Home ଓଡ଼ିଶା ସଂକଟରେ ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ସାମୁଦ୍ରିକ ଜୀବ ଗବେଷଣା ପ୍ରତିଷ୍ଠା ଦାବି

ସଂକଟରେ ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ସାମୁଦ୍ରିକ ଜୀବ ଗବେଷଣା ପ୍ରତିଷ୍ଠା ଦାବି

173

ବାଲେଶ୍ୱର, ୨୦ା୭(ଓଡ଼ିଆ ପୁଅ/ଅଭୟ ଦାସ): ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଧ୍ୟାନଦେବାକୁ ବାଲେଶ୍ୱରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଆଜି ଆୟୋଜିତ ଏକ ବୈଠକରେ ଏହି ଦାବି କରାଯାଇଛି। ନୀଳରକ୍ତ କଙ୍କଡ଼ା ଉପରେ ବିଦେଶରେ ବହୁ ଗବେଷଣା ଓ ଗବେଷଣାଲବ୍ଧ ଜ୍ଞାନକୁ ଉପଯୋଗ କରି ସ୍ୱାସ୍ଥ୍ୟସେବା ଦିଗରେ ବିନିଯୋଗ କରାଯାଉଥିବା ବେଳେ ଆମରାଜ୍ୟ ଓ ଆମ ଦେଶରେ ସରକାରୀ ପ୍ରୋତ୍ସାହନ ଅଭାବରୁ ଅଧିକ କିଛି କରାଯାଇ ପାରିନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଗତ କିଛିବର୍ଷ ପୂର୍ବରୁ ଏହି ବିରଳ ପ୍ରଜାତି କଙ୍କଡ଼ାର ବଂଶବୃଦ୍ଧି ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ତାହା ଏବେ ବନ୍ଦ ହୋଇଯାଇଛି। ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରଠାରୁ ତାଳସାରି ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ଏହି କଙ୍କଡ଼ା ପ୍ରାୟ ପ୍ରତିମାସର ଅମାବାସ୍ୟା ଓ ପୂର୍ଣ୍ଣିମା ସମୟରେ ଦେଖାଯାଆନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଆ ନଯିବାରୁ ସ୍ଥାନୀୟ ପଶୁପକ୍ଷୀ ଓ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ି ମୃତ୍ୟୁବରଣ କରୁଛନ୍ତି। ନୀଳରକ୍ତ କଙ୍କଡ଼ା ଉପରେ ଉପାଧ୍ୟୁତ୍ତୋର ଗବେଷଣା କରିଥିବା ଡଃ- ଗୋବିନ୍ଦଚନ୍ଦ୍ର ବିଶ୍ୱାଳ ଓ ଡଃ ସିଦ୍ଧାର୍ଥ ପତି ଏହି ବୈଠକରେ ଯୋଗଦେଇ ନୀଳରକ୍ତ କଙ୍କଡ଼ାରୁ ପ୍ରସ୍ତୁତ ଔଷଧଗୁଡ଼ିକ ମାନବସମାଜ ପାଇଁ କିପରି ଦୁରାରୋଗ ଚିହ୍ନଟ ଓ ଉପଶମରେ ବୈଜ୍ଞାନିକମାନେ ବିଦେଶରେ ସଫଳ ହୋଇଛନ୍ତି ତାହାର ଦୃଷ୍ଟାନ୍ତ ଦେଇଥିଲେ। ଦୀର୍ଘ ଆଲୋଚନା ପରେ ‘ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କମିଟି’ ନାମରେ ଏକ ସଂଗଠନ ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ବାଲେଶ୍ୱର ଏହି ଗବେଷଣାକେନ୍ଦ୍ର ପ୍ରତିଷ୍ଠା ହୋଇ ପାରିଲେ ନୀଳରକ୍ତ କଙ୍କଡ଼ା ସମେତ ଅନ୍ୟାନ୍ୟ ବହୁସାମୁଦ୍ରିକ ଜୀବଙ୍କ ଉପରେ ବୈଜ୍ଞାନିକମାନେ ଗବେଷଣା କରିବାର ସୁଯୋଗ ପାଇବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବାଲେଶ୍ୱରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ଜିଲ୍ଲାର ବିଧାୟକମାନେ ଏଥିପ୍ରତି ଗୁରୁତ୍ୱ ଦେବାକୁ ନିବେଦନ କରାଯାଇଛି। ଏ ସଂପର୍କରେ ଏକ ପରିବର୍ଦ୍ଧିତ ବୈଠକ ଆହ୍ୱାନ କରିବାକୁ ଆବାହକ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ, ଶିଳ୍ପୀ କେଶୁ ଦାସ ଓ ସାମାଜିକ କର୍ମୀ ଗୋବିନ୍ଦ ବଲ୍ଲଭ ଦଳାଇଙ୍କୁ ମନୋନୀତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ା, ମନୋଜ ନାୟକ ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଜିଲ୍ଲା ସଂପାଦକ ଇଂ- କୁମାର କାର୍ତ୍ତିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.