Home ଓଡ଼ିଶା ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ନୀତିନିର୍ଘଣ୍ଟ ଚୂଡ଼ାନ୍ତ: ଚଳିତବର୍ଷ ପଞ୍ଚୁକ ୬ଦିନ ପଡ଼ୁଥିବା ଯୋଗୁଁ ନାଗାର୍ଜୁନ ବେଶ...

ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ନୀତିନିର୍ଘଣ୍ଟ ଚୂଡ଼ାନ୍ତ: ଚଳିତବର୍ଷ ପଞ୍ଚୁକ ୬ଦିନ ପଡ଼ୁଥିବା ଯୋଗୁଁ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ

40

ପୁରୀ-୨୯/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର ପ୍ରଶାସକ ତରଫରୁ କାର୍ତ୍ତିକ ମାସ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଚଳିତବର୍ଷ ପଞ୍ଚୁକ ବ୍ରତ ୬ଦିନ ପାଳନ କରାଯାଉଛି। ଚଳିତମାସ ୨୭ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଆରମ୍ଭ ହୋଇଛି। ନଭେମ୍ବର ୧୬ ଓ ୨୩ତାରିଖ ସୋମବାର ଅବସରରେ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ସମାପନ ହେବ। ସେହିଭଳି ନଭେମ୍ବର ୨୫ରେ ଠିଆଖିଆ ବେଶ, ୨୬ତାରିଖରେ ବାଙ୍କଚୂଡ଼ ବେଶ, ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ୨୮ରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀନୃସିଂହ ବେଶ ଓ ୩୦ତାରିଖ ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। କରୋନା କଟକଣା ଯୋଗୁଁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ବାରଣ କରାଯାଇଥିବା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଆଉ ଦେଖିବାକୁ ମିଳିବ ନାହିଁ। ଚଳିତମାସ ଏକାଦଶୀ ଠାରୁ କେତେକ ଶ୍ରଦ୍ଧାଳୁ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରୁଥିବା ବେଳେ କୁମାର ପୂର୍ଣ୍ଣିମା ପରଦିନ ଠାରୁ ଶ୍ରଦ୍ଧାଳୁ କାର୍ତ୍ତିକ ବ୍ରତଧାରୀମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିବେ। କରୋନା କଟକଣା ଯୋଗୁଁ ଚଳିତବର୍ଷ ବାହାରୁ ଆସୁଥିବା ହବିଷ୍ୟାଳିମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ରହିବା ନିମନ୍ତେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହବିଷ୍ୟାଳିମାନେ ଏଠାକୁ ଆସି ହବିଷ କରିଥାନ୍ତି। ଚଳିତବର୍ଷ ମଧ୍ୟ ହବିଷ୍ୟାଳିମାନଙ୍କର ଆଗମନ ଆରମ୍ଭ ହୋଇଛି। ସେମାନେ ନିଜ ନିଜର ବନ୍ଧୁବାନ୍ଧବ, ମଠବାଡ଼ି, ଧର୍ମଶାଳା ଆଦିରେ ରହି ହବିଷ ବ୍ରତ ପାଳନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.