Home ଓଡ଼ିଶା ଲୋକହସା 5-T ଏବଂ ଅଭିଶପ୍ତ ଡିଜି ପଦବୀ

ଲୋକହସା 5-T ଏବଂ ଅଭିଶପ୍ତ ଡିଜି ପଦବୀ

559

ଭୁବନେଶ୍ୱର ୨୧-୧୧ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଗତକାଲି ବିଳମ୍ବିତ ସଂଧ୍ୟାରେ ଓଡ଼ିଶା ପୋଲିସ୍ ମହା ନିର୍ଦ୍ଦେଶକ ବିଜୟ ଶର୍ମାଙ୍କୁ ବିଦା କରିଥିଲେ ରାଜ୍ୟ ସରକାର ଏବଂ ତାଙ୍କ ସ୍ଥାନରେ ହାଇଦ୍ରାବାଦ ସ୍ଥିତ ପୋଲିସ୍ ଏକାଡେମୀର ମହା ନିର୍ଦ୍ଦେଶକ ଆଇପିଏସ୍ ଅଭୟଙ୍କୁ ଡିଜି ଭାବରେ ନିଯୁକ୍ତି କରିଥିଲେ ଓଡ଼ିଶା ସରକାର। ନିର୍ଦ୍ଦେଶନାମା ଏପରି ହୋଇଥିଲାଯେ, ବିଜୟ ଶର୍ମାଙ୍କୁ ତୁରନ୍ତ ଦାୟୀତ୍ତ୍ୱ ଛାଡ଼ିବାର ନିର୍ଦ୍ଦେଶ ଥିଲା। ଶ୍ରୀଯୁକ୍ତ ଅଭୟ ତୁରନ୍ତ ଆସି ଡିଡି ପଦରେ ଯୋଗ ଦେବା ସମ୍ଭବପର ନଥିଲା। ତେଣୁ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସତ୍ୟଜୀତ ମହାନ୍ତିଙ୍କୁ ଅନ୍ତରୀଣ ଡିଜି ଭାବରେ ଯୋଗ ଦେବାପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା। ଏହି ନାଟକୀୟ ଘଟଣା ପରେ ଗଣମାଧ୍ୟମକୁ ଯାହା ତଥ୍ୟ ମିଳିଥିଲା ତାହା ଥିଲା 5-T ଛାଟରେ ବିଦା ହେଲେ ପୋଲିସ୍ ଡିଜି। ଏଠାରେ ସୂଚନାଯୋଗ୍ୟଯେ, ବିଜୟ ଶର୍ମା ପୋଲିସ୍ ଡିଜି ସହ ଅଗ୍ନିଶମ ବିଭାଗର ଡିଜିଭାବେ ଦାୟୀତ୍ତ୍ୱ ତୁଲାଉଥିଲେ। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଏବଂ ଡାକ୍ତରଖାନା ଭଳି ଅନେକ ସରକାରୀ ଏବଂ ବେସରକାରୀ ସଂସ୍ଥାକୁ ଅଗ୍ନି ନିରୋଧକ ଲାଇସେନ୍ସ ପ୍ରଦାନ କରିବାରେ ଏକ ବିରାଟ ଅନିୟମିତତାର ଦୁର୍ନିତୀର ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସିଥିଲା। ସେହି ଆଧାରରେ ତାଙ୍କୁ ଏହି ଦୁଇଟି ପଦବୀରୁ ରାଜ୍ୟ ସରକାର ବିଦା କରିଥିଲେ। ଏ ପରମ୍ପରା ଆଜିର ନୁହେଁ। ପୋଲିସ୍ ଡିଜିଥିବା ଅମରାନନ୍ଦ ପଟ୍ଟନାୟକଙ୍କଠାରୁ ଏ ପରମ୍ପରା ସୃଷ୍ଟି ହୋଇଛି। ତାଙ୍କୁ ମଧ୍ୟ ଅଚାନକ ପୋଲିସ୍ ଡିଜି ପଦବୀରୁ ରାଜ୍ୟ ସରକାର ବିଦା କରିଥିଲେ। ଏହା ପରେ ପ୍ରକାଶ ମିଶ୍ର, ବିକେ ସିଂ, ସଞ୍ଜୀବ୍ ମାରିକ୍, ଆଦି ପୂର୍ବତନ ଡିଜିମାନେ ସରକାରୀ ଚୋଟର ଶିକାର ହୋଇଥିଲେ। ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକ ପଦବୀ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପଦବୀ। ଏହି ପଦବୀରେ ଥଇଥାନ କରିବା ପୂର୍ବରୁ ସମ୍ପୃକ୍ତ ଆଇପିଏସ୍ ଅଫିସରଙ୍କର ଚରିତ୍ରର ପଞ୍ଜିକା ତର୍ଜମା କରିବା ସରକାରଙ୍କର ମୁଖ୍ୟ କାର୍ଯ୍ୟ। ଥରେ ଅଧେ ଏଥିରେ ବ୍ୟତିକ୍ରମ ହୋଇଯାଇପାରେ। ମାତ୍ର କ୍ରମାଗତ ଭାବରେ ରାତି ଅଧିଆ ଦୁର୍ନିତି ଅଭିଯୋଗରେ ପୋଲିସ୍ ମହାନିର୍ଦ୍ଦେଶକ ମାନଙ୍କୁ ତଡ଼ିବା କି ପ୍ରକାର ନ୍ୟାୟୋଚିତ ପଦକ୍ଷେପ ବୋଲି ରାଜ୍ୟବାସୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି। ପୋଲିସ୍ ମହା ନିର୍ଦ୍ଦେଶକ ପଦବୀର ବସାଇବା ପୂର୍ବରୁ ରାଜ୍ୟ ସରକାର କ’ଣ ଜାଣିପାରୁନଥିଲେ ଏହିମାନଙ୍କ ନାଁ’ ରେ ଦୁର୍ନିତୀ ଅଭିଯୋଗ ଅଛି ବୋଲି। ତେଣୁ କେଉଁ ଆଧାରରେ ସରକାର ଏ ପଦକ୍ଷେପ ନେଇ ସାଧାରଣରେ ଲୋକହସା ହେଉଛନ୍ତି ତାହା ଏବେ ମୁଖ୍ୟ ଆଲୋଚ୍ୟର ବିଷୟ।

ଏବେ ଆଲୋଚନା କରିବା ରାଜ୍ୟ ସରକାରଙ୍କର 5-T ଓ ମୋ ସରକାର ବାବଦରେ। ଏସାଧାରଣ ଜନତା ଥାନାରୁ ଉଚିତ ନ୍ୟାୟ ପାଇବା ପାଇଁ ସରକାର ପ୍ରଣୟନ କଲେ ମୋ ସରକାର ଯୋଜନା। ଥାନାରୁ ଉଚିତ୍ ନ୍ୟାୟ ପାଇବା ପାଇଁ ମୋ ସରକାର ଯୋଜନାର ମୁଖ୍ୟ ଆଭିମୁଖ୍ୟ। ସୁପ୍ରିମ୍ କୋର୍ଟଙ୍କର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ଲୋକଟିଏ ଥାନାରେ ଅଭିଯୋଗ କଲେ, ୨୪ ଘଣ୍ଟା ମଧ୍ୟରେ ଥାନାରୁ ଏଫ୍.ଆଇ.ଆର କପି ପାଇବା କଥା। ମାତ୍ର ରାଜ୍ୟର ଅନ୍ୟ ସମସ୍ତ ଥାନା କଥା ଛାଡ଼ନ୍ତୁ ଖୋଦ ରାଜଧାନୀ ଭୁବନେଶ୍ୱରରେ ଥିବା ଥାନା ମାନଙ୍କରୁ ଅଭିଯୋଗକାରୀ ୨୪ ଘଣ୍ଟା ମଧ୍ୟରେ ଏଫ୍ ଆଇ ଆର କପି ପାଉଛିତ? ତଦନ୍ତ ହେଉଛି ପରବର୍ତ୍ତି ପର୍ଯ୍ୟାୟ। ମାତ୍ର ଏଫ ଆଇ ଆର କପି ପାଇବା ପାଇଁ ୨୦ ବର୍ଷ ତଳେ ଯେମିତି ଥାନାକୁ ଦୌଡ଼ିବାକୁ ପଡ଼ୁଥିଲା ଏବେ ମଧ୍ୟ ସେମିତି ଦୌଡ଼ିବାକୁ ପଡ଼ୁଛି। ପରିବର୍ତ୍ତନ ହୋଇଛି। ପୂର୍ବରୁ ଅଭଦ୍ରୋଚିତ ବ୍ୟବହାରରେ ଥାନା ଅଧିକାରୀ କହୁଥିଲେ ୫ ଦିନ ପରେ ଆସ କିମ୍ବା ୧୦ଦିନ ପରେ ଆସ। ଏବେ କିନ୍ତୁ ଭଦ୍ର ଭାବରେ କହୁଛନ୍ତି ଆପଣ କାଲି ଆସନ୍ତୁ, କାଲି ଗଲେ କହୁଛନ୍ତି ପହର ଦିନ ଆସନ୍ତୁ। ପ୍ରଥା ସେଇୟା, ମାତ୍ର ପରମ୍ପରା ବଦଳିଛି। ସେଇ ଅନୁପାତରେ ପାଠକେ ବିଚାର କରିବେ ତଦନ୍ତର ଅଗ୍ରଗତି କ’ଣ ହେଉଥିବ। ଏ ସମସ୍ତ ତଥ୍ୟର ବଳିଷ୍ଠ ପ୍ରମାଣ ମଧ୍ୟ ଆମପାଖରେ ଉପଲବ୍ଧ। ଉଦାହରଣର ଲମ୍ବା ତାଲିକା ତ ଆମର ହସ୍ତଗତ ରହିଛି ମାତ୍ର ସମସ୍ତ ତଥ୍ୟ ପରିପ୍ରକାଶ କରିବା ସମ୍ଭବ ନୁହେଁ।

ଆଲୋଚନା କରିବା 5-ଟି ବାବଦରେ 5-ଟି ର ଡିମଡିମ ପିଟୁଥିବା ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ତହସିଲ୍, ସବ୍-ରେଜିଷ୍ଟ୍ରାର ଅଫିସ୍, ଏବଂ ବ୍ଲକ ମାନଙ୍କରେ ଚାଲିଥିବା ପିସି କରୋବାରକୁ ରୋକିବାରେ ସକ୍ଷମ ହେଲେଣି କି? ଦିନ ଦ୍ୱି ପ୍ରହରରେ ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଏହି କରକାରୀ ଦପ୍ତରର କର୍ମଚାରୀମାନେ ଖୁଲମଖୁଲା ପିସି ଆଦାୟ କରୁଛନ୍ତି। ଅଭିଯୋଗ କଲେ କ୍ରମଚାରୀଙ୍କର ଉତ୍ତର କାଗଜ ପତ୍ରରେ ଚାଲିଛି 5-ଟି, ପିସି ନ ଦେଲେ କାମ ହେବ ନାହିଁ। 5-ଟି ବୁଝୁଥିବା ଅଫିସରଙ୍କୁ ଯାଇକି କୁହ।

ତେଣୁ 5-ଟି ଏବଂ ମୋ ସରକାର ଯୋଜନା ଏକ ସକରାତ୍ମକ ପଦକ୍ଷେପ। ମାତ୍ର ନବୀନ ପଟ୍ଟନାୟକଙ୍କର ପଞ୍ଚମ ପାଳି ସରକାରର ୬ ମାସ ବିତି ଯାଇଥିଲେ ମଧ୍ୟ 5-ଟି ଓ ମୋ ସରକାରକୁ ସାଧାରଣ ଜନତା ଏ ପର୍ଯ୍ୟନ୍ତ ହୃଦୟଙ୍ଗମ କରିପାରିନାହାଁନ୍ତି। ଏହା ଗଣମାଧ୍ୟମରେ ଏକ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟି ଯାଇଛି। 5-ଟି ଛାଟରେ ବିଜୟ ଶର୍ମା ବଳି ପଡ଼ିବା ଶୀର୍ଷକ ଖବରକୁ ସାଧାରଣ ପାଠକ ସହଜରେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି। ଦୁର୍ନିତୀ ଅଭିଯୋଗ ଆସିଲେ ମଧ୍ୟ ତଦନ୍ତ ପୂର୍ବରୁ ପୋଲିସ୍ ମହା ନିର୍ଦ୍ଦେଶକଙ୍କୁ ରାତି ଅଧିଆ ତଡ଼ିବା କେଉଁ ପ୍ରକାର ନ୍ୟାୟୋଚିତ ପଦକ୍ଷେପ? କ୍ରମାଗତ ଭାବରେ ଏଭଳି ପଦକ୍ଷେପକୁ ଓଡ଼ିଶାବାସୀ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.