Home ଜିଲ୍ଲା ପରିକ୍ରମା ସବୁଠି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ: ବାଲେଶ୍ୱରରେ ଶାନ୍ତିଶୃଙ୍ଖଳାରେ ୧୨ ଘଣ୍ଟିଆ ବନ୍ଦ

ସବୁଠି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ: ବାଲେଶ୍ୱରରେ ଶାନ୍ତିଶୃଙ୍ଖଳାରେ ୧୨ ଘଣ୍ଟିଆ ବନ୍ଦ

26

ବାଲେଶ୍ୱର, ୨୬ା୩ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷିଆଇନ ପ୍ରତ୍ୟାହାର ଦାବି ଆନ୍ଦୋଳନ ସମର୍ଥନରେ ସଂଯୁକ୍ତ କଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଶୁକ୍ରବାର ସମଗ୍ର ଦେଶରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି। ବାଲେଶ୍ୱରରେ ପ୍ରାୟ ୧୦ଟି କୃଷକ ସଂଗଠନ ସହ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳାର ସହିତ ବନ୍ଦ ପାଳନ କରାଯାଇଥିଲା। ସକାଳେ ଆନ୍ଦୋଳନକାରୀମାନେ କୋଲକାତା ଯାଉଥିବା ବାଘାଯତୀନ ଏକ୍ସପ୍ରେସ ଟ୍ରେନକୁ ଦୀର୍ଘ ସମୟ ଧରି ବାଲେଶ୍ୱର ଷ୍ଟେସନରେ ଅଟକାଇ ରଖିଥିଲେ। ସେହିପରି ଜିଲାର ଅନ୍ୟାନ୍ୟ ଷ୍ଟେସନରେ ମଧ୍ୟ ବିକ୍ଷୋଭକାରୀମାନେ ଏକାଧିକ ଟ୍ରେନ ଅଟକାଇଥିଲେ। ସେହିଭଳି ବସ, ଟ୍ରେକର ପ୍ରଭୃତି ଚଳାଚଳ ବନ୍ଦ ରହିବା ଯୋଗୁଁ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନେ ଏକାଧିକ ଟିମରେ ବିଭକ୍ତ ହୋଇ ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଦୋକାନ ବଜାର ବନ୍ଦ କରିଥିଲେ। କୃଷକ ନେତା ଅରୁଣ ଜେନା, ସିପିଆଇଏମ ଜିଲ୍ଲା ସମ୍ପାଦକ ଶିଶିର ହୁଇ, ଗୌରାଙ୍ଗ ପାଣିଗ୍ରାହୀ, ଯତୀନ ପାତ୍ର, ଭାଗବତ ପ୍ରତିହାରୀ, ନିକୁଞ୍ଜ ବସନ୍ତ ରାୟ, ଶ୍ୟାମସୁନ୍ଦର ଜେନା, ଈଷାଣୀ ଷଡଙ୍ଗୀ, କଳ୍ପନା ବିଶ୍ୱାସ, ମୃତ୍ୟୁଞ୍ଜୟ ରାଉତ, ଜିଲା କଂଗ୍ରେସ ସଭାପତି ସଞ୍ଜିବ ଗିରି, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଗୋପୀନାଥ ପାଢୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ସର୍ବେଶ୍ୱର ମିଶ୍ର, ଦେବଦତ୍ତ ଦାସ, ବିକାଶ ଦାସ, ଜ୍ୟୋତ୍ସ୍ନା ସେନାପତି, ଜୀବନ ମହାପାତ୍ର ପ୍ରମୁଖ ନେତାଙ୍କ ନେତୃତ୍ୱରେ ଭାରତ ବନ୍ଦକୁ ବାଲେଶ୍ୱରରେ ସଫଳ କରିବାକୁ ଉଦ୍ୟମ ଜାରି ରଖାଯାଇଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତିବାଦ ଜଣାଇବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଆନ୍ଦୋଳନକାରୀ ଦାବି କରିଥିଲେ।ଚୃଷି ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରଦାନ ପାଇଁ ଆଇନ ପ୍ରଣୟନ, ଦିଲୀରେ ଗିରଫ ହୋଇଥିବା ଆନ୍ଦୋଳନକାରୀ କୃଷକଙ୍କୁ ମିଥ୍ୟା ମୋକଦ୍ଦମାରୁ ମୁକ୍ତ କରିବା ଓ ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧି ନୀତିକୁ ବାତିଲ ପାଇଁ ନେତାମାନେ ଦାବି କରିଥିଲେ। ନରେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧୀ ଓ କର୍ପୋରେଟ ତୋଷଣ ନୀତିକୁ ଦୃଢ଼ ସମାଲୋଚନା କରି ଦେଶର ଅନ୍ନଦାତାମାନଙ୍କ ଦାବି ଓ ଆନ୍ଦୋଳନକୁ ସମସ୍ତ ବର୍ଗର ଜନଗଣ ସମର୍ଥନ ଜଣାଇବାକୁ ନେତାମାନେ ନିବେଦନ କରିଥିଲେ। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ପିକେଟିଂ ସହ ସରକାରୀ ଅଫିସ ଓ ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ କରିଥିଲେ। ତେବେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିବା ବେଳେ ବହୁ ସରକାରୀ ଅଫିସର କାର୍ଯ୍ୟ ସ୍ୱାଭାବିକ ଚାଲିଥିବା ଦେଖିବାକୁ ମିଳିଥିଲା। ମୋଟ ଉପରେ ବାଲେଶ୍ୱରରେ ବନ୍ଦ ପାଳନର ମିଶ୍ରିତ ପ୍ରଭାବ ପରିଲକ୍ଷିତ ହୋଇଥିଲା। ବନ୍ଦ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପକ୍ଷରୁ ବିହିତ ପଦକ୍ଷେପ ନିଆଯଇଥିଲା। ସହରର ବହୁ ସ୍ଥାନରେ ପୁଲିସ ମୁତୟନ କରାଯାଇଥିବା ବେଳେ ଏକାଧିକ ପାଟ୍ରୋଲିଂ ଗାଡ଼ି ସହର ମଧ୍ୟରେ ବୁଲିବା ସହିତ ପରିସ୍ଥିତି ଅନୁଧ୍ୟାନ କରିଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହୋଇଥିବା ବନ୍ଦ ପାଳନ ବେଳେ ବାଲେଶ୍ୱରରେ ଆପାତତଃ ସେଭଳି ଅଭାବନୀୟ ଘଟଣା ଘଟି ନଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.