Home ଜିଲ୍ଲା ପରିକ୍ରମା ବିନା ଟେଣ୍ଡରରେ ଏନ.ସି. ହାଇସ୍କୁଲର ନିର୍ମାଣ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ପୂର୍ତ୍ତ ବିଭାଗ, ଜାଲ୍ ବିଲ...

ବିନା ଟେଣ୍ଡରରେ ଏନ.ସି. ହାଇସ୍କୁଲର ନିର୍ମାଣ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ପୂର୍ତ୍ତ ବିଭାଗ, ଜାଲ୍ ବିଲ କରି ଅର୍ଥ ହଡ଼ପର ଅଭିଯୋଗ ଆଣିଲା କଂଗ୍ରେସ

37

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳର କେତେକ ବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟ ଚାଲିଛି । ବିଶେଷକରି ପୁରୁଣାବଜାର ନାରାୟଣଚନ୍ଦ୍ର ହାଇସ୍କୁଲରେ ଚାଲିଥିବା ନିର୍ମାଣ କାର୍ଯ୍ୟ କିଏ କରୁଛି ଓ କେଉଁ ସରକାରୀ ଗାଇଡଲାଇନ ଅନୁଯାୟୀ ଚାଲିଛି ତାହା କେହି ଜାଣି ପାରୁ ନାହାନ୍ତି । ଏପରିକି ଜିଲ୍ଲା ଶିକ୍ଷା ବିଭାଗର ମୁଖ୍ୟ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅବଗତ ନାହାନ୍ତି । ଏ ସମସ୍ତ କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ବିନା ଟେଣ୍ଡରରେ ଚାଲିଛି ବୋଲି ଜଣାପଡ଼ିବା ପରେ ଆଜି କଂଗ୍ରେସ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାପାତ୍ରଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ କଂଗ୍ରେସ ନେତୃମଣ୍ଡଳୀଙ୍କ ପ୍ରଶ୍ନରେ ବିଭାଗୀୟ ଯନ୍ତ୍ରୀ ଘାବରେଇ ଯାଇଥିଲେ । ସ୍ୱୀକାର କରିଥିଲେ ଯେ ଏହି କାମ ପାଇଁ ଟେଣ୍ଡର ହୋଇ ନାହିଁ । ପରେ ଟେଣ୍ଡର ହେବ । ତେଣୁ ଏପରି ବେଆଇନ ନିର୍ମାଣ କାର୍ଯ୍ୟରେ ଏକ ବଡ଼ ଘୋଟାଲା ହୋଇଥିବାର ସନ୍ଦେହ ପ୍ରକାଶ କରିଛନ୍ତି ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି, ପ୍ରାକ୍ତନ କାଉନସିଲର ଅସରଫ ଅଲ୍ଲୀ ଖାନ, ଦିଲ୍ଲୀପ ନାୟକ, ଅବଦୁଲ ମୁକିଦ ଖାଁ, ରଂଜନ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେଯେ ଆମେ ବିକାଶ ବିରୋଧୀ ନୁହେଁ । ଆମ ବିଦ୍ୟାଳୟର ଉନ୍ନତିକୁ ସ୍ୱାଗତ କରୁଛୁ । କିନ୍ତୁ ସରକାରୀ ନିୟମାନୁଯାୟୀ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଇଏହି ନିର୍ମାଣ କାର୍ଯ୍ୟ କରାଯାଉ ବୋଲି ସେମାନେ ଦାବି କରିଥିଲେ । ସୂଚନା ଅନୁଯାୟୀ ଏବେ ଏନ.ସି. ହାଇସ୍କୁଲରେ କେତେକ ନିର୍ମାଣ କାର୍ଯ୍ୟ ଚାଲିଛି ।

ସେଠାରେ ନିର୍ମାଣ କାର୍ଯ୍ୟକୁ ନେଇ କୌଣସି ସୂଚନା ଫଳକ ନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ, ସାଧାରଣ ଲୋକ, ଅଭିଭାବକମାନେ ମଧ୍ୟ ଏ ବିଷୟରେ ଜାଣି ପାରୁ ନାହାନ୍ତି । ଏହାକୁ ନେଇ ସନ୍ଦେହପ୍ରକଟ କରି ଆଜି ଉପରୋକ୍ତ ନେତୃମଣ୍ଡଳୀ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବେଆଇନ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରି ନିୟମାନୁଯାୟୀ ଟେଣ୍ଡର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସେମାନେ ଦାବି କରିଥିଲେ । କିନ୍ତୁ ବିଭାଗୀୟ ଅଧିକାରୀ ନୂତନ ନିର୍ମାଣ କାର୍ଯ୍ୟକୁ ନେଇ ସନ୍ତୋଷଜନକ ଉତ୍ତର ରଖି ପାରିନଥିବାବେଳେ, ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଏବିଷୟରେ ଜାଣି ନଥିବା କହିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିପରି ନିଜ ବିଦ୍ୟାଳୟ ପରିସରରେ ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ ପ୍ରଶ୍ରୟ ଦେଲେ ତାହାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ପୌରପାଳିକା ପକ୍ଷରୁ ୨୮ଲକ୍ଷ ଟଙ୍କାର ଟେଣ୍ଡର ହୋଇ ଉକ୍ତ ବିଦ୍ୟାଳୟ ପରିସରରେ କେତେକ ନିର୍ମାଣ କାର୍ଯ୍ୟ ଚାଲିଛି । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକୁ ଦର୍ଶାଇ ମିଥ୍ୟା ବିଲ କରାଯିବାର ସମ୍ଭବାନା ମଧ୍ୟ ରହିଛି ବୋଲି ଶ୍ରୀ ମହାନ୍ତି ଓ ଶ୍ରୀ ଖାନ କହିଛନ୍ତି । ଭିଜିଲାନ୍ସ ବିଭାଗ ଏନସି ହାଇସ୍କୁଲ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ହୋଇଥିବା ଅନିୟମିତତା ସମ୍ପର୍କରେ ସ୍ପଷ୍ଟ ହୋଇ ପାରିବ ବୋଲି କଂଗ୍ରେସ ନେତୃମଣ୍ଡଳୀ ଅଶାବ୍ୟକ୍ତ କରିଛନ୍ତି । ଆଜି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ଉକ୍ତ ଅଭିଯୋଗ ଅଣାଯିବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ଏନାମୁଲ ହକ୍ ଖାନ, ରାଜନ ଲାହା, ସେକ ଜିକୁ. ସେକ୍ ଇଲିୟାସ, ମୁନା ସାହା, ନାଫେସ ଖାନ, ପାପାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.