Home ଜିଲ୍ଲା ପରିକ୍ରମା ସମବାୟ ବ୍ୟାଙ୍କ ମ୍ୟାନେଜର ବଦଳି ବାତିଲ ଦାବିରେ ବ୍ୟାଙ୍କରେ ତାଲା ସହ ଧାରଣା

ସମବାୟ ବ୍ୟାଙ୍କ ମ୍ୟାନେଜର ବଦଳି ବାତିଲ ଦାବିରେ ବ୍ୟାଙ୍କରେ ତାଲା ସହ ଧାରଣା

8

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ମ୍ୟାନେଜରଙ୍କ ବଦଳି ବାତିଲ ଦାବିରେ ବିଭିନ୍ନ ସମବାୟ ସମିତିର ସଭାପତି ଓ କର୍ମଚାରୀମାନେ ବୁଧବାର ଶାଖା କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିବା ଜଣାଯାଇଛି । ତେସିଙ୍ଗା ସମିତି ସଭାପତି ନାରାୟଣ ଚନ୍ଦ୍ର ଦାଶ ଓ ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ, ନାରାୟଣପୁର ସମିତି ସଭାପତି ଜୟନ୍ତ ସାହୁ ଓ ସମ୍ପାଦକ ସୁମନ୍ତ କୁମାର ସେନାପତି, ଜଳମଣ୍ଡୁଆ ସମିତି ସଭାପତି ରତନ କୁମାର ପାତ୍ର ଓ ସମ୍ପାଦକ ଜୟନ୍ତ କୁମାର ଭୋଇ, ନେରଡା ସମିତି ସଭାପତି ସତ୍ୟନାରାୟଣ ମିଶ୍ର ଓ ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ମାଳଦା ସମିତି ସଭାପତି ମୁକୁନ୍ଦ ଚରଣ ମଲ୍ଲିକ ଓ ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସ, ସରସଦା ସମିତି ପକ୍ଷରୁ ନାଗେଶ୍ୱର ବେହେରା ଓ ସମ୍ପାଦକ ଅଜୟ କୁମାର ବେହେରା, ରହଣିଆ ସମିତି ସଭାପତି ସାଗର ରଞ୍ଜନ ଲେଙ୍କା ଓ ସମ୍ପାଦକ ସନ୍ତୋଷ କୁମାର ଦାସ, ବାଲିପୋଖରୀ ସମିତି ସଭାପତି ଅଧର କୁମାର ରାଉତ ଓ ସମ୍ପାଦକ ପିନାକୀ ରଞ୍ଜନ ଦାଶ, ନାଆମୀ ସମିତି ସଭାପତି ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ନଗୁଆଁ ସମିତି ସଭାପତି ରମେଶ ଚନ୍ଦ୍ର ଭାରତୀ ଓ ସମ୍ପାଦକ ସଞ୍ଜୟ କୁମାର ମଲ୍ଲିକ ପ୍ରମୁଖ ବ୍ୟାଙ୍କ ଶାଖା କାର୍ଯ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିରହିଥିଲେ ।ଏହାଦ୍ୱାରା ବ୍ୟାଙ୍କ କାର୍ଯ୍ୟ ବୁଧବାର ଆଦୌ ଚାଲିପାରିନଥିଲା । ବ୍ୟାଙ୍କ ପକ୍ଷରୁ ଜୋନାଲ ମ୍ୟାନେଜର ନିର୍ମଳ ଚନ୍ଦ୍ର ସେଠୀ ଧାରଣାରତ ସଭାପତି ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ବଦଳି ବାତିଲ ନହେଲେ ଧାରଣା ପ୍ରତ୍ୟାହୃତ ହେବ ନାହିଁ ବୋଲି ସ୍ପଷ୍ଟ କରାଯିବାରୁ ଆଲୋଚନା ବିଫଳ ହୋଇଥିଲା । ଦାବି ହାସଲ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁଙ୍କ ବଦଳି ଯୋଗୁ ଗତ ୧୦ ତାରିଖରୁ ଭଣ୍ଡାରିପୋଖରୀ ଶାଖା ବସ୍ତୁତଃ ଅଚଳ ହୋଇପଡିଛି । ଦୈନିକ ନେଣଦେନ ବ୍ୟତୀତ ଶାଖାରେ ଅନ୍ୟକୌଣସି କାର୍ଯ୍ୟ ସମ୍ଭବ ହୋଇପାରୁ ନାହିଁ । ଋଣମଞ୍ଜୁର, ସମବାୟ ସମତି କାର୍ଯ୍ୟ ଅନୁଧ୍ୟାନ ସହ ଶାଖାର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନା ପାଇଁ ଶାଖା ପରିଚାଳକ ନଥିବାରୁ ସଂପୃକ୍ତ ଶାଖା ଅଚଳ ହୋଇପଡିଛି । ଏକବର୍ଷରୁ କମ ସମୟ ଧରି ଶାଖା ପରିଚାଳକ ଭାବେ କାର୍ଯ୍ୟକରି ଶ୍ରୀ ସାହୁ ବଦଳି ହୋଇଥିଲେ । ଏଥିପୂର୍ବରୁ ଏହି ଶାଖାରେ କାର୍ଯ୍ୟ କରିଥିବା ଓ ଏବେ ଭଦ୍ରକ ଶାଖାରେ କାର୍ଯ୍ୟରତ ଧନୁର୍ଦ୍ଧର ସାହୁଙ୍କୁ ନୂତନ ଭାବେ ଶାଖା ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ସମବାୟ ସମିତିର ସଭାପତିମାନେ ତାଙ୍କର ପୂର୍ବକାର୍ଯ୍ୟଧାରା ଆଧାରରେ ବିରୋଧ କରିବାରୁ ସେ ଯୋଗ ଦେଇ ପାରିନଥିଲେ । ବିଚିତ୍ରାନନ୍ଦ ସାହୁ ଆଗରପଡାରେ ଯୋଗଦେବା ଓ ଧନୁର୍ଦ୍ଧର ସାହୁ ଯୋଗନଦେଇ ପାରିବା ଯୋଗୁଁ ଶାଖା ପରିଚାଳକ ପଦ ଖାଲି ପଡିଛି । ଏ ସମ୍ପର୍କରେ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକଙ୍କୁ ଗତ ଶୁକ୍ରବାର ସାକ୍ଷାତ କରି ସମସ୍ତ ଘଟଣା ଅବଗତ କରାଇଥିଲେ । ମଙ୍ଗଳବାର ସୁଦ୍ଧା ବିକଳ୍ପ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ମିଳିଥିଲା । ସମବାୟ ବ୍ୟାଙ୍କ କର୍ମଚାରୀ ୟୁନିଅନ ପକ୍ଷରୁ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଙ୍ଗଳବାର ଏଥିନେଇ ଅବଗତ କରାଯାଇ ଆଶୁ ପଦକ୍ଷେପ ନେବାକୁ କୁହାଯାଇଥିଲା । ବ୍ୟାଙ୍କ କତ୍ତୃପକ୍ଷ ଏ ସମ୍ପର୍କରେ ନିଷ୍ପତ୍ତି ଅବିଳମ୍ବେ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.