Home ଜିଲ୍ଲା ପରିକ୍ରମା ଶିକ୍ଷକ ଅଭାବ ପାଇଁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା

ଶିକ୍ଷକ ଅଭାବ ପାଇଁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା

23

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ମଢ଼ିଆଳି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରେ ଅତିଷ୍ଠ ହୋଇ ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ଗୁରୁବାର ତାଲା ପକାଇ ଥିବା ବେଳେ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିବା ଜଣାଯାଇଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୩ ପିଲା ବିଦ୍ୟାଳୟରେ ପଢୁଥିବା ବେଳେ ଶିକ୍ଷକ ସଂଖ୍ୟା ମାତ୍ର ୪ । ଜଣେ ଶିକ୍ଷକ ପଦୋନ୍ନତି ପାଇ ଅନ୍ୟତ୍ର ନିଯୁକ୍ତ ପାଇବାରୁ ଶିକ୍ଷକ ସଂଖ୍ୟା ୩ କୁ ଖସିଆସିଥିଲା । ଏଥିପାଇଁ ଶିକ୍ଷାଦାନ ଗୁରୁତର ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ବହୁବାର ବ୍ଲକ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗୋଟିଏ ସପ୍ତାହରେ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାହା କାର୍ଯ୍ୟକାରୀ ହୋଇନଥିଲା । ଗତ ୧୫ ତାରିଖରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଭାବକ ଜୟନ୍ତୀ ବେହେରା, ବସନ୍ତ କୁମାର ବେହେରା, ମାନସ କୁମାର ଜେନା, ଜଳଧର ବେହେରା ପ୍ରମୁଖ ଅଭିଯୋଗ କରିଥିଲେ । ମାତ୍ର ସୁଫଳ ମିଳିନଥିଲା । ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନା ଧାରଣାରତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରି ବିଫଳ ହୋଇଥିଲେ । ଅପାହ୍ନରେ ଜଣେ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା । ଏହାବାଦ ଆଉଜଣେ ଶିକ୍ଷକଙ୍କୁ ନିଯୁକ୍ତ ପାଇଁ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ ପ୍ରତିଶ୍ରୁତି ଦେବା ପରେ ଧାରଣା ସାମୟିକ ଭାବେ ପ୍ରତ୍ୟାହାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.