Home ଜିଲ୍ଲା ପରିକ୍ରମା ଲୋକଙ୍କ କାମ ସହିତ ଭଦ୍ରକର ବିକାଶ ଆମର ଲକ୍ଷ୍ୟ ହେଉ – ବିଧାୟକ, ଭଦ୍ରକ ବିଧାନସଭା...

ଲୋକଙ୍କ କାମ ସହିତ ଭଦ୍ରକର ବିକାଶ ଆମର ଲକ୍ଷ୍ୟ ହେଉ – ବିଧାୟକ, ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ବୈଠକ

37

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭଦ୍ରକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁଙ୍କ ଅଧ୍ୟକ୍ଷତାରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ୍ ଏହି ବୈଠକରେ ଯୋଗଦେଇ ବୈଠକରେ ଉପସ୍ଥିତ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ସେମାନଙ୍କ ବିଭାଗୀୟ କାର୍ଯ୍ୟଧାରା, ସାଧାରଣ ଜନତାଙ୍କ ପାଇଁ ସରକାରୀ ଯୋଜନା ସବୁର ବିଧି ବ୍ୟବସ୍ଥା, ପ୍ରଗତିମୂଳକ କାର୍ଯ୍ୟ ସାଧନରେ ସମସ୍ୟା ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମୀକ୍ଷା କରିଥିଲେ। ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଭଦ୍ରକ ମ୍ୟୁନିସିପାଲିଟିର ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନାଙ୍କ ପ୍ରତିନିଧି ପ୍ରବୀର ଜେନା ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନା ଓ ସମୀକ୍ଷାରେ ଅଂଶଗ୍ରହଣ କରି ନିଜ ନିଜ ଅଞ୍ଚଳର ସମସ୍ୟା ଉତ୍‌ଥାପନ କରିବା ସହ ମତାମତ ରଖିଥିଲେ। ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଜରିଆରେ ମିଳିବାକୁ ଥିବା ସୁବିଧା ସୁଯୋଗ ଯୋଗ୍ୟ ହିତାଧିକାରୀମାନଙ୍କୁ ସଠିକ୍ ସମୟରେ ଉପଲବଧ୍ କରାଇଲେ, ବିଭିନ୍ନ ବିଭାଗ ଦ୍ୱାରା ସାଧିତ ହେବାକୁ ଥିବା ଲୋକଙ୍କ ବିଭିନ୍ନ କାର୍ଯ୍ୟ ପୂରଣ ଦିଗରେ ପ୍ରଶାସନ ସଜାଗ ରହିଲେ ଏବଂ ସରକାରଙ୍କ ଦ୍ୱାରା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ବା କୌଣସି ଜନହିତକାରୀ କାର୍ଯ୍ୟ ସମାହିତ ଦିଗରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ସହଯୋଗ ରକ୍ଷା ହୋଇପାରିଲେ ଭଦ୍ରକର ବିକାଶ ରଥ ଆଗେଇ ଚାଲିବ ବୋଲି ବିଧାୟକ ପ୍ରକାଶ କରିଥିଲେ। କୃଷି, ଉଦ୍ୟାନ, ପ୍ରାଣୀ ଚିକିତ୍ସା, ମତ୍ସ୍ୟ, ଜଙ୍ଗଲ ଓ ପରିବେଶ, ମୃତ୍ତିକା ସଂରକ୍ଷଣ, ଯୋଗାଣ, ବିଦ୍ୟୁତ୍‌, ଶିଳ୍ପ, ସର୍ବଶିକ୍ଷା ଅଭିଯାନ, ସମାଜ ମଙ୍ଗଳ, ଭଦ୍ରକ ପୌର ପରିଷଦ, କାଡା, ଉଠା ଜଳସେଚନ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳଯୋଗାଣ ଆଦି ପ୍ରାୟ ୨୨ଟି ବିଭାଗର ଯୋଜନା ଓ କାର୍ଯ୍ୟଧାରା ଉପରେ ବିଧାୟକ ସମୀକ୍ଷା କରିଥିଲେ। ଏହି ବୈଠକ ଆୟୋଜନରେ ଯୋଜନା ବିଭାଗ ଭଦ୍ରକ ଉପନିର୍ଦ୍ଦେଶକ ମହେଶ ସ୍ୱାଇଁ, ଭଦ୍ରକ ବି.ଡି.ଓ. ସୀତାକାନ୍ତ ରାଉତ, ଭଦ୍ରକ ପୌର ପରିଷଦର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ଆନୁସଙ୍ଗିକ ସହଯୋଗ କରିଥିଲେ। ବୈଠକରେ ଅଧିକାରୀମାନେ ଗତ ୨୦୨୧-୨୨ ବର୍ଷ ଓ ୨୦୨୨-୨୩ ବର୍ଷର ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ତଥ୍ୟ ଉପସ୍ଥାପନ କରିଥିଲେ। ପୂରଣ ହୋଇପାରିନଥିବା କାର୍ଯ୍ୟ ପାଇଁ ସମସ୍ୟା ଓ ଆବଶ୍ୟକତା ସମ୍ବନ୍ଧରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ। ଶେଷରେ ବି.ଡି.ଓ. ଶ୍ରୀଯୁକ୍ତ ରାଉତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.