Home ଜିଲ୍ଲା ପରିକ୍ରମା ସରକାରଙ୍କ ଆବାସ ଯୋଜନା କାହା ସ୍ୱାର୍ଥରେ! , କର୍କଟ ଆକ୍ରାନ୍ତ ଭ୍ରମରବରଙ୍କ ଜୀବନ ବିତୁଛି ଗୁହାଳଘରେ

ସରକାରଙ୍କ ଆବାସ ଯୋଜନା କାହା ସ୍ୱାର୍ଥରେ! , କର୍କଟ ଆକ୍ରାନ୍ତ ଭ୍ରମରବରଙ୍କ ଜୀବନ ବିତୁଛି ଗୁହାଳଘରେ

62

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ମାଳମାଳ ଜନାଭିମୁଖୀ ଯୋଜନା । ଏ ସମସ୍ତ ଯୋଜନାକୁ ହାତେଇବାକୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଚାଲିଛି ବାଘ ଛେଳିର ଖେଳ । ଶେଷରେ ଅଯୋଗ୍ୟଙ୍କର ବିଜୟ ହୋଇଛି । ଅଧିକାଂଶ ଯୋଜନାକୁ ଏହି ଅଯୋଗ୍ୟମାନେ ରାଜନୈତିକ ଚାପ, ଲାଞ୍ଚ ପ୍ରଦାନ ଜରିଆରେ ହାତେଇ ନେବାରେ ସଫଳ ହେଉଥିବାବେଳେ, ବହୁ କ୍ଷେତ୍ରରେ ଯୋଗ୍ୟ ହିତାଧିକାରୀ ବାଦ୍ ପଡୁଛନ୍ତି । ଭଦ୍ରକ ବ୍ଲକ୍ ଗେଲପୁର ପଂଚାୟତ ଗୋପବନ୍ଧୁନଗର ଗ୍ରାମର ଭ୍ରମରବର ମଲ୍ଲିକ । ସମସ୍ତ ହକ୍‌, ଅଧିକାର ଓ ଯୋଗ୍ୟତା ଥାଇ ମଧ୍ୟ କାହିଁକି ଭ୍ରମରବର ଆବାସ ଯୋଜନାରେ ଘର ଖଣ୍ଡେ ନପାଇ ଗୁହାଳରେ ଦିନ କାଟୁଛନ୍ତି, ତାହାର କୈଫିୟତ ଦେବାକୁ କେହି ନାହିଁ । ଭ୍ରମରବରଙ୍କ ଘରର ଦୂରାବସ୍ଥା ସଂପର୍କରେ ସାମାଜିକ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇବା ପରେ ବିଡିଓଙ୍କ ନିର୍ଦ୍ଦେଶରେ ସଂପୃକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ତାଙ୍କ ମାଟିରେ ମିଶିଯାଇଥିବା ଘର ନିକଟରେ ପହଞ୍ôଚ ତଥ୍ୟ ସଂଗ୍ରହ କରିଛନ୍ତି । ଯଦି ଆବାସ ଯୋଜନା ବଣ୍ଟନ ବେଳେ ସ୍ୱଚ୍ଛତା ରକ୍ଷା କରି ବାସ୍ତବ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥାନ୍ତା, ତେବେ ହୁଏତ ଭ୍ରମରବରଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡିନଥାନ୍ତା ।

ତଥ୍ୟ ଅନୁସାରେ ଗେଲପୁର ପଂଚାୟତ ଗୋପବନ୍ଧୁନଗର ଗ୍ରାମରେ ଭ୍ରରମବରଙ୍କ ଘର । ପରିବାର କହିଲେ ପତ୍ନୀ ଓ ଏକମାତ୍ର ପୁତ୍ର । ଯିଏକି ଦାରିଦ୍ର‌୍ୟ ତାଡନାରେ ଏବେ ଦାଦନ ଖଟିବାକୁ ଯାଇଛନ୍ତି ବାହାର ରାଜ୍ୟକୁ । ଭ୍ରମରବର କର୍କଟ ରୋଗରେ ଆକ୍ରାନ୍ତ । ଆର୍ଥିକ ଦୁର୍ନୀତି ସତ୍ୱେ ସେ ଭୁବନେଶ୍ୱରସ୍ଥିତ ଏମସ୍‌କୁ ନିୟମିତ ଚିକିତ୍ସା ପାଇଁ ଯାଉଛନ୍ତି । ତାଙ୍କୁ ଏଯାବତ୍ ସରକାରଙ୍କ ପକ୍ଷରୁ ମିଳିଛି ଖଣ୍ଡେ ରେସନ୍ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା । ଗୋଟିଏ ବଖରା ଅତ୍ୟନ୍ତ ଖରାପ ସ୍ଥିତିରେ ଥିବା ଏକ ଚାଳଘରେ ତାଙ୍କ ପରିବାର ଦିନ କାଟୁଥିଲେ । କିନ୍ତୁ ପ୍ରବଳ ବର୍ଷା ବେଳେ ଘରର ସମସ୍ତ ବାଉଁଶ ଖୁଣ୍ଟ ପଡିଯାଇଥିଲା । ଶେଷରେ ଘରର ଚାଳ ମାଟିରେ ମିଶିଯାଇଥିଲା । ଏ ପରିସ୍ଥିତିରେ ତାଙ୍କର ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଏକ ଗୁହାଳ ଘରେ ଏବେ ଭ୍ରମରବର ଓ ତାଙ୍କ ପତ୍ନୀ ଆଶ୍ରୟ ନେଇଛନ୍ତି । ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ବାରମ୍ବାର ଅନୁରୋଧ କରିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ । କିନ୍ତୁ କୌଣସି ସୁଫଳ ମିଳିନାହିଁ ତାଙ୍କୁ । ଏପରି ସ୍ଥଳେ ଆବାସ ଯୋଜନା ବାସ୍ତବରେ କାହା ପାଇଁ ବୋଲି ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠିଛି । ସତରେ ଭ୍ରମରବର କ’ଣ ଅଯୋଗ୍ୟ ହିତାଧିକାରୀ । ଯେଉଁଥିପାଇଁ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳୁନାହିଁ । ତାଙ୍କୁ କେବେ ମିଳିବ ଆବାସ ଗୃହ, ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.