Home ଜିଲ୍ଲା ପରିକ୍ରମା ଷୋଳମପୁର ବୌଦ୍ଧବିହାର; ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

ଷୋଳମପୁର ବୌଦ୍ଧବିହାର; ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

44

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ବୌଦ୍ଧବିହାରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ପତ୍ର ଲେଖି ଅନୁରୋଧ କରିଥିôବା ଜଣାଯାଇଛି । ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ଗବେଷକ ବିଶ୍ୱମ୍ଭର ରାଉତ, ଟ୍ରଷ୍ଟି କମଳାକାନ୍ତ ନାୟକ, ଉମାକାନ୍ତ ନାୟକ, ଉର୍ମିଳା ନାୟକ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ଉପରେ ତତ୍କାଳ ପଦକ୍ଷେପ ନେଇ ଅବହେଳିତ ହୋଇ ପଡିରହିଥିବା ଏହି ଇତିହାସ ପ୍ରସିଦ୍ଧ ଐତିହର ସଂରକ୍ଷଣ, ବିକାଶ ଓ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିବାକୁ ଶ୍ରୀ ପ୍ରଧାନ ଗତ ୨୮ ତାରିଖରେ ପ୍ରେରିତ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାସହ ଏଠାରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ, ବିକ୍ଷିପ୍ତ ହୋଇ ପଡିରହିଥିବା ବିରଳ ବୌଦ୍ଧମୁର୍ତ୍ତିଗୁଡିକର ଉଦ୍ଧାର ଓ ସଂରକ୍ଷଣ, ବୌଦ୍ଧବିହାର ପାଇଁ ଜଣେ ଜଗୁଆଳ ନିଯୁକ୍ତି ଆଦି ପଦକ୍ଷେପ ନେବାକୁ ଅନୁରୋଧ ମଧ୍ୟ ପତ୍ରରେ କରାଯାଇଛି । ଦୀର୍ଘ ଦିନ ଧରି ଅବହେଳିତ ହୋଇପଡିଥିବା ଏହି ବୌଦ୍ଧବିହାରରୁ ବହୁ ବିରଳ ମୂର୍ତ୍ତି ଚୋରି ହୋଇଯାଇଥିବା ବେଳେ ଅସଂଖ୍ୟ ବୁଦ୍ଧମୂର୍ତ୍ତି ଅବହେଳିତ ହୋଇ ପଡିରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୁଦ୍ରକାର ସଂରକ୍ଷଣ ଗୃହ ପାଚେରୀ ନିର୍ମାଣ ଓ ବିଧାୟକ ହାତପାଣ୍ଠିରୁ ଆଲୋକକରଣ କରାଯାଇଛି । ହେଲେ ଚୋରି ମୂର୍ତ୍ତି ଉଦ୍ଧାର କରାଯାଇ ନାହିଁ କି ମୁଖ୍ୟ ଆକର୍ଷଣକାରୀ ବୁଦ୍ଧ ମୂର୍ତ୍ତିଗୁଡିକର ସଂରକ୍ଷଣ, ଉଦ୍ଧାର ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ରାଜ୍ୟ କିମ୍ବା ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଏହି ବୌଦ୍ଧବିହାରକୁ ସ୍ଥାନ ଦିଆଯାଇ ନାହିଁ । ଏବେ କେନ୍ଦ୍ର ମନ୍ତ୍ରୀଙ୍କ ପଦକ୍ଷେପ ଏ ଦିଗରେ ନୂତନ ଆଶା ସଞ୍ଚାର କରିଛି । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ସାହ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.