Home Top News ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତ : ସ୍ଥାନାନ୍ତରିତ ପ୍ରକ୍ରିୟା ସାମୟିକ...

ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତ : ସ୍ଥାନାନ୍ତରିତ ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ : ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ

81

ପୁରୀ ୦୪.୧୨ (ଓଡ଼ିଆ ପୁଅ) – ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟା ଜୱାଦ ମୁକାବିଲାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି। ଜୱାଦର ପ୍ରକୋପ ହ୍ରାସ ହେବା ଆଶା କରାଯିବା ପରେ ସ୍ଥାନାନ୍ତରିତ ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ ରହିଛି। ମାତ୍ର ବର୍ଷା ହେବାର ଆଶଙ୍କା ଥିବାରୁ ସମସ୍ତ ୧୭୦ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଏବଂ ୪୦୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଜରୁରୀ ନିମନ୍ତେ ପ୍ରସ୍ତୁତ ରଖାଯାଇଛି। ଉପକୂଳବର୍ତ୍ତି ୨୦ଟି ପଞ୍ଚାୟତର ୫୨ଟି ଗ୍ରାମର ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି। ୧୦ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ବରିଷ୍ଠ ଅଧିକାରୀ ମାନେ ଆଜି ସକାଳେ ବିଭିନ୍ନ ବ୍ଲକ ଗସ୍ତ କରି ସ୍ଥାନାନ୍ତରଣ ପ୍ରକ୍ରିୟା ଓ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ ଗୋପ ଓ କୋଣାର୍କ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର କାକଟପୁର ଓ ଅସ୍ତରଙ୍ଗ, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦର ୭ଟି ପଞ୍ଚାୟତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା ପିପିଲି ଓ ଡେଲାଙ୍ଗ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ନିମାପଡା ଓ ସତ୍ୟବାଦୀ, ପିକେଡିଏ ସଚିବ ଶ୍ରୀ ଲଲାଟେନ୍ଦୁ ସାହୁ କଣାସ ଏବଂ ଭୂଅର୍ଜନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା ଚିଲିକା ମଧ୍ୟସ୍ଥ କୃଷ୍ଣପ୍ରସାଦର ୧୪ଟି ପଞ୍ଚାୟତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ଜିଲ୍ଲା ମୁଖ୍ୟାଳୟ ଠାରେ ରହି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସମସ୍ତ ବ୍ଲକରେ ପର୍ଯ୍ୟାପ୍ତ ପରିମାଣର ଚୁଡା, ଗୁଡ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି। ଏନଡିଆରଏଫ୍, ଓଡ୍ରାଫ, ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ସଜାଗ ହୋଇ ରହିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକର ୨୭୫ ଜଣ ଆସନ୍ନା ପ୍ରସବା ମାନଙ୍କ ମଧ୍ୟରୁ ୧୫୪ ଜଣ ବିଭିନ୍ନ ଡାକ୍ତରଖାନାରେ ପ୍ରସବ ଦେଇଥିବା ବେଳେ ୪୧ ଜଣଙ୍କୁ ବିଭିନ୍ନ ଡାକ୍ତରଖାନରେ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଜିଲ୍ଲାରେ ୩୦ ହଜାର ହେକ୍ଟର ଜମିରେ ଅମଳ ଶସ୍ୟକୁ କ୍ଷେତରୁ ନେଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଆଜି ଜିଲ୍ଲାରେ ହାରାହାରି ବୃଷ୍ଟିପାତ ୪୦ ମିଲି ମିଟର ରହିଥିବାରୁ ବିଶେଷ କ୍ଷତି ହୋଇନଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅନିଲ ଚନ୍ଦ୍ର ଦାସ କହିଛନ୍ତି। ଏଥିନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ସେ ଜଣେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.