Home ଜିଲ୍ଲା ପରିକ୍ରମା ଶ୍ରୀମନ୍ଦିର ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

ଶ୍ରୀମନ୍ଦିର ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

18

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ବର୍ଷର ଚାରିଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ଅନ୍ୟତମ। କିନ୍ତୁ ବିଗତ ବର୍ଷମାନଙ୍କରେ ଯେଉଁଭଳି ଭାବରେ ବ୍ରହ୍ମବିଭ୍ରାଟ, ରଥଯାତ୍ରା ବନ୍ଦ କରିବାର ଷଡଯନ୍ତ୍ର, ରତ୍ନଭଣ୍ଡାର ପ୍ରସଙ୍ଗ, ମହାପ୍ରଭୁଙ୍କର ଜମି ବିକ୍ରି କରିବାର ପ୍ରୟାସ, ଶ୍ରୀମନ୍ଦିରର ରୋଷଘରେ ଚୁଲା ଭଙ୍ଗା ଆଦି ଘଟଣା ହିନ୍ଦୁ ସମାଜକୁ ଗଭୀର ଆଘାତ ପହଞ୍ଚାଇଛି। ବର୍ତ୍ତମାନ ଐତିହ୍ୟ କରିଡର ନାମରେ ପ୍ରଶାସନ ଦ୍ୱାରା ବ୍ୟାପକ ଖନନ, ନିର୍ମାଣ କାର୍ଯ୍ୟ ଦ୍ୱାରା ଶ୍ରୀମନ୍ଦିର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ଶ୍ରୀମନ୍ଦିର କେନ୍ଦ୍ର ସରକାରଙ୍କ ଗେଜେଟ ନୋଟିଫିକେସନ ନଂ. ଏସ.ଓ. ୫୬୦, ତା ୦୩.୦୨.୧୯୭୫ ଅନୁଯାୟୀ “ସେଣ୍ଟ୍ରାଲି ପ୍ରୋଟେକ୍ଟେଡ ମନୁମେଣ୍ଟ ଅଫ ନେସନାଲ ଇମ୍ପୋଟାନ୍ସ” ରୂପରେ ଭାରତ ସରକାରଙ୍କ ଦ୍ୱାରା ମାନ୍ୟତା ପାଇଛି, ତଥା ଏହାର ରକ୍ଷଣାବେକ୍ଷଣ ସଂରକ୍ଷିତ ଦାୟିତ୍ୱ ଏ.ଏସ.ଆଇ. ଉପରେ ନ୍ୟସ୍ତ ରହିଛି। ପୂନର୍ବାର ୧୯୯୨ରେ ପ୍ରକାଶିତ “ଆନସିଏଣ୍ଟ ମନୁମେଣ୍ଟ ଏଣ୍ଡ ଆର୍କିଓଲୋଜିକାଲ ସାଇଟସ ଏଣ୍ଡ ରିମେନ” ରୁଲ ୩୨ ବିଜ୍ଞପ୍ତି ଅନୁଯାୟୀ ତଥା ପୁନର୍ବାର ୨୦୧୦ରେ ପ୍ରକାଶିତ ବିଜ୍ଞପ୍ତି ଆନସିଏଣ୍ଟ ମନୁମେଣ୍ଟ ଏଣ୍ଡ ଆରକିଓଲୋଜିକାଲ ସାଇଟସ ଏଣ୍ଡ ରିମେନସ (ଆମେଣ୍ଡମେଣ୍ଟ ଏଣ୍ଡ ଭେଲିଡେସନ) ଆକ୍ଟ ୨୦୧୦ର ରୁଲ ୧୦ ଅନୁଯାୟୀ ଐତିହ୍ୟ ସ୍ମାରକୀ ସ୍ଥଳୀର ୧୦୦ ମିଟର ପର୍ଯ୍ୟନ୍ତ “ପ୍ରୋଟେକ୍ଟେଡ ଏରିଆ” ଯେଉଁଥିରେ କୌଣସି ପ୍ରକାର ନିର୍ମାଣ ଓ ଖନନ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ କରାଯାଇଛି। ଏହା ବାଦ୍ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ‘ରେଗୁଲେଟେଡ ଏରିଆ’ ଯେଉଁଥିରେ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ସାମାନ୍ୟ ଛୋଟ ନିର୍ମାଣ କରାଯାଇପାରିବ।

ମାତ୍ର ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିରର ୩୦/୪୦ ମିଟର ପରିଧିରେ, ୨୦ ରୁ ୩୦ ଫୁଟ ଗଭୀର ଗର୍ତ୍ତ ଡ୍ରୋଜର ସହାୟତାରେ ବେଆଇନ ଖୋଳାଯିବା ସହ ମନ୍ଦିରର ପଥର ଫାଉଣ୍ଡେସନକୁ ଫଟାଇ କଂକ୍ରିଟ ଢଳାଇ ପିଲର କରାଯାଇଛି। ଯାହାକୁ ପୁରୀର ସାଂସଦ ମହିଳା ମାନଙ୍କ ପାଇଁ ଶୌଚାଳୟ କରାଯାଉଥିବା ବିଷୟ ସଂସଦରେ କହିଛନ୍ତି। ଏହି ଖନନ ଦ୍ୱାରା ଶ୍ରୀମନ୍ଦିରର ଜଗମୋହନ, ବେହରଣ ଦ୍ୱାର, ନାଟ ମଣ୍ଡପ, ପଶ୍ଚିମ ଦ୍ୱାର, ଭଣ୍ଡାର କାନ୍ଥ, ଗରୁଡ ସ୍ତମ୍ଭ ପଛ ଭୋଗ ମଣ୍ଡପ ଦ୍ୱାର ଆଦି ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବାଲୁକାସ୍ତୁପ ଉପରେ ଦଣ୍ଡାୟମାନ ଶ୍ରୀମନ୍ଦିରର ସୁରକ୍ଷା ଏବେ ବିପନ୍ନ। ଏଥିପାଇଁ ଆଜି ଭଦ୍ରକ ଜିଲ୍ଲା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ସ୍ଥାନୀୟ ବାଇପାସ ଜଗନ୍ନାଥ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ମନ୍ଦିର ସଂଲଗ୍ନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଓ ଏହାର ଉପଯୁକ୍ତ ତଦନ୍ତ କରାଯିବା ସହ ମନ୍ଦିରର ସୁରକ୍ଷା ଓ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ଅଯଥା ସରକାରଙ୍କ ହସ୍ତକ୍ଷେପ ବନ୍ଦ କରିବା ଏବଂ ରାଜ୍ୟ ସରକାର ଯଦି ଉଚିତ୍ ପଦକ୍ଷେପ ନ ନିଅନ୍ତି ତେବେ ରାଜ୍ୟବ୍ୟାପି ତୀବ୍ର ଆନ୍ଦୋଳନ ହେବ ବୋଲି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଜୟ ସିହ୍ନା, ରଶ୍ମିରଞ୍ଜନ ମହାକୁଡ, ବିପିନ ପଣ୍ଡା, ରମେଶ ବାରିକ, ଭାଗବତ ବାରିକ, ପ୍ରେମାନନ୍ଦ ବେହେରା, ଦେବାଶିଷ ମିଶ୍ର, ଶ୍ରୀହର୍ଷ ସ୍ୱାଇଁ, ଡ. ପ୍ରଦୀପ ନାୟକ, ବଦ୍ରିନାରାୟଣ ଧଳ, ସିପ୍ରା ରାଉତ, ସରୋଜିନୀ ଦାସ, କଳ୍ପନା ଜେନା, ମଦନ ମୋହନ ମହାନ୍ତି, ପ୍ରତାପ ଦାସ, ଜ୍ୟୋତି ସାହୁ, ଅଶୋକ ପରିଜା, ରାମଚନ୍ଦ୍ର ପଣ୍ଡା, ମନୋରଞ୍ଜନ ନାୟକ ଓ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.