Home ଜିଲ୍ଲା ପରିକ୍ରମା ସଂଗୀତା ମୋଟର୍ସ ମ୍ୟାନେଜର ଆତ୍ମହତ୍ୟା ମାମଲା : ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ :...

ସଂଗୀତା ମୋଟର୍ସ ମ୍ୟାନେଜର ଆତ୍ମହତ୍ୟା ମାମଲା : ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ : ୭୨ ଘଂଟା ମଧ୍ୟରେ ଗିରଫ କରା ନ ଗଲେ ଏସ୍‌ପି ଅଫିସ ସମ୍ମୁଖରେ ଧାରଣା – କଂଗ୍ରେସ

92

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ ସଂଗୀତା ମୋଟର୍ସ ମ୍ୟାଜରଙ୍କ ଆତ୍ମହତ୍ୟା ମାମଲା ଭଦ୍ରକ ସହରର ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପର୍ଯ୍ୟସ୍ତ ହୋଇ ପଡିଛି ତାହା ପ୍ରମାଣିତ କରିଛି । ଘଟଣା ଘଟିବାର ୩ ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଶାହାଙ୍କୁ ଏଯାଏଁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ମାମଲା କେବଳ ଏକ ଆତ୍ମହତ୍ୟା ଘଟଣା ନୁହେଁ, ବରଂ ଏହା ଏକ ପ୍ରକାର ହତ୍ୟା । କାରଣ ମୃତ ମ୍ୟାନେଜର ନିଜର ସୁଇସାଇଡ ନୋଟରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ତାଙ୍କର ମୃତ୍ୟୁ ପାଇଁ ମାଲିକ୍ ଚନ୍ଦନ ଶାହା ଦାୟୀ ଏବଂ ଚନ୍ଦନ ଶାହାଙ୍କ ନିର୍ଦ୍ଦେଶରେ ତାଙ୍କୁ ନାନା ପ୍ରକାର ଶାରୀରିକ ଏବଂ ମାନସିକ ନିର୍ଯାତନା ମଧ୍ୟ ଦିଆଯାଉଥିଲା । ଏଭଳି ସଂଗୀନ ଅଭିଯୋଗ ଏବଂ ସୁଇସାଇଡ ନୋଟ୍‌ରେ ପ୍ରମାଣ ପାଇବା ପରେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ ନ କରିବା ପଛରେ ବିପୁଳ ଅର୍ଥ ଏବଂ ରାଜନୈତିକ ଚାପ ଦାୟୀ ବୋଲି ଭଦ୍ରକ କଂଗ୍ରେସ ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ଅଭିଯୋଗ ହୋଇଛି । ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତିତ୍ୱ କରି କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ଭଦ୍ରକରେ ବଢି ଚାଲିଥିବା ଅପରାଧୀକରଣ ପଛରେ ବିହାରୀ କ୍ରିମିନାଲଙ୍କ ଏକ ନେଟୱାର୍କ କାର୍ଯ୍ୟ କରୁଛି ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ମିଡିଆ କମିଟି ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଥିଲେ ଯେ ଏ ଘଟଣା କେବଳ ଏକ ଆତ୍ମହତ୍ୟା ଘଟଣା ନୁହେଁ, ଏହା ପଛରେ ଭଦ୍ରକ ସହରରେ ବୃଦ୍ଧି ପାଉଥିବା ବିହାରୀ କ୍ରିମିନାଲାଇଜେସନର ପୁରା ର‌୍ୟାକେଟର ଚେର ଲମ୍ବିଛି ।

 

 

ସଂଗୀତା ମୋଟର୍ସ ମାଲିକ ଚନ୍ଦନ ଶାହାଙ୍କର ପାରିବାରିକ ସଂପର୍କୀୟ ଶ୍ୟାମସୁନ୍ଦର ଗୁପ୍ତାଙ୍କର ଅପରାଧିକ କାର୍ଯ୍ୟକଳାପର କ୍ରାଇମ୍‌ବ୍ରାଂଚ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ସହରରେ ଏମାନଙ୍କର ପ୍ରୋତ୍ସାହନରେ ବିହାରୀ କ୍ରିମିନାଲଙ୍କର ନେଟୱାର୍କ ଲମ୍ବିବାରେ ଲାଗିଛି ଅଥଚ ପୁଲିସ ପ୍ରଶାସନ ଚୁପ ବସିଛି । ଭଦ୍ରକ ସହରରେ ଅଳ୍ପ ଦିନରେ ଶାହା-ଗୁପ୍ତା ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ପାଇବା ପଛର କାରଣ କଣ ଏହାର ପୁରା ତଦନ୍ତ କ୍ରାଇମବ୍ରାଂଚ କଲେ ସତ୍ୟାସତ୍ୟ ସାମ୍‌ନାକୁ ଆସିବ ବୋଲି କଂଗ୍ରେସ ଦାବି କରିଛି । ୨୦୦୭ ମସିହାରେ ଏଲ୍‌ଆଇସି ଅଫିସ ଗୁଳିକାଣ୍ଡ ଘଟଣା ବିହାରୀ ଅପରାଧୀଙ୍କର ବୋଲି ପ୍ରମାଣିତ ହୋଇ ସାରିଛି । ଶାହା-ଗୁପ୍ତାଙ୍କ ଯୌଥ ଉଦ୍ୟୋଗର ପଛରେ ପୁଲିସ-କ୍ରିମିନାଲ ନେକ୍ସସ ଦାୟୀ ବୋଲି ସତ୍ୟ ନାୟକ କହିଛନ୍ତି । ଭଦ୍ରକରେ ଦେଶୀ ମଦ ଓ ଡ୍ରଗ୍ସ କାରବାର ପଛରେ କିଏ ତାହାର ଲିଙ୍କ ପୁଲିସ ଖୋଳତାଡ କରୁ ବୋଲି କଂଗ୍ରେସ ଦାବି କରିଛି । ବିହାରର ବହୁ ୱାଂଟେଡ କ୍ରିମିନାଲ ଏବେ ଭଦ୍ରକରେ କାୟା ବିସ୍ତାର କରୁଛନ୍ତି । ଯାହା କି ଆଗାମୀ ଦିନରେ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ । ଏହି ବିହାରୀ କ୍ରିମିନାଲ ଲିଙ୍କର ତଦନ୍ତ ପୁଲିସ ତୁରନ୍ତ କରିବା ଜରୁରୀ ବୋଲି କଂଗ୍ରେସ ପକ୍ଷରୁ କୁୁହାଯାଇଛି । ଏଥି ସହିତ ୭୨ ଘଂଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରା ନଗଲେ କଂଗ୍ରେସ ଭଦ୍ରକ ଏସ୍‌ପି ଅଫିସ ସମ୍ମୁଖରେ ଧାରଣା ଦେବ ବୋଲି ସମ୍ମିଳନୀରେ ଚେତାବନୀ ଦିଆ ଯାଇଛି । ଏହି ସମ୍ମିଳନୀରେ ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ପୂର୍ବତନ କାଉନସିଲର ଦିଲିପ ନାୟକ, ଟାଉନ ସଭାପତି ଅବଦୁଲ ମୁକିତ ଖାଁ, ପୀତବାସ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.