Home ଜିଲ୍ଲା ପରିକ୍ରମା ବର୍ଷକ ତଳେ ଉତ୍କଳ ସମ୍ମିଳନୀ ପକ୍ଷରୁ ହୋଇଥିବା ଦାବୀ ଆଜି ପୂରଣ ହେଲା : କାନ୍ତକବିଙ୍କ...

ବର୍ଷକ ତଳେ ଉତ୍କଳ ସମ୍ମିଳନୀ ପକ୍ଷରୁ ହୋଇଥିବା ଦାବୀ ଆଜି ପୂରଣ ହେଲା : କାନ୍ତକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୧.୫କୋଟି ମଞ୍ଜୁର

161

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ୍ ଛକରେ କାନ୍ତକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହିତ କାନ୍ତକବିଙ୍କ ସ୍ମୃତିସ୍ମାରକୀ ପ୍ରତିଷ୍ଠା କରାଯିବାକୁ ‘ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖା’ ପକ୍ଷରୁ ଗତବର୍ଷ ଜୁନ ୩ ତାରିଖରେ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଦିଆ ଯାଇଥିବା ଦାବୀ ପୂରଣ ହୋଇଥିବାରୁ ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । କାନ୍ତକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ, କାନ୍ତକବି ଗୋଲେଇ ଓ କାନ୍ତକବି ମାର୍ଗ ପାଇଁ ପୂର୍ବରୁ ବିଭିନ୍ନ ସମୟରେ ଦାବି କରାଯାଇ ଆସୁଥିଲା । ରାଜ୍ୟ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳ ଗଠିତ ହେବାପରେ ସିମୁଳିଆର ଲୋକପ୍ରିୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ଭଦ୍ରକ ଗସ୍ତବେଳେ ବିଜେଡି ଦଳ ପକ୍ଷରୁ ଅନୁଷ୍ଠିତ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ କବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ, କାନ୍ତକବି ଗୋଲେଇ ଓ ମାର୍ଗ ପ୍ରତିଷ୍ଠା ଲାଗି ଉତ୍କଳ ସମ୍ମିଳନୀ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ରର ନକଲ ଭଦ୍ରକ ସାଂସଦ ,ବଂ ଜିଲ୍ଲାର ସମସ୍ତ ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ଏଭଳି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଉତ୍କଳ ସମ୍ମଳନୀ ପକ୍ଷରୁ ବାରମ୍ବାର ତାଙ୍କୁ ସାକ୍ଷାତ କରି ସମ୍ପୃକ୍ତ ପ୍ରସ୍ତାବ ଓ ପଦକ୍ଷେପ ଉପରେ ଆଲୋଚନା କରାଯାଇ ଆସୁଥିଲା । ସାଂସଦ, ବିଧାୟକମାନେ ମଧ୍ୟ ଏ ଦିଗରେ ଆନ୍ତରିକତା ପ୍ରଦର୍ଶନ କରି ମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଥିଲେ । ସୌଭାଗ୍ୟକ୍ରମେ କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବା ପରେ ୧୧ ତାରିଖ, ଗୁରୁବାର ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକରେ ଦେଢ଼କୋଟି ଟଙ୍କା ବ୍ୟୟରେ ଭଦ୍ରକରେ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଓ ସ୍ମାରକୀ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ହୋଇଛି । କାନ୍ତକବି ସଙ୍ଗୀତ ଓ ନାଟକ ଚର୍ଚ୍ଚା କରୁଥିବା ହେତୁ ତାଙ୍କ ଉଦ୍ଦେଶ୍ୟରେ ଏକ ନାଟ୍ୟମଣ୍ଡପ, ପାଠାଗାର ଓ ପାର୍କ ନିର୍ମାଣ ହେବ ବୋଲି ଘୋଷଣା କରାଯାଇ ଜିଲ୍ଲାପାଳଙ୍କୁ ପ୍ରକୃଷ୍ଟ ସ୍ଥାନ ନିରୂପଣ ଲାଗି ଦାୟିତ୍ୱ ଦିଆଯାଇଛି । ଏଥି ସହିତ ଜାଙ୍କ ଜନ୍ମମାଟି ତାଳପଦା ଗ୍ରାମରେ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କେତେକ କାର୍ଯ୍ୟ ନିଆଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ବିଭାଗକୁ ଭଦ୍ରକ ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖାର ସଭାନେତ୍ରୀ ଝରଣା ପଟ୍ଟନାୟକ, ସମ୍ପାଦକ ଅଜୟ ନାୟକଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.