Home ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟରେ ଗଣତନ୍ତ୍ର ସୁରକ୍ଷା ଦିବସ ପାଳିତ: ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଅଗଣିତ...

ରାଜ୍ୟ କାର୍ଯ୍ୟାଳୟରେ ଗଣତନ୍ତ୍ର ସୁରକ୍ଷା ଦିବସ ପାଳିତ: ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଅଗଣିତ ସତ୍ୟାଗ୍ରହୀଙ୍କ ବଳିଦାନ ଅବିସ୍ମରଣୀୟ :ବିଶ୍ୱଭୂଷଣ ହରିଚନ୍ଦନ

139

– ଜରୁରୀ କାଳୀନ ପରିସ୍ଥିତିରେ କାରାବରଣ କରିଥିବା ସଂଗ୍ରାମୀ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧନା ଦେଲା ବିଜେପି
– ଭାରତର ଗଣତନ୍ତ୍ରରେ ଆଜିର ଦିନକୁ କଳା ଦିବସ ଆଖ୍ୟା ଦିଆଯାଇଛି
– ଆଜିର ଦିନରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରିଥିଲା କଂଗ୍ରେସ

ଭୁବନେଶ୍ୱର, ୨୫/୦୬ (ଓଡ଼ିଆ ପୁଅ) : ଆଜିଠୁ ଠିକ୍ ୪୪ ବର୍ଷ ପୂର୍ବେ ମଧ୍ୟ ରାତ୍ରି ସମୟରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା। ଦେଶର ନିର୍ଦ୍ଧିଷ୍ଟ ଗୋଟିଏ ପରିବାର ପଦବୀ ଲାଭ ଆଶାରେ ଲକ୍ଷାଧିକ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳୀ ଦେଇଥିଲା। ସମ୍ବିଧାନରେ ଦିଆଯାଇଥିବା ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମର ସ୍ୱତନ୍ତ୍ରତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୈାଳିକ ଅଧିକାରକୁ ହତ୍ୟା କରାଯିବାର ପ୍ରୟାସ କରାଯାଇଥିଲା। ଯେଉଁମାନେ ଲୋକତନ୍ତ୍ରର ସଂରକ୍ଷଣ ପାଇଁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ ସେମାନଙ୍କ ବିରୁଦ୍ଧରେ ୨ଲକ୍ଷରୁ ଅଧିକ ମିଥ୍ୟା ଏତଲା ଦିଆଯାଇଥିଲା। ଲକ୍ଷାଧିକ ସଂଖ୍ୟାରେ ଆକ୍ରୋଶ ରାଜରାସ୍ତାରେ ଦେଖିବାକୁ ମିଳିଥିଲା। ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରୁଥିବାରୁ କିଛି ରାଜନୈତିକ ଦଳର ନେତା, ସତ୍ୟାଗ୍ରାହୀ, ବୁଦ୍ଧିଜୀବୀ ଏବଂ ପତ୍ରକାରମାନଙ୍କୁ ମିଶା ଏବଂ ଡିଆଇଆର ଆଇନ ବଳରେ ଜୋର ଜବରଦସ୍ତ ଜେଲକୁ ପଠାଇ ଦିଯାଇଥିଲା। ସେହି ଦିନଠାରୁ ଭାରତର ଗଣତନ୍ତ୍ରରେ ଆଜିର ଦିନକୁ କଳା ଦିବସ ଆଖ୍ୟା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗଣତନ୍ତ୍ର ସୁରକ୍ଷା ଦିବସ ପାଳନ କରାଯିବା ସହ ୧୯୭୫ ମସିହାରେ ଜରୁରୀ କାଳୀନ ପରିସ୍ଥିତିରେ କାରାବରଣ କରିଥିବା ସଂଗ୍ରାମୀ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

ଜରୁରୀ କାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଦେଶର ବହୁ ବ୍ୟକ୍ତି ନିଜ ସ୍ୱାଧୀନତାକୁ ଜଳାଞ୍ଜଳୀ ଦେଇଥିଲେ। ଓଡିଶାର ମଧ୍ୟ ଅନେକ ନେତା ଏବଂ ସମାଜସେବୀଙ୍କୁ ମିଶା ଆଇନ ବଳରେ ଗିରଫ କରାଯାଇ ଜବରଦସ୍ତ ଜେଲକୁ ପଠାଇ ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଢଭାନୀ, ମୋରାଜୀ ଦେଶାଇ, ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟଙ୍କ ସମେତ ଅଗଣିତ ସଂଖ୍ୟାରେ ନାଗରିକ ଗଣତନ୍ତ୍ରର ସବୁଠୁ ବଡ ଲଢେଇରେ ସମ୍ବିଧାନର ସଂରକ୍ଷଣ ପାଇଁ ନିଜ ତରଫରୁ ଯୋଗଦାନ ଦେଇଥିଲେ। ଓଡିଶାର ଥିବା ୯୦୦ରୁ ଉର୍ଦ୍ଧ ସତ୍ୟାଗ୍ରହୀ ଏବଂ ମିଶା ଅଇନ ବଳରେ ଗିରଫ ହୋଇଥିବା ୩୦୦ରୁ ଉର୍ଦ୍ଧ ଛାତ୍ର, ଯୁବ ଏବଂ ରାଜନେତାଙ୍କୁ ଗିରଫ କରାଯାଇଥିଲା ବୋଲି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଜରୁରୀ କାଳୀନ ପରିସ୍ଥିତି ସମୟରେ ସାଧାରଣ ଜନତାଙ୍କୁ ତାଙ୍କର ମୈାଳିକ ଅଧିକାରରଏବଂ ବଂଚିବାର ଅଧିକାରରୁ ବଂଚିତ କରାଯିବା କାରଣରୁ ସମସ୍ତଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଏହି ଦିନ କଂଗ୍ରେସ ଗଣତନ୍ତ୍ରର ହତ୍ୟା କରିଥିଲା। ଗଣତନ୍ତ୍ରର ହତ୍ୟା କରିବାକୁ ଯାଇ ଆଇନକୁ ହତ୍ୟା କରି ସୁପ୍ରିମକୋର୍ଟର କନିଷ୍ଠ ବିଚାରପତିଙ୍କୁ ମୁଖ୍ୟ ବିଚାରପତି କରାଯାଇଥିଲା। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ରାଜ୍ୟର ଅଗଣିତ ସତ୍ୟାଗ୍ରହୀଙ୍କ ବଳିଦାନ ଓ ଯୋଗଦାନ ଅବିସ୍ମରଣୀୟ। ତେଣୁ ସେହି ମହାନ୍ ବ୍ୟକ୍ତିଙ୍କୁ ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କ ତରଫରୁ ଧନ୍ୟବାଦ ଦେବା ସହ ସେମାନଙ୍କ ବଳିଦାନକୁ ସମ୍ମାନ ଦେଉଛୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ମିଶା ବନ୍ଦୀ ତଥା ବରିଷ୍ଠ ବିଜେପି ନେତା ସୁବାଷ ଗନ୍ତାୟତ ସଂଚାଳନ କରିଥିଲେ। ବରିଷ୍ଠ ନେତା କୃଷ୍ଣ ଜଗଦେବ ସେ ସମୟରେ କାରାବରଣ କରିଥିବା ଅନୁଭୂତିକୁ ବଖାଣି ଥିଲେ। ଏହି ଅବସରରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବାଲେଶ୍ୱର ବିଧାୟକ ମଦନ ମୋହନ ଦତ, ସରସକଣା ବିଧାୟକ ଡ. ବୁଦ୍ଧାନ ମୃର୍ମୃ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଶ୍ରୀମତୀ ସୁରମା ପାଢୀ, ବିଜେପି ସାଧାରଣ ସଂପାଦକ ରଂଜନ ପଟେଲ, ଉପସଭାପତି ସମୀର ମହାନ୍ତି ଓ ନୟନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.