Home ଜିଲ୍ଲା ପରିକ୍ରମା ଶ୍ରମିକ ଏକତା ଦୀର୍ଘଜୀବି ହେଉ, ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ସମାରୋହ , ୩୫୭ ହିତାଧିକାରୀଙ୍କୁ...

ଶ୍ରମିକ ଏକତା ଦୀର୍ଘଜୀବି ହେଉ, ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ସମାରୋହ , ୩୫୭ ହିତାଧିକାରୀଙ୍କୁ ପ୍ରଦାନ କରାଗଲା ୧ କୋଟି ୫୧ ଲକ୍ଷ ୯୭ ହଜାର ୬ ଶହ ଟଙ୍କା

59

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରମିକ କଲ୍ୟାଣ ସଚେତନତା ନେଇ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶମତେ ଶହିଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଦାୟୀତ୍ୱରେ ଥିବା ଡି.ଆର୍‌.ଡି.ଏ.ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କୁଶଳ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା ଅତିଥି ପରିଚୟ ସ୍ୱାଗତ ଭାଷଣ ସହ ଦିବସ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ୮ ଘଣ୍ଟା କାର୍ଯ୍ୟ ସମୟକୁ ଦାବି କରି ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରେ ଜନ୍ମ ନେଇଥିବା ଶ୍ରମିକ ଆନ୍ଦୋଳନର ସ୍ମୃତି ବହନ କରୁଥିବା ଏହି ଆନ୍ତର୍ଜାତିକ ଶ୍ରମିକ ଦିବସ ବା ମଇ ଦିବସର ଐତିହାସିକ ପୃଷ୍ଠ ଭୂମିକୁ ରୋମନ୍ଥନ କରିବା ସହ ଶ୍ରମିକ ଓ ଶ୍ରମିକଙ୍କ ପରିବାରର ହିତ ସାଧନ ଲାଗି ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅତିଥିମାନେ ଆଲୋଚନା ରଖିଥିଲେ।

ଶ୍ରମିକ ନେତା ଶ୍ରମିକ ସଙ୍ଗଠନ ଦୀର୍ଘଜୀବି ହେଲେ ସବୁ ସମୟରେ ଶ୍ରମିକ ମାନଙ୍କ ଦାବି, ସେମାନଙ୍କ ଦୁରାବସ୍ଥା ଲୋକ ଲୋଚନକୁ ଆସିପାରିବ ବୋଲି ପ୍ରକାଶ କରିଥିଲେ। କେଉଁମାନେ ନିର୍ମାଣ ଶ୍ରମିକ ଭାବେ ଗଣା ହେବେ ! ୧୮ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୬୦ ବର୍ଷରୁ କମ୍ ବୟସର ସମସ୍ତ ନିର୍ମାଣ ଶ୍ରମିକ ପଞ୍ଜିକରଣ ନିମନ୍ତେ ଯୋଗ୍ୟ। ପଞ୍ଜିକରଣ ପାଇଁ ଆବଶ୍ୟକ କାଗଜାଦି ଓ ପ୍ରଣାଳୀ, ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସାମାଜିକ ସୁରକ୍ଷାଯୋଜନାରେ ଶିକ୍ଷାଗତ ବୃତ୍ତି ସହାୟତା, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା, ଯନ୍ତ୍ରପାତି କ୍ରୟ ସହାୟତା, ସାଇକେଲ ସହାୟତା, ନିରାପତ୍ତା ଉପକରଣ, ବିବାହ ସହାୟତା, ପ୍ରସୂତୀ କାଳୀନ ସହାୟତା, ଦକ୍ଷତା ଅଭିବୃଦ୍ଧି ସହାୟତା, ଚିକିତ୍ସା ସହାୟତା, ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା, ଦୁର୍ଘଟଣା ଜନିତ ସହାୟତା ଆଦି ସମ୍ବନ୍ଧରେ ଅତିଥିମାନେ ବିଶଦଭାବେ ଆଲୋକପାତ କରିଥିଲେ। ଶେଷରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ପାଇବାକୁ ଥିବା କେତେଜଣ ହିତାଧିକାରୀଙ୍କୁ ଅତିଥିମାନଙ୍କ ଦ୍ୱାରା ଚେକ୍ ବଣ୍ଟନ କରାଯାଇଥିଲା। ସମୁଦାୟ ୩୬୭ ହିତାଧିକାରୀ ମାନଙ୍କ ପାଇଁ ୧, ୫୧, ୯୭, ୬୦୦ ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ଦିଆଯାଇଥିଲା। ଶିକ୍ଷାଗତ ସହାୟତାରେ ୨୧୦ ଜଣଙ୍କୁ ୧୧, ୫୭, ୬୦୦ ଟଙ୍କା, ପ୍ରସୂତି କାଳୀନ ସହାୟତା ୨୦ ଜଣଙ୍କୁ ୧୦ ହଜାର ଲେଖାଁଏ ୨ ଲକ୍ଷ, ମୃତ୍ୟୁ କାଳୀନ ସହାୟତା ୬୯ ଜଣଙ୍କୁ ୧ କୋଟି ୩୫ ଲକ୍ଷ, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ୬୮ ଜଣଙ୍କୁ ୫ ହଜାର ଲେଖାଁଏ ୩ ଲକ୍ଷ ୪୦ ହଜାର ମଞ୍ଜୁର କରାଯାଇଛି। ସୂଚନା ଯୋଗ୍ୟକି ଶ୍ରମିକ ପରିଚୟ ପତ୍ର ପାଇବା ପରେ ପରେ ହିଁ ମୁତ୍ୟୁକାଳୀନ ସହାୟତା ପାଇବାକୁ ଯୋଗ୍ୟ ହୋଇଥାଏ ମାତ୍ର କାର୍ଡ଼ ପାଇବାର ବର୍ଷକ ପରେ ଯାଇ ଅନ୍ୟ ସବୁ ସାମାଜିକ ସୁରକ୍ଷା ଜନିତ ସହାୟତା ପାଇବାକୁ ଯୋଗ୍ୟ ହୁଏ। ସହକାରୀ ଶ୍ରମ ଅଧିକାରୀ ପ୍ରେମ ମଞ୍ଜରୀ ନାୟକ ଆର୍ଥିକ ସହାୟତା ପ୍ରଦାନ ପାଇଁ ନାମ ଘୋଷଣା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.