ଭାରତ ଏକ ଧର୍ମ ପ୍ରଧାନ ଦେଶ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ ହେଉ କିମ୍ବା ପରୋକ୍ଷ ଭାବରେ ହେଉ। କେଉଁ ନା କେଉଁ ସମ୍ରଦାୟକୁ ଆପଣେଇଥାନ୍ତି। କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥାଏ। ଯେପରିକି ଆଶ୍ରା, ଆଶ୍ରିତ ଓ ଆଶ୍ରୟକୁ ନେଇ ଜୀବନର ଗତିକୁ ଆଗେଇ ନେଇଥାଏ। ଏହାର ଅର୍ଥ ଆମେ ସର୍ବଦା ଭଗବାନଙ୍କ ଉପରେ ଆଶ୍ରା କରିବା ଦରକାର। ଯାହା ଉପରେ ଆଶ୍ରା କରିବା ତାର ହିଁ ଆଶ୍ରିତ ହେବା ଶ୍ରେୟସ୍କର। କାରଣ ଆମର ତା ସହିତ ଆସ୍ତା ଯୋଡି ହେଲା। ଆସ୍ତା ଯୋଡି ହେଲେ ମନୁଷ୍ୟ ନିଜକୁ ସୁରକ୍ଷାମଣି ତାରି ପାଖରେ ଆଶ୍ରୟ ନେବାକୁ ସୁଖ ମଣେ। ଶାସ୍ତ୍ର କହୁଛି ମଣିଷ ମାତ୍ରକେ ଗୁରୁ ଓ ଗୋବିନ୍ଦଙ୍କ ଚରଣକୁ ଯିବା ଦରକାର ନଚେତ ଶାନ୍ତି ଓ ମୁକ୍ତି ମିଳିବ ନାହିଁ। ଗୁରୁ ଚରଣ ମାନେ ଯାହାର ଆଦର୍ଶ ଆମକୁ ଅନୁପ୍ରାଣିତ କରେ। ଜୀବନର ଲଖ୍ୟ ସ୍ଥଳରେ ପହଂଚିବା ପାଇଁ ସେହି ନୀତି ଆଦର୍ଶ ସହାୟକ ହେବ।
ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି। ଏଠାରେ ଆମେ ଦେଖିବା ଦୁଇଟି ଶବ୍ଦକୁ, ଗୋଟିଏ ଶ୍ରଦ୍ଧା ଓ ଅନ୍ୟଟି ଜ୍ଞାନ। ଏଇ ଦୁଇଟି ଶବ୍ଦର ଅର୍ଥ, ଗୁରୁ ଶାସ୍ତ୍ରେଷୁ ବିଶ୍ୱାସକୁ ଶ୍ରଦ୍ଧା କହନ୍ତି ଓ ଯେଉଁଟି ଯାହା ତାକୁ ସେହି ରୂପେ ଜାଣିବା ହେଉଛି ଜ୍ଞାନ। ଯେଉଁଟି ଯାହା ତାକୁ ଅନ୍ୟ ରୂପରେ ଦେଖିବା ହେଉଛି ଅଜ୍ଞାନ। ଏଠାରେ ଜ୍ଞାନ ଅର୍ଥ ଦିବ୍ୟଜ୍ଞାନକୁ ବୁଝାଉଛି। ଯାହା ଏପରି ଏକ ବିଷୟ ଯାହାର ପ୍ରାପ୍ତିରେ ମନୁଷ୍ୟ ପବିତ୍ରୀକରଣ ହୋଇଯାଏ। ସୁଖ ଶାନ୍ତି ପ୍ରାପ୍ତି କରେ। ଅଜ୍ଞାନ ହେଉଛି ଆମର ବନ୍ଧନର କାରଣ ଏବଂ ଜ୍ଞାନ ହେଉଛି ଆମର ମୁକ୍ତିର କାରଣ। ଯେତେବେଳେ ବ୍ୟକ୍ତି ଦିବ୍ୟଜ୍ଞାନ ସ୍ତରରେ ଅବସ୍ଥାନ କରେ। ସେତେବେଳେ ସେ ଆଉ ଅନ୍ୟତ୍ର ଶାନ୍ତିର ଅନ୍ୱେଷଣ କରିବା ଦରକାର ନାହିଁ। କାରଣ ସେ ନିଜ ମଧ୍ୟରେ ହିଁ ଶାନ୍ତି ପାଏ। ଦିବ୍ୟଜ୍ଞାନର ବୃଦ୍ଧି ଘଟିଲେ ତାର ସମସ୍ତ ସନ୍ଦେହ ଦୂରୀଭୂତ ହୋଇଯାଏ। ଶ୍ରଦ୍ଧା ଦ୍ୱାରା ଜ୍ଞାନ ପ୍ରାପ୍ତ ହୁଏ ଏବଂ ଯେଉଁ ଶ୍ରଦ୍ଧା, ଗୁରୁ ଓ ଶାସ୍ତ୍ର ଉପରେ ବିଶ୍ୱାସ କଲେ ଯାଇ ମିଳିବ। ବିଶ୍ୱାସ ମଧ୍ୟ ସହଜେ ହେବ ନାହିଁ କାରଣ ବିଶ୍ୱାସ ଅନୁଭବର କଥା। ଯେବେ ବିଦ୍ୟାର୍ଥୀ ଗୁରୁ ଓ ଶାସ୍ତ୍ର ଅନୁମୋଦିତ ନିୟମ ଅନୁଯାଇ ଚାଲିବ। ନିଜ ଜୀବନର କର୍ତବ୍ୟକୁ ସେହି ରୂପେ ପାଳନ କରିବ। ତେବେ ଯାଇ ଅନୁଭବ ଓ ବିଶ୍ୱାସ ହେବ। ଏଣୁ ଆମେ ଅଜ୍ଞାନ ଜନିତ କଷ୍ଟକୁ ଜ୍ଞାନ ରୂପକ ଖଡ଼ଗ ଦ୍ୱାରା କାଟିବା ପାଇଁ ସକ୍ଷମ ହୋଇପାରିଲେ, ସର୍ବଦା ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିପାରିବା।
ଡ଼ଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା