Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ

17

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭଦ୍ରକସ୍ଥ ବାଲଗୋପାଲ ମନ୍ଦିର ପରିସରରେ ସିମତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତିର ବିଭିନ୍ନ ପ୍ରସ୍ତାବ ଆଲୋଚନା କରାଯାଇ ସର୍ବ ସମ୍ମତ କ୍ରମେ ଗ୍ରହଣ କରାଯାଇଥିଲା। ପ୍ରଥମ ପ୍ରସ୍ତାବରେ ଓଡ଼ିଶାରେ ଦେଖା ଦେଇଥିବା ବନ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟକୁ ଦୂର କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରାଯାଇଥିଲା। ପ୍ରଚାର ସମିତିର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଭଦ୍ରକ ଜିଲ୍ଳାରେ ଥିବା ୭ଟି ବ୍ଲକ ସ୍ତରୀୟ ପ୍ରତିନିଧିଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ପ୍ରଚାର ସମିତି ଗଠନ ପୂର୍ବକ ବିଭିନ୍ନ ଲୋକହିତକର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବାକୁ ସ୍ଥିର କରାଗଲା। ସମିତିର ଜନ୍ମ ଦିବସକୁ ନିରାଡମ୍ବର ଭାବରେ ପାଳନ କରାଯାଇ ଏହାର ବାର୍ଷିକ ଅଧିବେଶନ ଆସନ୍ତା ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତିରେ ପାଳନ କରାଯିବାକୁ ସ୍ଥିର କରାଗଲା। ସମିତିର ବାର୍ଷିକ ମୁଖପତ୍ର ‘ନୀଳକନ୍ଦର’ ପ୍ରକାଶନ ନିମନ୍ତେ ଆପାତତଃ ଜାନୁଆରୀ ପହିଲା ପରିବର୍ତ୍ତେ ଓଡ଼ିଆ ନବ ବର୍ଷକୁ ଧାର୍ଯ୍ୟ କରାଗଲା। ଗତ ୨ ବର୍ଷ ଧରି କୋଭିଡ଼ ଯୋଗୁ କାଳୀପୂଜାରେ ଅନୁଷ୍ଠିତ ହୋଇ ଆସୁଥିବା ‘ମହା ସଂସ୍କୃତି ଜାଗରଣ ଯାତ୍ରା’ ବନ୍ଦ ରହିଥିଲା। ଚଳିତ ବର୍ଷ ଏହା ପୁଣି ମହା ସମାରୋହରେ ପାଳନ କରାଯିବାକୁ ସ୍ଥିର କରାଗଲା। ଏହି ଅଧିବେଶନରେ ମୁଖ୍ୟ ଆବହାକ ସେବକ ଶରତ କୁମାର ସାହୁ, ସନେଇ ଶିଅଳ, ବିଷ୍ଣୁ ମୋହନ ପଣ୍ଡା, ବାବୁଲାଲ ଦାସ, ଡ. ପ୍ରତାପ କୁମାର ପଣ୍ଡା, କାହ୍ନୁଚରଣ ଦାସ, ଲକ୍ଷ୍ମୀଧର ଖଟୁଆ, ନାରାୟଣ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ଦେ, ପିତାମ୍ବର ପଣ୍ଡା ପ୍ରମୁଖ ବହୁ ସେବକ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକ ପ୍ରାରମ୍ଭରେ ମୁଖ୍ୟ ଆବାହକ ଶ୍ରୀଜଗନ୍ନାଥଙ୍କ ସ୍ତୁତି ପାଠ ପୂର୍ବକ ବିବରଣୀ ଉପସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.