Home ଓଡ଼ିଶା ସଉତୁଣୀ ଆଉ ପୁରୁଣା ପ୍ରେମ ..

ସଉତୁଣୀ ଆଉ ପୁରୁଣା ପ୍ରେମ ..

1156

ଭୁବନେଶ୍ୱର: ଶିବସେନା ଏବଂ ବିଜେଡି ମଧ୍ୟରୁ ବିଜେପିର ଶତୃ କିଏ, ଆଉ କିଏ ମିତ୍ର?ସାଂପ୍ରତିକ ରାଜନୈତିକ ସ୍ଥିତିକୁ ଦେଖି ଏହି ପ୍ରଶ୍ନ ମନରେ ଉଙ୍କି ମାରୁଛି।ବିଜେପି ଏବଂ ଶିବସେନା ମେଣ୍ଟ ବହୁ ପୂରୁଣା।ପ୍ରାୟ ୩୦ ବର୍ଷର ତଳର ସଂପର୍କ ଏମାନଙ୍କର।ଏକା ବିଚାରାଧାରା କିନ୍ତୁ, ତିକ୍ତତା ଅନେକ।ଅନେକ ସମୟରେ ଉଭୟ ଉଭୟଙ୍କୁ ସମାଲୋଚନା କରିଛନ୍ତି।ବିଶେଷତଃ ମେଣ୍ଟରେ ଥାଇ ଶିବସେନା ଅନେକ ସମୟରେ ବିଜେପିକୁ ସମାଲୋଚନା କରିଛି।ବିଜେପିର ଗୋଡ଼ ଟାଣିଛି।ଏବେ ମିଳିତ ଭାବରେ ଲଢ଼ିଥିଲେ ବିଧାନସଭା ନିର୍ବାଚନ।ମହାରାଷ୍ଟ୍ର ଜନତା ଉଭୟଙ୍କ ମେଣ୍ଟକୁ ସରକାର ଗଢ଼ିବା ପାଇଁ ଦେଲା ଭୋଟ।କିନ୍ତୁ ସରକାର ଗଢ଼ିବା ପାଇଁ ଏବେ ଉଭୟଙ୍କର ମନ ମିଳୁନାହିଁ।୨୦୧୪ରେ ଅଲଗା ଅଲଗା ଲଢ଼ିଥିଲେ ନିର୍ବାଚନ।କିନ୍ତୁ, ନିର୍ବାଚନ ପରେ ହୋଇଥିଲା ମେଣ୍ଟ।ମହାରାଷ୍ଟ୍ରରେ ମୁନିସିପାଲିଟି/ଏନଏସି/କର୍ପୋରେଟର ନିର୍ବାଚନ ଗୁଡ଼ିକରେ ମଧ୍ୟ ଉଭୟ ଅଲଗା ଅଲଗା ହୋଇ ପରସ୍ପର ବିରୋଧରେ ଲଢ଼ିଛନ୍ତି।ମେଣ୍ଟରେ ଥାଇ ମଧ୍ୟ ଶିବସେନା ନୋଟବନ୍ଦୀ, ଜିଏସଟି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମୟରେ ବିଜେପି/ଏନଡିଏ ସରକାରକୁ ସମାଲୋଚନା କରିଥିବା ବେଳେ ମେଣ୍ଟ ଧର୍ମ ବିରୋଧରେ ଯାଇ ରାଷ୍ଟ୍ରପତି ନିର୍ବାଚନ ପରି ସମୟରେ ଶିବସେନା ବିଜେପି ପାର୍ଥି ବିରୋଧରେ ଭୋଟ ଦେଇଛି।ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଭା ପାଟିଲଙ୍କୁ ଶିବସେନା ସମର୍ଥନ ଦେବା ପରି ରହିଛି ଉଦାହରଣ।

ଅନ୍ୟ ପକ୍ଷରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ଏବଂ ବିଜେପି ମଧ୍ୟରେ ମେଣ୍ଟ ୨୦୦୯ ନିର୍ବାଚନ ପୂର୍ବରୁ ଭାଙ୍ଗି ସାରିଛି।ଓଡ଼ିଶା ବିଜେପିର ନେତା ସିନା ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଯଥା ଚିତ୍କାର କରୁଛନ୍ତି, କିନ୍ତୁ ମେଣ୍ଟରେ ନଥାଇ ବିଜେପି ଏବଂ ବିଜେଡି ଭିତରେ ଏକ ଅଦୃଶ୍ୟ ମେଣ୍ଟ ରହିଥିବା ପରି ବାରମ୍ବାର ଅନୁଭବ ହେଉଛି।ମେଣ୍ଟ ଭାଙ୍ଗିଯିବା ପରେ ବିଜେଡି ସହ ପୁନଃ ମେଣ୍ଟ କରିବା ପାଇଁ କେନ୍ଦ୍ର ବିଜେପି ବାରମ୍ବାର ନବୀନଙ୍କ ପାଖକୁ ଦୂତ ପଠାଇ ବିଫଳ ହେବା ପରେ ଯାଇ ଏକାକୀ ନିର୍ବାଚନ ଲଢ଼ିଛି।ଓଡ଼ିଶା ବିଜେପି ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ଯାଇ ଓଡ଼ିଶାରେ ଜନମତ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି।ବରଂ ମୋଦିଙ୍କ କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ଓଡ଼ିଶାରେ ନବୀନ ପୂରଣ କରିଛନ୍ତି!ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ମୁଲାୟମ ସିଂ ଯାଦବ, ଅଖିଲେଶ ଯାଦବ କିମ୍ବା ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ, ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଦିଙ୍କୁ ମୋଦୀ, ଶାହା କିମ୍ବା ବିଜେପିର ଅନ୍ୟାନ୍ୟ ତୁଙ୍ଗ ନେତୃତ୍ୱ ଯେଉଁଭଳି ଭାବରେ ଏପରିକି ବ୍ୟକ୍ତିଗତ ସ୍ତରକୁ ଯାଇ ସମାଲୋଚନା, ଆକ୍ଷେପ କରିଛନ୍ତି, ଓଡ଼ିଶାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏମାନେ ସେପରି କେବେ ସମାଲୋଚନା କରି ନାହାଁନ୍ତି।ଏପରିକି ଅନେକ ସମୟରେ ବିଜେପିର ଅନେକ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ନବୀନଙ୍କୁ ପ୍ରଶଂସା କରିଛନ୍ତି।ନବୀନ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ, ଅନୁଛେଦ ୩୭୦ ଉଚ୍ଛେଦ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଦିରେ ବିଜେପିକୁ ସମର୍ଥନ ଦେଇଥିବା ବେଳେ ନୋଟବନ୍ଦୀ, ଜିଏସଟି, ତିନି ତଲାକ୍ ବିଲ୍ ଆଦି ପ୍ରସଙ୍ଗରେ ନବୀନ ଏକ ପ୍ରକାର ମୌନ ସମର୍ଥନ ଜଣାଇଛନ୍ତି।ଏବେ ତ’ ଆଶ୍ଚର୍ଯ୍ୟଜନକ ଭାବରେ ନବୀନଙ୍କ ସମର୍ଥନରେ ବିଜେପିରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ଯାଇ ପାରିଛନ୍ତି!ଉଭୟେ ମେଣ୍ଟରେ ସିନା ନାହାଁନ୍ତି, କିନ୍ତୁ ବୋଧେ ବାଜପେୟୀଙ୍କ ଅମଳର ସେ ପୂରୁଣା ସଂପର୍କର ଭାବ ମନ ଭିତରେ କେଉଁଠି ଲୁଚି ରହିଛି!କିନ୍ତୁ, ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ଥାଇ ଉଭୟ ପରସ୍ପର ବିରୋଧରେ ଅଛନ୍ତି।ତେଣୁ ଏ’ସବୁ ସମ୍ପର୍କକୁ ଦେଖିଲେ ବିଜେପି ସହ ଶିବସେନାର ସଉତୁଣୀ ପରି ସଂପର୍କ ଏବଂ ବିଜେଡି ସହ ପ୍ରଥମ ପ୍ରେମ ବା ପୂରୁଣା ପ୍ରେମ ସଂପର୍କ ଥିବା ପରି ଅନୁଭବ ହେଉଛି।ଦୁଇ ସଉତୁଣୀ ଏକାଠି ଥିଲେ ମଧ୍ୟ କେହି କାହାକୁ ସହନ୍ତି ନାହିଁ।ଆଉ ପୂରୁଣା ପ୍ରେମ ବା ପ୍ରଥମ ପ୍ରେମକୁ ଭୁଲି ହୁଏନା।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.