Home ଜିଲ୍ଲା ପରିକ୍ରମା ଷୋଳମପୁର ବୌଦ୍ଧବିହାରକୁ ହାତକୁ ନେବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା!, ଅଧିକ ସର୍ବେକ୍ଷଣ ସହ ସୁରକ୍ଷା...

ଷୋଳମପୁର ବୌଦ୍ଧବିହାରକୁ ହାତକୁ ନେବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା!, ଅଧିକ ସର୍ବେକ୍ଷଣ ସହ ସୁରକ୍ଷା ଓ ବିକାଶ ପାଇଁ ଜିଲ୍ଲାପାଳଙ୍କ ସହଯୋଗ ଆଶା ପ୍ରକଟ କଲା ସଂସ୍ଥା

28

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା’ ‘ଷୋଳମପୁର ବୌଦ୍ଧବିହାର’କୁ ହାତକୁ ନେବା ଆଶା ଉଜ୍ଜ୍ୱଳ ହୋଇଛି । ସଂସ୍ଥାର ଭୁବନେଶ୍ୱର ଶାଖା ପକ୍ଷରୁ ଏଥପାଇଁ ସର୍ବେକ୍ଷଣ ଆଜି କରାଯାଇଛି । ସଂସ୍ଥାର ଅଧିକ୍ଷକ ତଥା ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ଅରୁଣ ମଲିକଙ୍କ ନେତୃତ୍ୱରେ ସହକାରୀ ପ୍ରତ୍ନତତ୍ତ୍ୱବିତ୍ ରାହୁଲ କୁମାର ଶ୍ରୀବାସ୍ତବ ଓ ଡଃ ଭୈରବ କୁମାର ଶ୍ରୀବାସ୍ତବ ବୌଦ୍ଧବିହାର ସ୍ତୁପ(ମାଉଣ୍ଡ)ର ‘ପ୍ରବେଶ ଦ୍ୱାର’ ଭଗ୍ନାବଶେଷ, ରଘୁନାଥଜୀଉମନ୍ଦିର ଉତ୍ତରପାଶ୍ୱର୍ କାନ୍ଥରେ ଖୋଦେଇ ହୋଇଥିବା ବିରଳ ବୁଦ୍ଧ ‘ଅଷ୍ଟମହାଶ୍ଚର୍ଯ୍ୟ’ ମୂର୍ତ୍ତି, ସନ୍ତେଶ୍ୱରୀ ମନ୍ଦିର ସମ୍ମୁଖରେ ଅସୁରକ୍ଷିତ ଭାବେ ଥିବା ‘ଜାମ୍ବଳ’ ମୂର୍ତ୍ତିକୁ ବିଶେଷ ଭାବେ ସର୍ବେକ୍ଷଣ କରିଥିଲେ । ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା’ ଏହି ବୌଦ୍ଧିବହାର ସଂରକ୍ଷଣ ଓ ବିକାଶ ପାଇଁ ହାତକୁ ନେବାକୁ ହେଲେ ଆବଶ୍ୟକୀୟ ମାନଦଣ୍ଡ ସମ୍ପର୍କରେ ନିଦ୍ଦିଷ୍ଟ ଭାବେ ଅନୁଧ୍ୟାନ କରିବା ସହ ଏଥିପାଇଁ ପୁର୍ନବାର ଅନୁଧ୍ୟାନ ହେବ ବୋଲି ସୂଚନା ଦେଇଥିଲେ । ତେବେ ଏହି ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଜିଲ୍ଲାପାଳଙ୍କ ସହଯୋଗର ବିଶେଷ ଆବଶ୍ୟକତା ରହିଛି ବୋଲି ପ୍ରତ୍ନତାତ୍ତ୍ୱିକ ଦଳ ମତ ଦେଇଥିଲେ ।

ବୌଦ୍ଧବିହାର ବିକାଶ ପାଇଁ କାର୍ଯ୍ୟକରୁଥିବା ବିଶ୍ୱମ୍ଭର ରାଉତ ଅନୁଧ୍ୟାନକାରୀମାନଙ୍କୁ ପଥପ୍ରଦର୍ଶନ କରିଥିଲେ । ଏଥିସହ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ସଂଗ୍ରହାଳୟରେ ସଂଗୃହୀତ ବୁଦ୍ଧ ପ୍ରତିମାଗୁଡିକର ପ୍ରତ୍ନତାତ୍ତ୍ୱିକ ଦଳ ଅନୁଧ୍ୟାନ କରିବା ସହ ରଘୁନାଥଜୀଉମନ୍ଦିର କାନ୍ଥରେ ତ୍ରିଭଙ୍ଗୀ ମୁଦ୍ରାରେ ଖୋଦେଇ ହୋଇଥିବା ବିରଳ ବୁଦ୍ଧମୁର୍ତ୍ତି ‘ତାରା’ ମୂର୍ତ୍ତିକୁ ଅନୁଧ୍ୟାନ କରିବା ସହ ଏହି ମୂର୍ତ୍ତିରେ ଥିବା ଶିଳାଲିପି ଉନ୍ମୋଚନ କରିଥିଲେ । ଏହା ବୌଦ୍ଧଧାରିଣୀ ମନ୍ତ୍ର ବୋଲି ଅନୁଧ୍ୟାନକାରୀ ଦଳ ପ୍ରକାଶ କରିଥିଲେ । ମନ୍ଦିର କାନ୍ଥରେ ଖୋଦେଇ ହୋଇଥିବା ‘ଅଷ୍ଟମହାଶ୍ଚର୍ଯ୍ୟ ଓ ମଞ୍ଜୁଶ୍ରୀ’ ମୂର୍ତ୍ତ ଦ୍ୱୟର ଶିଳାଲିପି ଉନ୍ମୋଚନ ପାଇଁ ଫଟୋ ସାଥିରେ ନେଇଥିଲେ । ବୌଦ୍ଧବିହାର ଚତୁଃପାଶ୍ୱର୍ରେ ବିକ୍ଷିପ୍ତ ଭାବେ ପଡିରହିଥିବା ବିରଳ ବୌଦ୍ଧମୂର୍ତ୍ତଗୁଡିକୁ ସଂଗ୍ରହାଳୟକୁ ସ୍ଥାନାନ୍ତର ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ପରାମର୍ଶ ଦେଇଥିଲେ । ନିକଟରେ ବୈତରଣୀ ନଦୀରୁ ବୁଦ୍ଧପ୍ରତିମା ଉଦ୍ଧାରକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏହି ବୌଦ୍ଧବିହାର ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଏଥିପାଇଁ ପତ୍ର ଯୋଗେ ଅନୁରୋଧ କରିଥିଲେ । ବୌଦ୍ଧବିହାର ଶିର୍ଷକ ବହୁଳ ପ୍ରକାଶିତ ଖବର ଯୋଗୁଁ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା’ ଅନୁଧ୍ୟାନ ଆରମ୍ଭ କରିଛି ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.