Home Top News ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ରମାରଞ୍ଜନ

ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ : ରମାରଞ୍ଜନ

33

– ଓଡିଶା ବିକାଶର ମୁଖ୍ୟ ବାଧକ ସାଜିଛି ଦୁର୍ନୀତି
– ପିସିର ମାତ୍ରା ସର୍ବନିମ୍ନ ୧୬ ରୁ ୧୮ ପ୍ରତିଶତକୁ ପହଂଚିଲାଣି

ଭୁବନେଶ୍ୱର ୧୩/୦୮ (ଓଡ଼ିଆ ପୁଅ) : “ଭାରତର ଆତ୍ମା ଦିଲ୍ଲୀରେ ନୁହେଁ ପଲ୍ଲୀରେ ଅଛି। ଗ୍ରାମାଂଚଳର ବିକାଶ ଏବଂ ଗରୀବଲାକଙ୍କ ଉତ୍‌ଥାନରେ ସମୃଦ୍ଧ ହେବ ଭାରତବର୍ଷ।” ଦେଶ ସ୍ୱାଧୀନତା ପ୍ରାପ୍ତି ସମୟରେ ମହାତ୍ମା ଗାନ୍ଧୀ ଏହି କଥାକୁ ଗୁରୁତ୍ୱ ଦେଇ କହିଥିଲେ। ଅନ୍ୟ ପଟେ ପରିବାରବାଦ୍‌, ତୁଷ୍ଟିକରଣ ଓ ଭ୍ରଷ୍ଟାଚାର ବିରୋଧରେ କେନ୍ଦ୍ରରେ ମୋଦି ସରକାର ଗତ ୮ ବର୍ଷ ଭିତରେ ଅନେକ ଦୃଢ ପଦକ୍ଷେପ ଗ୍ରହଣ କରିବା ସହିତ ଅନେକ ଗରୀବକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି। କିନ୍ତୁ ଓଡିଶାବାସୀଙ୍କୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଏବଂ ଲୋକାଭିମୁଖୀ ଶାସନ ଦେଉଛନ୍ତି ବୋଲି ମିଛ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଓଡିଶା ରାଜ୍ୟକୁ ଦୁର୍ନୀତିର ଗନ୍ତାଘରରେ ପରିଣତ କରିଛନ୍ତି। ବର୍ତମାନ ରାଜ୍ୟ ସରକାର ଦୁର୍ନୀତିର ବଟବୃକ୍ଷ ବୋଲି ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଶ୍ରୀ ରମାରଞ୍ଜନ ବଳିୟାରସିଂହ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ନିର୍ବାଚନ ଆସିଲେ ମିଛ ପ୍ରତିଶୃତିର ଭଣ୍ଡାର ଖୋଲି ଦିଅନ୍ତି ରାଜ୍ୟ ସରକାର। ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ (ଶୂନ୍ୟ ସହନଶୀଳତା) ଆଭିମୁଖ୍ୟ ରହିଥିବାର ଗତ ୧୧/୦୬/୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଗତ ୨୦୧୯ ମସିହା ଅକ୍ଟୋବର ୧୦ରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଶାସନ ସଚିବ / ବିଭାଗୀୟ ନିର୍ଦ୍ଦେଶକ / ଜିଲ୍ଲାପାଳମାନଙ୍କୁ ଦୁର୍ନୀତି ବିରୋଧୀ ଶପଥ ପାଠ କରାଇଲେ। ୩-ଟି / ୫-ଟିର ବ୍ୟାପକ ମାତ୍ରରେ ପ୍ରଚାର ଓ ପ୍ରସାର କରାଯାଇ ଓଡିଶାବାସିଙ୍କୁ ବିଭ୍ରାନ୍ତ କରାଗଲା। ମାତ୍ର ଏହାର ଠିକ୍ ବିପରୀତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରିବା କାରଣରୁ ଦୁର୍ନୀତି ଆଜି ଓଡିଶା ବିକାଶର ମୁଖ୍ୟ ବାଧକ ସାଜିଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି।

ଆଜି ରାଜ୍ୟର ଯେକୈାଣସି ଉନ୍ନୟନମୁଳକ କାର୍ଯ୍ୟ ପାଇଁ ପିସିର ମାତ୍ରା ସର୍ବନିମ୍ନ ୧୬ ରୁ ୧୮ ପ୍ରତିଶତକୁ ପହଂଚିଲାଣି। ୧୪ର୍ଦ୍ଦଶ ଓ ୧୫ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ରାଜ୍ୟର ବିକାଶମୁଳକ କାର୍ଯ୍ୟ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ୍ କରାଯାଉଛି। ଗ୍ରାମାଂଚଳର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଉଦ୍ଦେଶ୍ୟରେ ଥିବା ପଲ୍ଲୀସଭାକୁ ରାଜ୍ୟ ସରକାର ଉଚ୍ଛେଦ କରି ବିଭାଗୀୟ ନିର୍ଦ୍ଦୋଶାନୁଯାୟୀ ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ ସହାୟତାରେ କାର୍ଯ୍ୟ କରାଇଲେ। କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ନାମରେ କରାଯାଇ ବିଜେଡି କର୍ମୀଙ୍କ ଜରିଆରେ କାର୍ଯ୍ୟ କରାଯାଉଛି। ପଂଚାୟତ ପିଛା ୫ ଲକ୍ଷ ଏବଂ ବ୍ଲକ ପିଛା ୧୦ ଲକ୍ଷ ଟଙ୍କାର କାର୍ଯ୍ୟକୁ ଜେଇ, ସରକାରୀ ଅଧିକାରୀ ଏବଂ ଶାସକ ବିଜେଡି ସମର୍ଥିତ ଠିକାଦାରଙ୍କ ଦ୍ୱାରା କରାଯାଇ ବ୍ୟାପକ ମାତ୍ରାରେ ଅର୍ଥ ହଡପ୍ କରାଗଲା। ୧୩ଟି ବ୍ଲକରେ ୪୫୦ କୋଟି ଟଙ୍କାର କାର୍ଯ୍ୟାଦେଶରେ ୯ କୋଟି ଟଙ୍କାର ଅମାନତ୍ ଅର୍ଥକୁ ଶାସକ ବିଜେଡିର ପ୍ରୋତ୍ସାହନରେ ଜେଇ, ସହାୟକ ଯନ୍ତ୍ରୀମାନେ ବାଟମାରଣା କରିଛନ୍ତି। ଯଦି ରାଜ୍ୟର ସମସ୍ତ ୩୧୪ଟି ବ୍ଲକକୁ ହିସାବ କରାଗଲେ, ପାଖାପାଖି ୧୧ ହଜାର କୋଟି ଟଙ୍କା କାର୍ଯ୍ୟାଦେଶରେ ଏହି ଅମାନତ ପରିମାଣ ପାଖାପାଖି ୨୨୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ, ଯାହାକୁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ତୋଷାରପାତ କରିଛନ୍ତି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି।

ନିର୍ବାଚନ ଆସିଲେ ଯୋଜନା ଉପରେ ଯୋଜନା ଆରମ୍ଭ କରିଦିଅନ୍ତି ସତ, କିନ୍ତୁ ଏ ସମସ୍ତ ଯୋଜନାର ସୁଫଳ ଓଡିଶାବାସୀଙ୍କ ପାଇଁ ନୁହେଁ ବରଂ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ପାଇଁ। ‘ଆମ ଗାଁ, ଆମ ବିକାଶ’; ବିଜୁ ଯୁବ ବାହିନୀ; ପିଠା ଭଳି ଅନେକ ଯୋଜନାର କୈାଣସି ଆଦି ଅନ୍ତ ନାହିଁ। ଏହି ଯୋଜନାରେ ବ୍ୟାପକ ଅର୍ଥକୁ ହଡପ୍ କରିଦିଆଗଲା। ଏପରିକି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟାରେ ଚଂଚକତା କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ବଂଚିତ ରଖାଯିବା ସହିତ ଅର୍ଥକୁ ମଧ୍ୟ ବାଟମାରଣା କରାଗଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ବାସହୀନଙ୍କ ଅର୍ଥକୁ ହଡପ୍ କରିବାକୁ ମଧ୍ୟ ପଛାଇଲେ ନାହିଁ। ଏ ସଂପର୍କରେ ରାଜ୍ୟ ସରକାର ସ୍ୱଚ୍ଛତା ଅବଲମ୍ବନ କରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କ ମନ୍ତବ୍ୟ ଓଡିଶା ସରକାରଙ୍କ ସ୍ୱଚ୍ଛତା ଓ ସ୍ୱରୁପକୁ ପଦାରେ ପକାଇଛି। ମଣିଷ ବଦଳରେ ମେସିନରେ କାର୍ଯ୍ୟ କରାଇ ନରେଗା ଅର୍ଥକୁ ହଡପ୍ କରାଗଲା। ରାଜ୍ୟରେ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜାନର ତଦାରଖ କମିଟିର ଅଧ୍ୟକ୍ଷ ହେଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ୨୦୧୨ ରୁ ୨୦୧୭ ମସିହା ଭିତରେ ୧୮ ଥର ପରିବର୍ତେ ମାତ୍ର ୪ ଥର ବୈଠକ ଅନୁଷ୍ଠିତ ହୋଇଥିବାର ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଏବଂ ନରେଗା ଦୁର୍ନୀତିକୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରୋତ୍ସାହିତ କରୁଥିବାର ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଶ୍ରୀ ବଳିୟାରସଂହ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.