Home ଜିଲ୍ଲା ପରିକ୍ରମା ସରକାରଙ୍କ ବିଦ୍ୟାଳୟ ବନ୍ଦ ନୀତିକୁ ବିରୋଧ: ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ

ସରକାରଙ୍କ ବିଦ୍ୟାଳୟ ବନ୍ଦ ନୀତିକୁ ବିରୋଧ: ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ

40

ବାଲେଶ୍ୱର, ୨୮ା୨(ଓଡ଼ିଆ ପୁଅ/ଅଭୟ ଦାସ): ଛାତ୍ରଛାତ୍ରୀ ସଂଖ୍ୟାହ୍ରାସ ଓ କରୋନା ଆଳ ଦେଖାଇ ପ୍ରାଥମିକ ବିଦ୍ୟାଳୟ ଓ ବିଏଡ କଲେଜ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତିକୁ ସମ୍ପ୍ରତି ସବୁ ମହଲରେ ବିରୋଧ ଆରମ୍ଭ ହୋଇଛି। ଏହି ପରିପେକ୍ଷୀରେ ଅଲ ଇଣ୍ଡିଆ ଡେମୋକ୍ରେଟିକ୍ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ(ଏଆଇଡିଏସଓ) ଏବଂ ମିଳିତ ସ୍କୁଲ ସୁରକ୍ଷା ସମନ୍ୱୟ କମିଟି ପକ୍ଷରୁ ସରକାରଙ୍କ ନିଷ୍ପତିକୁ ଦୃଢ଼ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଗୁରୁବାର ଦିନ ଦୁଇ ସଂଗଠନ ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ବାଲେଶ୍ୱର ରେଳଷ୍ଟେସନୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ‘ଏଆଇଡିଏସଓ’ ର ବାଲେଶ୍ୱର ଆବାହକ କୃଷ୍ଣାରାଣୀ ସାହୁ ପୌରୋହିତ୍ୟ କରିବା ସହିତ ସରକାରଙ୍କ ବିଦ୍ୟାଳୟ ବନ୍ଦ ଶିକ୍ଷାନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଆବହକ ପ୍ରଶାନ୍ତ ଦାସ, ହରକୃଷ୍ଣ ଦାସ, ନିତ୍ୟାନନ୍ଦ ସାହୁ, କୃଷ୍ଣଚନ୍ଦ୍ର ଜେନା, ତାପସ ବାରିକ, ଅହଲ୍ୟା ସାମଲ, ପ୍ରବୀର କୁମାର ଜେନା ପ୍ରମୁଖ ଏଥିରେ ଯୋଗଦେଇ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଲୋକାଭିମୁଖୀ କରିବା ପରିବର୍ତ୍ତେ ଏହାକୁ ଘରୋଇକରଣ ପାଇଁ ଏଭଳି ବିଦ୍ୟାଳୟ ବନ୍ଦ ନିଷ୍ପତି ନେଇଥିବା ଆରୋପ ଉଠାଇଥିଲେ। ଏହା ଦ୍ୱାରା ରାଜ୍ୟରେ ୧୩ ହଜାର ୩୭୯ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ୧୪ଟି ବିଏଡ କଲେଜ ବନ୍ଦ ହେବାକୁ ଯାଉଛି। ତନ୍ମଧ୍ୟରୁ ବାଲେଶ୍ୱର ଜିଲାରେ ୨୬୨ ଗୋଟି ବିଦ୍ୟାଳୟ ସମେତ ଏକମାତ୍ର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବନ୍ଦ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସରକାର ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେଇ ନପାରି ଘରୋଇ ଶିକ୍ଷାନୁଷ୍ଠାନଙ୍କ ସ୍ୱାର୍ଥରକ୍ଷା ପାଇଁ ଏଭଳି ପଦକ୍ଷେପ ନେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବକ୍ତାମାନେ କହିଥିଲେ। ତୁରନ୍ତ ଏହି ନିଷ୍ପତି ପ୍ରତ୍ୟାହୃତ ନହେଲେ ଆଗାମୀ ଦିନରେ କେବଳ ବାଲେଶ୍ୱର ନୁହେଁ ବରଂ ସମଗ୍ର ରାଜ୍ୟରେ ଏହା ବିଶାଳ ଜନ ଆନ୍ଦୋଳନର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ର୍ୱାନେ ପ୍ଲାକାର୍ଡ଼ ପ୍ରଦର୍ଶନ ସହ ‘ସରକାର ତୁମେ ଦେଇଥିବା ଅଣ୍ଡା ଓ ଚାଉଳ ନିଅ, ଆମ ସ୍କୁଲ ଫେରାଇ ଦିଅ’ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଅଭିଭାବକ ଓ ଛାତ୍ରଛାତ୍ରୀ ଏହି ପ୍ରତିବାଦ କାର୍ଯ୍ୟକମରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.