Home ଓଡ଼ିଶା ସଂଘ ଏବଂ କେନ୍ଦ୍ର ବିଜେପି ଲିଙ୍କରେ ବୈଜୟନ୍ତ !

ସଂଘ ଏବଂ କେନ୍ଦ୍ର ବିଜେପି ଲିଙ୍କରେ ବୈଜୟନ୍ତ !

1504

ଓଡ଼ିଶା ବିଜେପିରେ ଆସିବ ଏକ ଝଡ଼,,ଆଉ ଝଡ଼ ଯେବେ ଆସେ ଛୋଟ ଛୋଟ ଗଛର ବିଶେଷ କ୍ଷତି ହୁଏନି,ଟଳି ପଡ଼େ ମହାଦୃମ…
ଭୁବନେଶ୍ୱର;୦୧,ନଭେମ୍ବର:ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସଂଘ(ଆରଏସଏସ) ଏବଂ କେନ୍ଦ୍ର ଭାଜପାର ଲିଙ୍କରେ ଅଛନ୍ତି।ବିଜେଡି ଛାଡ଼ିବା ପରଠାରୁ ବୈଜୟନ୍ତ କେଉଁ ଦଳକୁ ଯିବେ,କି ନିଜେ କୌଣସି ଦଳ ଗଢ଼ିବେ ନେଇ ଆଲୋଚନା ହୋଇଆସୁଛି।ତେବେ ଏ ଆଲୋଚନା ଭିତରେ ବୈଜୟନ୍ତ କହି ସାରିଛନ୍ତି ଯେ ତାଙ୍କର ଆଗାମୀ ରାଜନୈତିକ ପଦକ୍ଷେପ ନେଇ ସେ ନିଜେ ହିଁ ଘୋଷଣା କରିବେ।

ତେବେ ବୈଜୟନ୍ତଙ୍କର ଏ ଘୋଷଣା ବିଳମ୍ବ ହେଉଛି।ବିଜେପିକୁ ଆସିବା କଥା କୁହାଯାଉଛି,କିନ୍ତୁ ଆସୁନାହାଁନ୍ତି।ନୂଆ ଦଳ ବି ଗଢୁନାହାଁନ୍ତି।କୁହାଯାଉଛି,ବୈଜୟନ୍ତ ଯଦି ବି ବିଜେପିକୁ ଆସନ୍ତି ତେବେ ଏଥିରେ ଏ ରାଜ୍ୟ ବିଜେପି ନେତାଙ୍କର କୌଣସି ଭୂମିକା ରହିବ ନାହିଁ।ସେ ସିଧା ସଳଖ ବିଜେପିର କେନ୍ଦ୍ରୀୟ ନେତାଙ୍କ ଯୋଗାଯୋଗରେ ବିଜେପିକୁ ଆସିବେ।ଏମିତିରେ ବୈଜୟନ୍ତଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ବରିଷ୍ଠ କେନ୍ଦ୍ରୀୟ ନେତାଙ୍କ ସହ ଭଲ ସଂପର୍କ ରହିଛି।ତେଣୁ ଆସିବାର ଥିଲେ,ରାଜ୍ୟରେ ଚାଲିଥିବା ‘ମିଶ୍ରଣ ପର୍ବ’ ସହ ବୈଜୟନ୍ତଙ୍କର କୌଣସି ସଂପର୍କ ରହିବ ନାହିଁ।

ଓଡ଼ିଶାରେ ବିଜେପିକୁ କିଏ ଆସିବ କିଏ ଯିବ ସବୁ ନିର୍ଣ୍ଣୟ ଧର୍ମେନ୍ଦ୍ର ପ୍ରଧାନ କରୁଛନ୍ତି।ସବୁ ମିଶ୍ରଣ ପର୍ବ ତାଙ୍କ ଇଙ୍ଗିତରେ ହେଉଛି।ତାଙ୍କ ଇଙ୍ଗିତରେ ମଧ୍ୟ ରାଜ୍ୟ ସଭାପତି କାହାକୁ ଦଳରୁ ନିଷ୍କାସିତ କରିଦେଉଛନ୍ତି ତ’ କାହାକୁ ଅଣଦେଖା,କଣଠେସା କରିଦିଆ ଯାଉଛି।ବିଜୟ ମହାପାତ୍ର,ଦିଲ୍ଲୀପ ରାୟ,ରାମଚନ୍ଦ୍ର ପଣ୍ଡା ଏହାର ଉଦାହରଣ।ସ୍ଥାନୀୟ ନେତା/କାର୍ଯ୍ୟକର୍ତ୍ତାଙ୍କ ବିନା ପରାମର୍ଶରେ ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ହିଁ କାହାକୁ ଦଳରେ ମିଶାଯାଉଛି,ଦାୟିତ୍ୱ ଦିଆ ଯାଉଛି କିମ୍ବା ଟିକେଟ ମଧ୍ୟ ଦିଆଯାଉଛି।ପଦ୍ମଲୋଚନ ପଣ୍ଡା,ପିତାମ୍ବର ଆଚାର୍ଯ୍ୟ,ଉପାସନା ମହାପାତ୍ର ଏବଂ ବିଜେପୁର ପାର୍ଥି ଅଶୋକ ପାଣିଗ୍ରାହୀ ଆଦି ଏହାର ଉଦାହରଣ।ଅର୍ଥାତ୍ ଓଡ଼ିଶା ବିଜେପି ବର୍ତ୍ତମାନ ସଂପୂର୍ଣ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀଭୂତିକ ହୋଇଚାଲିଛି।କିନ୍ତୁ ସେ ଯେ ବୈଜୟନ୍ତ!ଓଡ଼ିଶା ରାଜନୀତିରେ ସେ ଜଣେ ପ୍ରତିଭାବାନ ରାଜନେତା।ସେ କ’ଣ ଏପରି ଜଣଙ୍କୁ ଆନୁଗତ୍ୟ ଦେଖାଇ ଦଳକୁ ଆସିପାରିବେ?

ବୈଜୟନ୍ତଙ୍କର ମୋଦୀ ଏବଂ ଅନ୍ୟାନ୍ୟ କେନ୍ଦ୍ର ନେତୃତ୍ୱଙ୍କ ସହ ଭଲ ସଂପର୍କ କଥା ସମସ୍ତଙ୍କୁ ଜଣା।ମୋଦୀ ଏବଂ ବିଜେପିକୁ ସେ ଅନେକ କଥାରେ ପ୍ରଶଂସା କରିସାରିଛନ୍ତି।ବିଜେଡି ବି ଏନେଇ ସେତେବେଳେ ଅଭିଯୋଗ ଉଠାଇ ସାରିଛି।କଂଗ୍ରେସ ଯେତେବେଳେ ସଂସଦ ଚଲାଇ ଦେଲାନି,ସେତେବେଳେ ମୋଦୀ ସେତିକି ଦିନର ଦରମା ଫେରାଇ ଦେବାକୁ ନିଜ ସାଂସଦମାନଙ୍କୁ ଆହ୍ୱାନ କରିଥିଲେ।ବୈଜୟନ୍ତ ସେତେବେଳେ ନିଜ ଦରମା ଫେରାଇ ଦେବାର ନିଷ୍ପତି ନେଇଥିଲେ।ଏମିତିରେ ମୋଦୀ ମଧ୍ୟ ବୈଜୟନ୍ତଙ୍କୁ ପ୍ରଶଂସା କରିସାରିଛନ୍ତି।ବୈଜୟନ୍ତଙ୍କ ପିତା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ଏକ ଲମ୍ବା ଚଉଡ଼ା ଶୋକ ବାର୍ତ୍ତା ମଧ୍ୟ ପଠାଇଛନ୍ତି।ବୈଜୟନ୍ତଙ୍କ ପିତାଙ୍କ ଦେହାନ୍ତ ସମୟରେ ବିଜେପିର ରାଷ୍ଟ୍ରୀୟ ମହା ସଚିବ ରାମ ମାଧବ ଆସିଥିଲେ ଓଡ଼ିଶା।କେତେବେଳେ ଆସିଲେ କେତେବେଳେ ଗଲେ କେହି ଜାଣି ପାରିଲେନି।ସେ କେବଳ ବୈଜୟନ୍ତଙ୍କ ଘରକୁ ଆସି ବୈଜୟନ୍ତଙ୍କୁ ସାକ୍ଷାତ କରି ସ୍ବର୍ଗତ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଫେରିଗଲେ।ରାଜ୍ୟ ବିଜେପିର କୌଣସି ବି ନେତା ଏହାର ଟେର ପାଇଲେନି।

ତେବେ ଏହା ସହ ବୈଜୟନ୍ତ ଏବେ ଅହରହ କୌଣସି ନାଁ କୌଣସି ପ୍ଲାଟଫର୍ମରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସମ୍ପର୍କରେ ରହୁଛନ୍ତି।ଏପରିକି ସଂଘ(ଆରଏସଏସ) ସମ୍ପର୍କରେ ମଧ୍ୟ ରହୁଛନ୍ତି।ନିକଟରେ ସଂଘ ମୁଖ୍ୟାଳୟ ନାଗପୁରରେ ସଙ୍ଘର ଚାଲିଥିବା ଶିବିରକୁ ବୈଜୟନ୍ତ ଯାଇଥିଲେ।ପ୍ରଥମ ଦିନ ଯାଇଥିଲେ ଏବଂ ଦୂତୀୟ ଦିନ ସଂଘ କାର୍ଯ୍ୟକ୍ରମର ଲାଇଭ ଟେଲିକାଷ୍ଟ ଦେଖୁଥିଲେ।ଏକ ବାହାର ବ୍ୟକ୍ତି ସଂଘକୁ ଜାଣିବାକୁ ଇଛୁକ ଥିବା ବ୍ୟକ୍ତି ରୂପରେ।ଏହା ନିଜେ ବୈଜୟନ୍ତ ଟ୍ୱିଟ କରି କହିସାରିଛନ୍ତି।ଏହା ସହ ଆରଏସଏସର ସରସଂଘଚାଳକ ମୋହନ ଭାଗବତଙ୍କର ଗାନ୍ଧି, ଡଃ:କଲାମ, କୁରୀୟନ, ନେହେରୁ,କଂଗ୍ରସ ଏପରିକି ବାମପନ୍ଥୀଙ୍କ ପ୍ରତି ସହଯୋଗ,ସମ୍ବିଧାନ ପ୍ରତି ବଚନବଦ୍ଧତା ଏବଂ ସବୁ ଧର୍ମକୁ ସ୍ୱୀକୃତି,ସମ୍ମାନ ଦେବା ଭାବନାକୁ ନେଇ ଅନୁଭବ କରି ବୈଜୟନ୍ତ ତାଙ୍କ ଟ୍ୱିଟରରେ ପ୍ରଶଂସା ମଧ୍ୟ କରିଥିଲେ।

ସେହିପରି ଏବେ ବିଜେପି ନେତାଙ୍କ ଦ୍ୱାରା ଆୟୋଜିତ ବିଭିର୍ଣ୍ଣ କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କୁ ଦେଖିବାକୁ ମିଳୁଛି।ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ସରକାର୍ଯ୍ୟବାହ ଭାୟାଯୀ ଯୋଶୀଙ୍କ ସହ ମଧ୍ୟ ବୈଜୟନ୍ତଙ୍କୁ ଦେଖିବାକୁ ମିଳିଛି।’ଇଣ୍ଡିଆ ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ଇଣ୍ଡିଆ ଆଇଡିଆଲ କନକ୍ଲେଭ -୨୦୧୮ କାର୍ଯ୍ୟକ୍ରମରେ ଏହି ସାକ୍ଷାତ ହୋଇଥିଲା।ବୈଜୟନ୍ତ ଏଠାରେ ‘ରାଷ୍ଟ୍ରୀୟ ଏକତା’ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ଏଥିରେ ରାମ ମାଧବଙ୍କ ସମେତ ଅରୁଣ ଜେଟଲୀ,ନରେଶ ଗୁଜରାଲ,ପବନ ବର୍ମା,ସଜ୍ଜାଦ ଲୋନଙ୍କ ସମେତ ଅନେକ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ବୈଜୟନ୍ତ ଆରଏସଏସର ସରକାର୍ଯ୍ୟବାହ(ସାଧାରଣ ସମ୍ପାଦକ) ସୁରେଶ(ଭୈୟାଜୀ)ଯୋଶୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ‘ସ୍ଵରାଜ୍ୟ’ ପତ୍ରିକା ପକ୍ଷରୁ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଶ୍ରେଷ୍ଠ ରାଜନେତା ସମ୍ମାନ ଦିଆଯାଇଥିଲା।ସୂଚନାଯୋଗ୍ୟ ଦୁଇ ବର୍ଷ ତଳେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।

କେବଳ ଯେ ଏତିକି ନୁହେଁ ଯେତେବେଳେ ଜଣେ ଓଡ଼ିଆ ସାଉଦିଆରବରେ ଫସି ଯାଉଛି, ବୈଜୟନ୍ତ ଉଦ୍ୟମ କରି ତାଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରୁଛନ୍ତି।ସେ ଏଥିପାଇଁ କୌଣସି ଭୟା ମିଡିଆ ହୋଇ ଯାଉନାହାଁନ୍ତି।ଏବଂ ଏନେଇ ପରେ ସିଧାସଳଖ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଦେଇ ଟ୍ୱିଟ କରୁଛନ୍ତି।

ଧର୍ମେନ୍ଦ୍ର ଏବେ ରାଜ୍ୟ ବିଜେପିକୁ ନିଜ କବଜାରେ ରଖିଛନ୍ତି।ତାଙ୍କ ବିନା ପତ୍ରଟିଏ ହଲୁନି।ସେ କେବଳ ନିଜ ଅନୁଗତ ମାନଙ୍କୁ ଦଳରେ ଗୁରୁତ୍ୱ ଦେଉଛନ୍ତି,କିମ୍ବା ନିଜ ଯୋଜନାରେ ଅନ୍ୟ ଦଳର ଲୋକଙ୍କୁ ଦଳରେ ମିଶ୍ରଣ କରାଉଛନ୍ତି।ବିଜେପିର ମୂଳ ସଙ୍ଗଠନ ତାଙ୍କ ସାଙ୍ଗରେ ନାହିଁ।ଦଳ ଭିତରେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାମାନେ ନିଜକୁ ଖୁବ୍ ଅସହାୟ ମଣୁଛନ୍ତି।ସଂଘର ଧର୍ମେନ୍ଦ୍ରଙ୍କ ପ୍ରତି ଆଦୌ ଶୁଭ ଦୃଷ୍ଟି ନାହିଁ।ଏ ଭିତରେ ଦଳରେ ସାଙ୍ଗଠନିକ ତଥା ନେତୃତ୍ୱ ପରିବର୍ତ୍ତନ କଥା ବାରମ୍ବାର ଉଠି ପୁଣି ଚାପି ହୋଇଯାଉଛି।ପ୍ରତାପ ଷଢଙ୍ଗୀଙ୍କ ନାମ ସଭାପତି ପାଇଁ ବାରମ୍ବାର ଉଠୁଛି,କିନ୍ତୁ କିଛି ପରିବର୍ତ୍ତନ ହେଉନାହିଁ।ସଂଘ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ସହ ଦଳରେ ଆମୂଳଚୂଳ ପରିବର୍ତ୍ତନ କଥା ଚାହୁଁଥିବା ଆଲୋଚନା ହେଉଛି।କିନ୍ତୁ ସେପରି କିଛି ହେଉନାହିଁ।

ଉତ୍କଳ ଭାରତର ସଭାପତି ଐର ଖାରବେଳ ସ୍ୱାଇଁଙ୍କ କହିବା ଅନୁଯାୟୀ ଗତ ନିର୍ବାଚନରେ ବିଜେପି/ବିଜେଡି ଭିତରେ ମେଣ୍ଟ ଥିଲା।ତାହା ସାଧାରଣ ଲୋକଙ୍କୁ ଦୃଶ୍ୟମାନ ହେଉନଥିଲା।କିନ୍ତୁ ଏକ ଅଘୋଷିତ/ଅଦୃଶ୍ୟ ମେଣ୍ଟ ଥିଲା।ମୋଦୀ ଏବଂ ଶାହା ନବୀନଙ୍କୁ ସେପରି କେବେ ଆକ୍ଷେପ କରି ନକହିବା ଏବଂ ରାଷ୍ଟ୍ରପତି,ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ,ଜିଏସଟି,ନୋଟବନ୍ଦୀ ଆଦି ମୁଖ୍ୟ ପ୍ରସଙ୍ଗ ଗୁଡିକରେ ବିଜେଡି ବିଜେପିକୁ ସମର୍ଥନ ଦେବା ତାର ଉଦାହରଣ।ତେବେ ଏଥିରୁ ଲାଗୁଛି ତାର ପୁନରାବୃତ୍ତି ଘଟିବା ଆଶଙ୍କାରେ ହୁଏତ ବୈଜୟନ୍ତ ବିଳମ୍ବ କରି ପାରୁଥାଇ ପାରନ୍ତି।ଦିଲ୍ଲୀପ ରାୟ,ବିଜୟ ମହାପାତ୍ର ସନ୍ଦେହରେ ରହୁଛନ୍ତି।

ସଂଘର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଓଡ଼ିଶା ବିଜେପିରେ ଏକ ଝଡ଼ ଆସିବ।ଏବଂ ଝଡ଼ ଯେବେ ଆସେ,ଛୋଟ ଛୋଟ ଗଛ ଗୁଡ଼ିକର ବିଶେଷ କ୍ଷତି ହୁଏ ନାହିଁ।ଟଳି ପଡ଼େ ମହାଦୃମ।ମହାଦୃମ ସବୁ ଯେ କିଏ,ଆଉ କହିବାର ଆବଶ୍ୟକ ନାହିଁ।ସେହିପରି ରାଜସ୍ଥାନ,ମଧ୍ୟପ୍ରଦେଶ ଆଦି ସ୍ଥାନରେ ସଂଘ ଅନେକ ପୁରୁଖା ତଥା ନିର୍ବାଚିତ ନେତାଙ୍କର ଟିକେଟ କାଟିବା ପାଇଁ ପରାମର୍ଶ ଦେଇଛି।ଓଡ଼ିଶାରେ ତ’ ପରାଜିତ ମାନେ ଆଶାୟୀ।ସେମାନଙ୍କର ଅବସ୍ଥା କ’ଣ ହେବ?

ଏ ଭିତରେ ଅନୁମାନ କରାଯାଉଛି ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ଛତିଶଗଡ଼ ଆଦି ରାଜ୍ୟର ନିର୍ବାଚନ ସରିବା ପରେ ଓଡ଼ିଶା ଆଡ଼କୁ ଦୃଷ୍ଟି ନିକ୍ଷେପ ହେବ।ଏବଂ ପରିବର୍ତ୍ତନ ହେବ।ମୂଳ ସଙ୍ଗଠନର ନେତା/କାର୍ଯ୍ୟକର୍ତ୍ତାଙ୍କୁ ଗୁରୁତ୍ୱ ଦିଆଯିବ।ଏବଂ ହୁଏତ ଦିଲ୍ଲୀପ ରାୟ,ବିଜୟ ମହାପାତ୍ର,ଐର ଖାରବେଳ ସ୍ୱାଇଁ ଆଦିଙ୍କ ପରି ଅନେକ ହେଭିୱେଟ ନେତା ସକ୍ରିୟ ଭୂମିକା ନେଇ ପାରନ୍ତି।ବିଜେଡି ଭିତରୁ କିଛି ପ୍ରତିପତି ନେତା ବିଜେପିକୁ ଚାଲି ଆସିପାରନ୍ତି।ଏବଂ ପ୍ରତାପ ଷଡ଼ଙ୍ଗୀ,ବୈଜୟନ୍ତ ପଣ୍ଡା ଗୁରୁ ଦାୟିତ୍ୱ ନେବା ସହ ସଙ୍ଗଠନ ଢାଞ୍ଚାରେ ବିଜେପି ବିଜେଡି ଏବଂ କଂଗ୍ରେସ ବିରୋଧରେ ଏକ ନିର୍ଣ୍ଣାୟକ ନିର୍ବାଚନ ଲଢ଼ିପାରେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.