Home ଓଡ଼ିଶା ଲୁହାପଥର ଚୋରା ଚାଲାଣ; ୭ଗିରଫ, ୨ ଟ୍ରକ, ୧ ଜାଇଲୋ ଜବତ

ଲୁହାପଥର ଚୋରା ଚାଲାଣ; ୭ଗିରଫ, ୨ ଟ୍ରକ, ୧ ଜାଇଲୋ ଜବତ

119

ଯୋଡା, ୧୫/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)  ଏକ ବଡ ଧରଣର ଲୁହାପଥର ଚୋରା ଚାଲଣର ପର୍ଦାଫାଶ କରିଛି ଯୋଡା ପୁଲିସ । ୧୩ ତାରିଖ ବିଳମ୍ବିତ ରାତ୍ରୀରେ ଦେଓଝର ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ୨ଟି ଲୁହାପଥର ବୋଝେଇ ଟ୍ରକ ଝାଡଖଣ୍ଡ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଲୁହାପଥର ବୋଝେଇ ଟ୍ରକ ନଂ. ଓଆର-୦୪ଡି-୯୪୮୩, ଓଆର୧୪ଏଲ୍‌-୨୭୮୩କୁ ଘଟଣା ସ୍ଥଳରୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଚୋରା କାରବାରରେ ପୁଲିସକୁ ଜଗିବା ପାଇଁ ବ୍ୟବହୃତ ହୋଇଥିବା ଏକ ଜାଇଲୋ ନମ୍ବର ଓଆର-୦୯ଏମ୍‌-୮୭୯୬, ଏକ ସ୍ପେଲଣ୍ଡର ମୋଟାଇସାଇକେଲ ଜେଏଚ୍‌-୦୬ଏଲ୍‌-୨୪୬୯ ଏବଂ ସେମାନଙ୍କ ଠାରୁ ୮ଟି ମୋବାଇଲ ଜବତ କରିଛି । ଏହି ମୋବାଇଲର କଲ୍ ରେକର୍ଡ ଯାଞ୍ଚ କଲେ ଚୋରା କାରବାରରେ ସମ୍ପୃକ୍ତ ଅନେକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇପାରିବ ବୋଲି ପୁଲିସ କହିଛି । ଗିରଫ ଅଭିଯୁକ୍ତମାନେ ହେଲେ ଟୁନା ମହାନ୍ତ, ସାଗର ମୁଣ୍ଡା, ମୁକେଶ ମହାନ୍ତ, ଅମର ରଜାକ୍‌, ହେମନ୍ତ କୁମାର ମହାନ୍ତ, ପରମଜିତ୍ ସିଂ ଏବଂ ଯୁଗଳ କିଶୋର ମହାନ୍ତ । ଯୁଗଳଙ୍କ ଘର ଝାଡଖଣ୍ଡର ଜଗନ୍ନାଥପୁର ହୋଇଥିବା ବେଳେ ଅନ୍ୟମାନଙ୍କ ଘର ବଡବିଲ ଅଞ୍ଚଳର ବୋଲି ଜଣାପଡିଛି । ଦୀର୍ଘ ଦିନରୁ ଏମାନେ ଏହି ଚୋରାକାରବାର ଚଳାଇଆସିଥିବା ବେଳେ ଏହି ଘଟଣାର ମାଷ୍ଟରମାଇଣ୍ଡ ପରମଜିତ୍ ସିଂ ନାମରେ ଯୋଡା-ବଡବିଲ ବିଭିନ୍ନ ଥାନାରେ ୧୩ଟିରୁ ଅଧିକ ମାମଲା ଥିବା ପୁଲିସ ସୂତ୍ରରୁ ଜଣାପଡିଛି । ତେବେ ଏହି କାରବାରରେ ଅନେକ ବଡବଡିଆ ସମ୍ପୃକ୍ତ ଥିବା ଜଣାପଡିଥିବା ବେଳେ ସେମାନେ ବିଭିନ୍ନ ଖଣିରୁ ଦେଓଝର ରେଳ ସାଇଡିଂକୁ ଯାଉଥିବା ଲୁହାପଥରକୁ ରିସିଭିଙ୍ଗ ଦେଖାଇ ଏଠାରୁ ୨ କିଲୋମିଟର ଦୂରରେ ଅବସ୍ଥିତ ଝାଡଖଣ୍ଡ ସୀମା ଦେଇ ବାହାରକୁ ଚୋରା ଚାଲାଣ କରିଥାନ୍ତି । ଏହି ଚୋରାକାରକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଆହୁରି ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.