Home ଓଡ଼ିଶା ଶହୀଦ କୋଭିଡ ଯୋଦ୍ଧାଙ୍କୁ ନୀରବ ପ୍ରାର୍ଥନା ଜରିଆରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି

ଶହୀଦ କୋଭିଡ ଯୋଦ୍ଧାଙ୍କୁ ନୀରବ ପ୍ରାର୍ଥନା ଜରିଆରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି

94

କୋଭିଡ ମୁକାବିଲା ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଲା
ଲଢେଇକୁ ମଜବୁତ କରିବାକୁ ଶପଥ ଗ୍ରହଣ କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁନାହିଁ – ମୁଖ୍ୟମନ୍ତ୍ରୀ
ମୁଁ ଜିତିବି, ମୋ ଓଡିଶା ଜିତିବ ଏବଂ ମାନବ ଜାତି ବି ଜିତିବ

ଭୁବନେଶ୍ୱର, ୫-୮(ଓଡ଼ିଆ ପୁଅ) ଗତ ୫ ମାସ ଧରି ଓଡ଼ିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ଵପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରି ଏହାର ସବୁ ଶ୍ରେୟ କୋଭିଡ ଯୋଦ୍ଧା ଓ ଓଡିଶାବାସୀଙ୍କର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜୀବନକୁ ବାଜି ଲଗାଇ ସେମାନେ ଯେପରି ସେବା କରିଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା ମଧ୍ୟ କରିଛନ୍ତି।

ଏହି ଲଢେଇରେ ୨୫ ଜଣ କୋଭିଡ ଯୋଦ୍ଧା ସେମାନଙ୍କ ଜୀବନ ବଳିଦାନ ଦେଇ ସେବା, ତ୍ୟାଗ ଓ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସେହି ଯୋଦ୍ଧାମାନଙ୍କର ସମ୍ମାନ ସ୍ମତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସାରା ରାଜ୍ୟ ଆଜି ସଂଧ୍ୟା ୬ଟାରେ ଏକ ମିନିଟ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହି ନୀରବ ପ୍ରାର୍ଥନାରେ ସାରା ରାଜ୍ୟର ଜନସାଧାରଣ, ବିଭିନ୍ନ ଅଫିସ, ଅନୁଷ୍ଠାନର କର୍ମଚାରୀ ଭାଗ ନେଇ ଶହୀଦ କରୋନା ଯୋଦ୍ଧାଙ୍କ ପ୍ରତି ଜାତିର କୃତଜ୍ଞତା ଅର୍ପଣ କରିଛନ୍ତି।

ନିଜ ପରିବାର ଓ ବ୍ୟକ୍ତିଗତ ସୁଖ ସୁବିଧାକୁ ପଛରେ ପକାଇ ଆମର କୋଭିଡ ଯୋଦ୍ଧା ମାନେ ଉତ୍ସର୍ଗୀକୃତ ମନୋଭାବ, ତ୍ୟାଗ ଓ ନିଷ୍ଠାର ସହ ଯେପରି ସେବା କରିଚାଲିଛନ୍ତି, ତାକୁ ଉତ୍ସାହିତ କରିବା ଏବଂ ତାଙ୍କର ଏହି ମହତ୍ କାର୍ଯ୍ୟକୁ ଦୃଢ ସମର୍ଥନ ଦେବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସହଯୋଗ, ସଚେତନତା ଓ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାର ଶପଥ ପାଠ କରାଇଥିଲେ। ମୁଁ ଜିତିବି, ମୋ ଓଡିଶା ଜିତିବ ଓ ମାନବ ଜାତି ବି ଜିତିବ; ଏହି ସଂକଳ୍ପ ନେଇ କରୋନା ବିରୁଦ୍ଧରେ ଲଢେଇକୁ ମଜବୁତ କରିବା ସହିତ କୋଭିଡ ନିୟମାବଳୀର ଅନୁପାଳନ ଓ କୋଭିଡ ଯୋଦ୍ଧାଙ୍କୁ ପୂର୍ଣ୍ଣ ସହଯୋଗ ଓ ସମ୍ମାନ ଜଣାଇବା ପାଇଁ ମଧ୍ୟ ସମସ୍ତେ ଶପଥ ନେଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.