Home ଜିଲ୍ଲା ପରିକ୍ରମା ସପିଂ ମଲ୍ ପାଖରେ ବନ୍ଧାପଡିଛି ଜିଲା ପ୍ରଶାସନ

ସପିଂ ମଲ୍ ପାଖରେ ବନ୍ଧାପଡିଛି ଜିଲା ପ୍ରଶାସନ

86

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ଧରି କୋଭିଡ୍‌-୧୯ କୁ ଆଖିରେ ସମଗ୍ର ଓଡ଼ିଶାରେ ୨ ଦିନ କଡା କଡି ଭାବରେ ସଟଡାଉନ୍ କଟକଣା ଜାରି ରହିଥିବା ବେଳେ ବାକି ୫ ଦିନ ଲକଡାଉନ୍ ଜାରି ରହିଛି । ଆଜି ଭଦ୍ରକ ଜିଲା ପ୍ରଶାସନର ସ୍ୱତନ୍ତ୍ର ଏନ୍‌ଫର୍ସମେଣ୍ଟ ଟିମ୍ ଓ ପୁଲିସ୍ ମିଳିତ ଭାବେ ଚଢଉ କରି ସହର ଭିତରେ ଥିବା ଏମ୍ ବଜାର ଓ ରିଲାଏନ୍ସ ସ୍ମାର୍ଟକୁ ସିଲ୍ କରିଥିଲା । ସାମାଜିକ ଦୂରତ୍ୱ, ଅନେକ କର୍ମଚାରୀ ଓ ଗ୍ରାହକ ମାସ୍କ ପିନ୍ଧି ନଥିବାରୁ ଏହି ଦୁଇ ଦୋକାନ ସିଲ୍ କରାଯାଇଥିବା ଉପଜିଲାପାଳ କହିଛନ୍ତି । ରଜ ଆସୁଥିବା ଦୃଷ୍ଟିରୁ କେତେକ ନିର୍ଦ୍ଦିଷ୍ଟ ଦୋକାନ ଖୋଲାଯିବା ପାଇଁ ଅନୁମତି ଦିଆଯାଇଥିବାବେଳେ ଦୋକାନ ବାହାରେ ଓ ଦୋକାନ ଭିତରେ ଆବଶ୍ୟକୀୟ ସାମାଜିକ ଦୂରତା ଓ ମାକ୍ସ ବାଧ୍ୟତାମୂଳକ କରାଯାଇଛି । ଆଶ୍ଚର୍ଯ୍ୟର ଘଟଣା ମଲ୍ ସିଲ୍ ହେବା ପରେ ଗ୍ରାହକମାନେ ନିରାଶରେ ଫେରିଯିବାର ପ୍ରାୟଃ ଅଧଘଣ୍ଟା ପରେ ସିଲ୍ ହୋଇଥିବା ମଲ୍ ପୁନର୍ବାର ଖୋଲିଥିଲା । ଶୁଣାଯାଉଛି, ଆବଶ୍ୟକୀୟ ଜରିମାନା ପୈଠ କରି ମଲ୍ ଖୋଲାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି, ମଲ୍ ପରି ଏକ ବିରାଟ ବ୍ୟବସାୟ ପ୍ରତିଷ୍ଠାନର ବିକ୍ରି ଜନିତ ଲାଭ ତୁଳନାରେ ଏହି ଜରିମାନା ବିଶେଷ କୌଣସି ଫରକ ପକାଇବାର ସମ୍ଭାବନା ନାହିଁ । ତେଣୁ ବ୍ୟବସାୟିକ ବୃଦ୍ଦି ଖଟାଇ ପ୍ରଶାସନିକ କଟକଣାକୁ ବେଖାତିର କରି ମଲ୍ ଖୋଲାଯାଇଥିବାବେଳେ ତାଙ୍କୁ ପ୍ରଶାସନ ତରଫରୁ ଯେଉଁ ମିଳିତ ଟିମ୍ ଯାଇ ସିଲ୍ କରିଥିଳେ ଓ ପୁନଶ୍ଚ ଖୋଲିବା ପାଇଁ ଅନୁମତି ଦେଇଥିଲେ, ଏହା ପଛର ରହସ୍ୟ କଣ! ସାଧାରଣ ଛୋଟ ଦୋକାନଟିଏକୁ ସିଲ୍ କରିବା ପରେ ସହସା ପୁଣି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥାନ୍ତା କି? ଦୋକାନ ହେଉ ବା ମଲ୍ ଖୋଲିବା ପାଇଁ ଜରିମାନା ପୈଠ ପରେ ଯଦି ଅନୁମତି ମିଳିପାରିବ, ତେବେ ଦୋକାନ ସିଲ୍ କରିବାର ମାନେ କଣ! କମ୍ ସେ କମ୍ ଗୋଟିଏ ଦିନ ଏହାକୁ ସିଲ୍ କରାଯିବା ପରେ ବନ୍ଦ ରଖିଥିଲେ କରୋନା ଜନିତ କଟକଣା ଅମାନ୍ୟର ନୈତିକ ଓ ଅର୍ଥନୈତିକ ଦଣ୍ଡ ବୋଲି ପ୍ରଭାବ ପକାଇ ପାରିଥାନ୍ତା ଓ ସେମାନେ ଭବିଷ୍ୟତ ପାଇଁ ସଚେତନ ରହିଥାନ୍ତେ । ରାସ୍ତାଘାଟରେ ମାକ୍ସ ପାଇଁ ଜରିମାନା ଆଦାୟ କରି ଛାଡି ଦେବା ଭିନ୍ନ କଥା ହୋଇଥିବାବେଳେ ଗୋଟାଏ ବ୍ୟବସାୟିକ ପ୍ରତିଷ୍ଠାନ କୁ ଅଧଘଣ୍ଟା ପାଇଁ ସିଲ୍ କରି ପୁଣି ଖୋଲି ତାକୁ ଅନୁମତି ଦେବା ପରି ଘଟଣା ବୁଦ୍ଧିଜୀବୀ ମହଲ ଓ ସାଧାରଣରେ ପ୍ରଶାସନିକ କାର୍ଯ୍ୟକଳାପକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ଘଡିକି ଘଡି ରଙ୍ଗ ବଦଳାଉଥିବା ଏଣ୍ଡୁଅ ପରି ପ୍ରତୀୟମାନ ହେଉଥିବାର ଚର୍ଚ୍ଚା ହେଉଛି । ଏହା ଦ୍ୱାରା ପ୍ରଶାସନିକ ନିର୍ଦ୍ଦେଶକୁ ଅବମାନନା କରି ସାମାଜିକ ଦୂରତ୍ୱା ନରଖିବା ଓ ମାକ୍ସ ନପିନ୍ଧି ଯଦି ମଲ୍ ପରି ଗୋଟିଏ ବଡ ବ୍ୟବସାୟିକ ପ୍ରତିଷ୍ଠାନ ପଇସା ବଳରେ ଲୋକମାନଙ୍କ ସମ୍ଭାବ୍ୟ କରୋନା ସଂକ୍ରମଣ କବଳକୁ ଠେଲି ଦେଇପାରେ ବୋଲି ପ୍ରମାଣିତ ହେଉ ନାହିଁକି? ତେଣୁ, ପ୍ରଶାସନ ଏ ଘଟଣାଟିକୁ ଗୁରୁତର ସହିତ ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.