Home ଓଡ଼ିଶା ଲେଫ୍ଟନାଂଟ ଜେନେରାଲ ଏମଏମ ନରୱାନେଙ୍କୁ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି – ପଢ଼ନ୍ତୁ ତାଙ୍କ...

ଲେଫ୍ଟନାଂଟ ଜେନେରାଲ ଏମଏମ ନରୱାନେଙ୍କୁ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି – ପଢ଼ନ୍ତୁ ତାଙ୍କ ବିଷୟରେ

423

– ଡିସେମ୍ବର ୩୧ରୁ ଦାୟିତ୍ୱ ଗ୍ରହଣ କରିବେ ଜେନେରାଲ ନରୱାନେ –

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେଙ୍କୁ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେବା ଲାଗି ସରକାର ନିଷ୍ପତି ନେଇଛନ୍ତି। ସେ ବର୍ତମାନର ସ୍ଥଳସେନା ପ୍ରମୁଖ ବିପିନ ରାୱତଙ୍କ ଅବସର ପରେ କାର୍ଯ୍ୟଭାର ଗ୍ରହଣ କରିବେ। ସେନାମୁଖ୍ୟ ରାୱତ ଆସନ୍ତା ୩୧ ଡିସେମ୍ବର ୨୦୧୯ରେ ଅବସର ନେବେ। ଲେଫ୍ଟନାଂଟ ଜେନେରାଲ ନରୱାନେଙ୍କୁ ସେନାରେ ଉଲ୍ଲେଖନୀୟ ସେବା ନିମନ୍ତେ ପରମବିଶିଷ୍ଟ ସେବା ପଦକ, ଅତିବିଶିଷ୍ଟ ସେବା ପଦକ, ବିଶିଷ୍ଟ ସେବା ପଦକ ଏବଂ ସେବା ପଦକରେ ସମ୍ମାନିତ କରାଯାଇସାରିଛି। ସେ ଡିସେମ୍ବର ୩୧ ଅପରାହ୍ଣ ଠାରୁ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ।

ଲେଫ୍ଟନାଂଟ ଜେନେରାଲ ନରୱାନେ ନିଜର ସ୍କୁଲ ଶିକ୍ଷା ପୁଣେସ୍ଥିତ ଦନୟାନା ପ୍ରବୋଧିନୀ ପ୍ରଶାଳାରୁ ସମାପ୍ତ କରିଛନ୍ତି। ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ ଏବଂ ଭାରତୀୟ ସେନା ଏକାଡେମୀରୁ ମଧ୍ୟ ପ୍ରଶିକ୍ଷଣ ନେଇଛନ୍ତି। ଜୁନ ୧୯୮୦ରେ ତାଙ୍କୁ ଶିଖ ଲାଇଟ ଇନଫ୍ୟାଂଟ୍ରି ରେଜିମେଂଟର ସପ୍ତମ ବାଟାଲିଅନରେ ନିଯୁକ୍ତି ଦିଆଯାଇଥିଲା। ସେ ଡିଫେନ୍ସ ଷ୍ଟାଟେର୍ଜିରେ ସ୍ନାତୋକୋତର ଡିଗ୍ରୀ ଏବଂ ପ୍ରତିରକ୍ଷା ଓ ପରିଚାଳନା ବିଷୟରେ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି। ସେ ବର୍ତମାନ ଡକ୍ଟରେଟ ଅଧ୍ୟୟନ କରୁଛନ୍ତି।

ସେନାବାହିନୀରେ ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କର୍ତବ୍ୟ ନିର୍ବାହ ସମୟରେ ଜେନେରାଲ ନରୱାନେ ଦେଶର ଉତର ପୂର୍ବାଂଚଳ ତଥା ଜମ୍ମୁ କଶ୍ମୀରରେ ଶାନ୍ତି ଓ ଯୁଦ୍ଧ ଉଭୟ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ନେତୃତ୍ୱ ନେଇଛନ୍ତି। ଏହାବ୍ୟତୀତ ସେ ଶ୍ରୀଲଙ୍କାରେ ‘ଅପରେସନ ପବନ’ ସମୟରେ ଭାରତୀୟ ଶାନ୍ତି ସେନାର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

ଜେନେରାଲ ନରୱାନେଙ୍କ ନିକଟରେ ବେଶ ଆହ୍ୱାନପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିବାର ସ୍ୱତନ୍ତ୍ର ଅଭିଜ୍ଞତା ରହିଛି। ସେ ରାଷ୍ଟ୍ରୀୟ ରାଇଫଲ୍ସର ୧୦୬ତମ ଇନଫ୍ୟାଂଟ୍ରି ବ୍ରିଗେଡ ଓ ଦ୍ୱିତୀୟ କୋରର ମଧ୍ୟ ନେତୃତ୍ୱ ନେଇ ସାରିଛନ୍ତି। ଏହାବ୍ୟତୀତ ସେ ଏକ ଇନଫ୍ୟାଂଟ୍ରି ବ୍ରିଗେଡର ମେଜର, ହେଡକ୍ୱାର୍ଟର ଏଷ୍ଟାବ୍ଲିଶମେଂଟ ନମ୍ବର ୨୨ରେ ଆସିଷ୍ଟାଂଟ ଆଡଜୁଟାଂଟ ଆଣ୍ଡ କ୍ୱାର୍ଟର ମାଷ୍ଟର ଜେନେରାଲ, ୟାଙ୍ଗୁନରେ ପ୍ରତିରକ୍ଷା ଆଟାଚେ ଏବଂ ଆର୍ମୀ ୱାର କଲେଜରେ ପ୍ରଶିକ୍ଷଣ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଦିଲ୍ଲୀସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ତାଙ୍କ ନିକଟରେ ରହିଛି।

ଜେନେରାଲ ନରୱାନେଙ୍କୁ ଦିଲ୍ଲୀର ଜେନେରାଲ ଅଫିସର ଇନ କମାଣ୍ଡିଂ ଭାବେ ୨୦୧୭ ଗଣତନ୍ତ୍ର ଦିବସ ପରେଡର ନେତୃତ୍ୱ ନେବାର ସୁଯୋଗ ମିଳିସାରିଛି। ଶିମଲାସ୍ଥିତ ସେନା ପ୍ରଶିକ୍ଷଣ କମାଣ୍ଡର ସଫଳ ନେତୃତ୍ୱ ନେବା ପରେ ସେ ୧ ଅକ୍ଟୋବର ୨୦୧୮ରେ ସେନାର ପୂର୍ବ କମାଣ୍ଡ ଜେନେରାଲ ଅଫିସର ଇନ ଚିଫ ପଦରେ କାର୍ଯ୍ୟଭାର ସମ୍ଭାଳିଥିଲେ। ସେ ବର୍ତମାନ ଏହି ପଦବୀରେ କାର୍ଯ୍ୟରତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.