Home ଜିଲ୍ଲା ପରିକ୍ରମା ରାଜେନ୍ଦ୍ରପୁର ପଞ୍ଚାୟତରେ କରୋନା ଅର୍ଥ ହରିଲୁଟ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ରାଜେନ୍ଦ୍ରପୁର ପଞ୍ଚାୟତରେ କରୋନା ଅର୍ଥ ହରିଲୁଟ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

26

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୦ ମସିହା ପ୍ରଥମ ଲହର କରୋନା ମହାମାରୀ ବିରୋଧି ପଦକ୍ଷେପ ସୁଯୋଗରେ ରାଜେନ୍ଦ୍ରପୁର ପଞ୍ଚାୟତରେ ହୋଇଥିବା ଅନୀୟମିତତା ବିରୋଧରେ କଂଗ୍ରେସ ମୁହଁ ଖୋଲିଛି । ଘୋଟାଲା ତଥ୍ୟ ଆଧାରିତ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଆଜି ପ୍ରେସ ମିଟ କରାଯାଇଛି । ଏହି ଘୋଟାଲା ପାଇଁ ସଂପୃକ୍ତ ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ କାଠଗଡାକୁ ଟଣାଯାଇଛି । ଟି.ଏମ.ସି.କୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ଲକ୍ଷ୍ୟରେ ଇନର୍ଭଟର କ୍ରୟ କରାଯାଇ ମିଥ୍ୟା ବିଲ ପ୍ରସ୍ତୁତ କରାଯାଇଛି । ମଞ୍ଜୁରୀରୋଡର ନିର୍ଦ୍ଦିଷ୍ଟ ବୈଦୁତିକ ସାମଗ୍ରୀ ଦୋକାନରୁ ୮,୫୦୦ଟଙ୍କା ମୂଲ୍ୟର ସାମଗ୍ରୀକୁ ୧୫,୫୦୦ଟଙ୍କାରେ କ୍ରୟ କରାଯାଇଛି । ବ୍ୟାଟେରୀ ଦାମ ୧୭,୨୫୦ଟଙ୍କା ଥିବା ବେଳେ ୨୧,୫୦୦ଟଙ୍କା ଦେଇ ପଞ୍ଚାୟତ କ୍ରୟ କରିଛି । ସମାନ ଦୋକାନରୁ ସମାନ ସମୟରେ ପଞ୍ଚାୟତ ଓ ଘରୋଇ ବ୍ୟକ୍ତି କ୍ରୟ କରିଥିବା ମୂଲ୍ୟରେ ଆକାଶ ପାତାଳ ପ୍ରଭେଦ କେବଳ ଘୋଟାଲାକୁ ପ୍ରମାଣିତ କରୁଛି । ଏହି ପଞ୍ଚାୟତ ଦ୍ୱାରା ୧୦୫ ମୂଲ୍ୟର ବେଡସିଟ ଗୋଟିକୁ ୩୦୦ଟଙ୍କା ଭଡା ପୈଠ କରାଯାଇଛି । ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିକୁ ଚାପି ଦିଆଯାଉଛି । କଂଗ୍ରେସ ଏହାର ପ୍ରଶାସନିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟିକ ପ୍ରତିକାର କରିବ ବୋଲି ସୋମବାର ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ରାଜୀବ ଭବନ ପରିସରରେ ଆୟୋଜିତ ପ୍ରେସମିଟକୁ ସମ୍ବୋଧନ କରି ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଗୋଟି ଗୋଟି କରି ତଥ୍ୟ ଉପସ୍ଥାପନ କରି କଂଗ୍ରେସ ଏହାର ନୀରବଦ୍ରଷ୍ଟା ହୋଇ ରହିବ ନାହିଁ ବୋଲି ଚେତାବନୀ ଦେଇଥିଲେ ।

ସେହିପରି ମଞ୍ଜୁରୀରୋଡ ଗିରିଧାରୀ ପଣ୍ଡା ଉଚ୍ଚବିଦ୍ୟାପୀଠକୁ ଆକାଂକ୍ଷା ଯୋଜନାରେ ଚାଲିଥିବା ୬୧ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ଘରୋଇ ଅନଭିଜ୍ଞ ବ୍ୟକ୍ତିଙ୍କ ହାତରେ ଟେକି ଦିଆଯାଇଛି । ବିଭାଗୀୟ ଭାବେ କାର୍ଯ୍ୟ କରାଯାଉଥିବା ସରକାରୀ ନଥିପତ୍ରରେ ଉଲ୍ଲେଖ ଥିଲେ ବି ରାଜନୈତିକ ବ୍ୟକ୍ତିମାନେ ଏହି ନିର୍ମାଣ କାର୍ଯ୍ୟ କରୁଛନ୍ତି । ତଦାରଖ ପାଇଁ ଯନ୍ତ୍ରୀମାନେ ଏଠାକୁ ଆସୁନାହାନ୍ତି । ମଞ୍ଜୁରୀରୋଡ ବଜାରରେ ଥିବା ଶୌଚାଳୟକୁ ଶାସକ ଦଳ ନିଜ କବ୍‌ଜାରେ ରଖିବା ସହ ମାର୍କେଟ କମ୍ଲେକ୍ସ ଗୃହରେ ବେଆଇନ ଭାବେ ଦଳୀୟ କାର୍ଯ୍ୟାଳୟ ଖୋଲାଯାଇଛି । ଏଥିସହ ୟାଶ କ୍ଷୟକ୍ଷତି ତାଲିକା, ରାସନ କାର୍ଯ୍ୟ ବ୍ଲକ ଓ ଆବାସ ଯୋଜନା ଅନୀୟମିତତା ସମ୍ପର୍କରେ ମଧ୍ୟ ଦାଇତ୍ୱ ସମ୍ପନ୍ନ ବିରୋଧି ଦଳ ଭାବେ କଂଗ୍ରେସ ଲୋକଲୋଚନକୁ ଆଣୁଛି ବୋଲି ଶ୍ରୀ ସାଦ ପ୍ରକାଶ କରିଥିଲେ । ବ୍ଲକ କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରେସମିଟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ ସାହୁ, ଜିଲ୍ଲା ଶୃଙ୍ଖଳା କମିଟି ଅଧ୍ୟକ୍ଷ ପିତାମ୍ବର ନାୟକ, ବ୍ଲକ ଉପସଭାପତି ପ୍ରଶାନ୍ତ ସାହୁ ଓ ମନୋଜ ନାୟକ, ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ମହାପାତ୍ର, ସମ୍ପାଦକ ସୁବାସ ଗୋଚ୍ଛାୟତ, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.