Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷାରେ ୪ ନମ୍ବର ୱାର୍ଡ ଜଳ ବନ୍ଦୀ, ଜନଜୀବନ ବିପର୍ଯ୍ୟସ୍ତ

ଲଗାଣ ବର୍ଷାରେ ୪ ନମ୍ବର ୱାର୍ଡ ଜଳ ବନ୍ଦୀ, ଜନଜୀବନ ବିପର୍ଯ୍ୟସ୍ତ

75

ଭୁବନେଶ୍ୱର / ବାଲିଅନ୍ତା / ଫୁଲନଖରା, ୨୪ା୧୦ (ଓଡ଼ିଆ ପୁଅ) : କୁଆଖାଇ ନଦୀ, ପୁରୀ ମୁଖ୍ୟ କେନାଲ, ୧୬ ନମ୍ବର ଜାତୀୟ ରାଜପଥ ଓ ପ୍ରାଚୀନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗରନିଗମର ୪ନମ୍ବର ୱାର୍ଡ ଅନ୍ତର୍ଗତ ନଖରା, ନୂଆପାଟଣା, ବଙ୍ଗୁଆରୀ, ହରିଦାସପୁର, ସୁନ୍ଦରାପାଟଣା, ନହରକଣ୍ଟା, ହଂସପାଳ, ରୁଦ୍ରପୁର, ସାହାବାଦ, ପାହାଳ, କୁଣ୍ଡିତରାପାଟଣା ଗ୍ରାମଗୁଡ଼ିକ ଚଳିତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜଳ ନିଷ୍କାସନ ନ ହେବା ହେତୁ ରାସ୍ତାଗୁଡ଼ିକ ପାଣିରେ ବୁଡ଼ିରହି ଲୋକଙ୍କ ଘରେ ମଧ୍ୟ ପାଣି ପଶିବା ଯୋଗୁଁ ଲୋକେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି। ପ୍ରକାଶଥାଉକି, ଜଳ ନିଷ୍କାସନ ପଥ ଅବରୋଧ କରି ବିଲଡରମାନେ ବେଆଇନ୍ ନିର୍ମାଣ କରୁଥିବା ବେଳେ ବିଏମ୍ସି ଓ ବିଡିଏର ଏଥିପ୍ରତି ଦୃଷ୍ଟି ନଦେବା ଓ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଦୁଇ ପାଶ୍ୱର୍ରେ ଜଳନିଷ୍କାସନ ପାଇଁ ଥିବା ନୟନଜୋରୀଙ୍କୁ ପୋତି ରାସ୍ତା ନିର୍ମାଣ କରିବା ଯୋଗୁଁ ଏହି ଅଞ୍ଚଳ ଦୀର୍ଘ ୧୦/୧୫ ବର୍ଷ ହେବ ଜୁନ୍ ମାସଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜଳବନ୍ଦୀ ହୋଇ ରହୁଛି। ସ୍ଥାନୀୟ ଜନସାଧାରଣ ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ନଗର ଉନ୍ନୟନ ମନ୍ତ୍ରୀ, ଜଳସମ୍ପଦ ମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀ, ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ସ୍ଥାନୀୟ ବିଧାୟକ, ସାଂସଦ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ଏହାର ପ୍ରତିକାର ହୋଇପାରିନାହିଁ। ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ ପୌରଆୟୁକ୍ତ ତଥା ବର୍ତ୍ତମାନର ପୂର୍ତ୍ତ ସଚିବ ଡକ୍ଟର କିଷନ କୁମାର, ବର୍ତ୍ତମାନର ଆୟୁକ୍ତ ପ୍ରେମଚାନ୍ଦ ଚୌଧୁରୀ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଥିଲେ ମଧ୍ୟ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ୱିଇଙ୍ଗ୍ ତରଫରୁ କୌଣସି ପଦକ୍ଷେପ ନ ହେବା ଯୋଗୁଁ ଏହି ଅଞ୍ଚଳ ପୁନର୍ବାର ଜଳପ୍ଲାବିତ ହୋଇଅଛି। ଏହି ଖବର କ୍ରମାଗତ ଭାବରେ ଖବରକାଗଜ ଓ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆଢୁଆଳରେ ଏହା ରହିଥିବା ଓ ଗୋଦାମଘର ମାଲିକ ଓ ବିଲଡରସ୍ ମାନଙ୍କ ମର୍ଜିରେ ଏହି ଅଞ୍ଚଳର ଭାଗ୍ୟ ନିର୍ଦ୍ଧାରଣ ହେଉଛି ବୋଲି ଜନସାଧାରଣଙ୍କ ଭିତରେ ଆଲୋଚନା ହେଉଛି। ଗତ ଜୁଲାଇ ୨୯ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଜଳନିଷ୍କାସନ ପାଇଁ ପୂର୍ତ୍ତ ବିଭାଗ, ଜଳସମ୍ପଦ ବିଭାଗ, ନଗର ଉନ୍ନୟନ ବିଭାଗ, ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସୁପାରିଶ ହୋଇଥିଲେ ମଧ୍ୟ ଉଦାସୀନତା କାରଣରୁ ଲୋକେ ଯମ ଯନ୍ତ୍ରଣା ଭୋଗୁଥିବା ଓ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ ପ୍ରତି କର୍ତ୍ତୃପକ୍ଷଙ୍କ କେତେଦୂର ପ୍ରଯତ୍ନ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ କରି ଶୂନ୍ୟ ଜଳ ପ୍ଲାବନ କରିବା ନିମନ୍ତେ ତତ୍କ୍ଷଣାତ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.