ତି। ବେକାରୀ ସଂଖ୍ୟା ବୃଦ୍ଧି ଫଳରେ ଓଡ଼ିଶାର ମାନବ ସମ୍ବଳ ଦାଦନରେ ପରିଣତ ହୋଇଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ ତାଙ୍କୁ ଜିତାଇବାକୁ ଶ୍ରୀମତୀ କୁଣ୍ଡୁ ନିବେଦନ କରିଥିଲେ। ଉତ୍କଳ ମହିଳା ସମିତିର ଜିଲ୍ଲା ସଭାନେତ୍ରୀ ବନ୍ଦନା ବିଶ୍ୱାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.