Home ଜିଲ୍ଲା ପରିକ୍ରମା ସଂପାଦକ ପଦବୀର ଦୂରୁପଯୋଗ, ଜିଲାପାଳଙ୍କ ଶରଣରେ ଗରିବ ଚାଷୀ

ସଂପାଦକ ପଦବୀର ଦୂରୁପଯୋଗ, ଜିଲାପାଳଙ୍କ ଶରଣରେ ଗରିବ ଚାଷୀ

43

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ ବୋଡକ ପଂଚାୟତସ୍ଥିତ ଅଣ୍ଡରାଇ ସେବା ସମବାୟ ସମିତି ସଂପାଦକ ଶେଷଦେବ ପରିଡା ନିଜ କ୍ଷମତାର ଅପବ୍ୟବହାର କରି ସ୍ଥାନୀୟ ଚାଷୀଙ୍କୁ ବିଭିନ୍ନ ଭାବେ ଶୋଷଣ କରୁଥିବାର ଗୁରୁତର ଅଭିଯୋଗ ଆଜି ଜିଲାପାଳଙ୍କ ଠାରେ କରାଯାଇଛି । ଉକ୍ତ ଅଂଚଳର ଚାଷୀ ଭାଗୀରଥି ନାୟକ, ଦିଗମ୍ବର ନାୟକ, ନିତ୍ୟାନନ୍ଦ ପାତ୍ର, ଭାଗୀରଥି ବାରିକ, ମୁକ୍ତିକାନ୍ତ ନାୟକ, ଦୟାନିଧି ନାୟକ, ଅଲେଖ ନାୟକ, ବୁଦ୍ଧିରାମ ମଲ୍ଲିକ, ରାମଚନ୍ଦ୍ର ମହାଳିକ, ମଦନ ମୋହନ ମହାଳିକ ପ୍ରମୁଖ ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଯାଇଥିବା ତଥ୍ୟ ମୂଳେ ଅଣ୍ଡରାଇ ସେବା ସମିତିର ସେମାନେ ନିୟମିତ ଋଣୀ ସଭ୍ୟ ଅଟନ୍ତି । ସେମାନଙ୍କର ପଂଚାୟତ ବର୍ଷାଦିନର ଅଧିକାଂଶ ସମୟରେ ବନ୍ୟା ଯୋଗୁଁ କୃଷିକ୍ଷେତ୍ର ସଂପୂର୍ଣ୍ଣ ନଷ୍ଟ ହୋଇଥାଏ । ଯାହାଦ୍ୱାରା ସେମାନଙ୍କ ଭଳି ଗରିବ ଚାଷୀମାନଙ୍କର ଜୀବନ ଧାରଣର ମାନଦଣ୍ଡ ଭାଙ୍ଗିଯାଏ । ଏଭଳି ବହୁ ପ୍ରତିକୂଳ ଅବସ୍ଥା ସତ୍ୱେ ନିୟମିତ ଋଣୀ ଚାଷୀ କୃଷି ବୀମା (ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା) ରେ ସାମିଲ ହୋଇ ଆବଶ୍ୟକ ବୀମା କିସ୍ତି ଦାଖଲ କରିଆସୁଛନ୍ତି । ତେବେ ସେମାନଙ୍କର ସୌଭାଗ୍ୟ ବଶତଃ ଚଳିତବର୍ଷ ସମବାୟ ସମିତିର କୃଷି ବୀମାର ସୁଫଳ ପାଇବା ଖବର ସେମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଥିଲା । ମାତ୍ର ସମିତିର ସଂପାଦକ ଶେଷଦେବ ପରିଡା ଦୀର୍ଘଦିନ ହେବ ନିଜ ଅଂଚଳରେ ରହି ଚାଷୀମାନଙ୍କର କୃଷି ବୀମାକୁ ବିଭାଗୀୟ ଅଧିକାରୀଙ୍କୁ ହାତଗୁଂଜା ଦେଇ କରାଇଥିବାର ଦାବି କରି ସେମାନଙ୍କୁ କୌଣସି ତଥ୍ୟ ନଦେଇ ନିଜ ଇଚ୍ଛାମତେ କେତେକ ଅସାଧୁ ଲୋକଙ୍କ ମେଣ୍ଟ ଜରିଆରେ ଋଣରୁ ୧୦ ପ୍ରତିଶତ ଭାଗ ବିନା କାଗଜପତ୍ରରେ ଆଦାୟ କରୁଛନ୍ତି । ସଂପାଦକଙ୍କର ଏଭଳି ଚାଷୀ ମାରଣା ନୀତିର ଷଡଯନ୍ତ୍ର ବିରୋଧରେ ଋଣୀ ଚାଷୀମାନେ ଏକ ବୈଠକ ଡକାଇ ତାଙ୍କ କ୍ଷମତାର ଦୂରୁପଯୋଗ ବିଷୟରେ ଦୃଷ୍ଟି ଆକର୍ଷଣ କରିବାରୁ ସେ ବୈଠକକୁ ନଆସି ସେମାନଙ୍କୁ ବିଭିନ୍ନ ଭାବେ ଧମକ ଚମକ ଦେଉଛନ୍ତି । ଇତିମଧ୍ୟରେ ସଂପାଦକଙ୍କ ଅସାଧୁ ମେଣ୍ଟ ମାଧ୍ୟମରେ ଯେଉଁ ଚାଷୀ ଭିତିରିଆ ଉତ୍କୋଚ ଦେଲେ, ସେମାନଙ୍କର ଆକାଉଣ୍ଟକୁ ବୀମାଛାଡ କରାଗଲା ।

କିନ୍ତୁ ଯେଉଁମାନେ ତାଙ୍କର ଶୋଷଣର ହୀନ ମାନସିକତାକୁ ବିରୋଧ କଲେ, ସେମାନଙ୍କ ଆକାଉଣ୍ଟକୁ ତାହା ଛଡାଗଲା ନାହିଁ । ଏହା ବ୍ୟତୀତ ସେ ୧୦୦ କେଜି ଧାନରୁ ୭ କେଜି କାଟିବା, ଅନ୍‌ଲାଇନ୍ ନଥିବା ଚାଷୀ ସୋସାଇଟି ମାଧ୍ୟମରେ ଧାନ ଦେବା, ସୋସାଇଟିର ଅଡିଟ୍ ରିପୋର୍ଟ ସଭ୍ୟମାନଙ୍କୁ ଅବଗତ ନକରିବା, ଜମିନଥିବା ଲୋକଙ୍କୁ ଡବଲ ଋଣ ଦେବା, ସୋସାଇଟିର ନିଜର ଜମି ଥିବା ସତ୍ୱେ ଭିତ୍ତିଭୂମିର ବିକାଶ ନକରି ଧାନମଣ୍ଡି (ଖଳା) ପାଇଁ ଆସିଥିବା ଟଙ୍କାକୁ ହଡପ କରିବା, ସେ ଜଣେ ସ୍ଥାନୀୟ ବାସିନ୍ଦା ହୋଇ ଦୀର୍ଘଦିନ ଧରି ଉକ୍ତ ପଦବୀରେ ରହିବା ଫଳରେ କିଛି ଖଳ ପ୍ରକୃତି ଓ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ନିଜ ସପକ୍ଷରେ ରଖି କୃଷି ଋଣୀମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧାରେ ପକାଇ ଅସାଧୁ ଉପାୟରେ ସେମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିବାରୁ ଏହାର ଏକ ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଚାଷୀମାନେ ଜିଲାପାଳଙ୍କ ଠାରେ ଦାବି କରିଛନ୍ତି । ତେବେ ଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତି ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ । ଏହି ଚାଷୀମାନେ ସେମାନଙ୍କ ଅଭିଯୋଗ ପତ୍ରର ନକଲ ଡିଆରସିସି, ଜିଲାପାଳ, ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ, ରେଜିଷ୍ଟର କୋ-ଅପରେଟିଭ୍ ସୋସାଇଟି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ସଂପାଦକ ୫-ଟି ଓଡ଼ିଶାଙ୍କ ଅବଗତି ନିମନ୍ତେ ପଠାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.