Home ଅପରାଧ ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ – ୧ ମୃତ, ଜଣେ ଗୁରୁତର

ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ – ୧ ମୃତ, ଜଣେ ଗୁରୁତର

129

ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ପୂର୍ବ ଶତ୍ରୁତାରୁ ଗତକାଲି ରାତିରେ ବୁଆଁଳ ପଞ୍ଚାୟତରେ ସଂଘବଦ୍ଧ ଆକ୍ରମଣ ଯୋଗୁଁ ଜନୈକ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ବୁଆଁଳ ପଞ୍ଚାୟତ ପାରିକୁଳ ଗ୍ରାମର ଶ୍ରୀଧର ପାତ୍ରଙ୍କ ପୁତ୍ର ତପନ କୁମାର ପାତ୍ର (୨୭)। ମୋବାଇଲ ଟାୱାର କାର୍ଯ୍ୟ କରୁଥିବା ପାରିକୁଳ ଗାଁ’ର ମୁରଲୀଧର ମହାପାତ୍ରଙ୍କ ପୁତ୍ର ପ୍ରିୟବ୍ରତ ମହାପାତ୍ର(୩୪) ଓ ତପନ ପାତ୍ର ଏକ ସ୍କୁଟିରେ ଗତକାଲି ସଂଧ୍ୟାରେ ବେଲବାରିଆକୁ କାମ କରିବାକୁ ଯାଇ ରାତି ପ୍ରାୟ ୯ ଟାରେ ଘରକୁ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ସେମାନେ କୁଡ଼ିଆ ଗ୍ରାମର ଛତ୍ରପୁର ଛକ ଅତିକ୍ରମ କରୁଥିବା ବେଳେ ସେଠାରେ ଛିଡ଼ା ହୋଇଥିବା ମହେଶ୍ୱର ଜେନାଙ୍କ ପୁତ୍ର ବିଜୟ ଜେନା ସେମାନଙ୍କୁୁ ଅଟକାଇଥିଲା। ପ୍ରିୟବ୍ରତ ଗାଡ଼ି ଅଟକାଇବା କ୍ଷଣି ଷ୍ଟ୍ରିଟ ଲାଇଟ୍ ନିକଟରେ ଛିଡ଼ା ହୋଇଥିବା ମୁନା ଦାସ ହଠାତ ଦୌଡ଼ି ଆସି ଏକ ତେଲେଙ୍ଗା କଟୁରୀରେ ତାଙ୍କ ହାତରେ ଓ ସ୍କୁଟି ପଛରେ ବସିଥିବା ତପନର କାନ୍ଧରେ ଏକ ଚଟା ବସାଇଲା। ହଣାଖାଇ ମଧ୍ୟ ସ୍କୁଟିରେ ସେମାନେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ କିଛି ଦୂରରେ ଛିଡ଼ା ହୋଇଥିବା ପରମେଶ୍ୱର ପଣ୍ଡାଙ୍କ ପୁତ୍ର ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବସନ୍ତ ପଣ୍ଡା ଡାକ ପକାଇଲାରୁ ସେଠାରେ ଲୁଚି ରହିଥିବା ବୁଆଁଳ ଗ୍ରାମର ଚିକୁ ବେହେରା, ଗୋପୀନାଥ ନାଥ, ବିଜୁଳି ଜେନା, ଅଜୁ ଜେନା, ଶଙ୍କର ଜେନା, ଲିଟୁ ଜେନା, ସୁଧୁରୀ ଜେନା ଓ ପଞ୍ଚୁଆ ଜେନା ପ୍ରମୁଖ ବିଭିନ୍ନ ମାରଣାସ୍ତ୍ର ନେଇ ପ୍ରିୟବ୍ରତଙ୍କ ସ୍କୁଟି ନିକଟକୁ ଦୈଡ଼ି ଆସିଥିଲେ। ପ୍ରିୟବ୍ରତ ଗାଡ଼ି ଚଳାଇ ଯିବାକୁ ଉଦ୍ୟତ ହେଉଥିବା ବେଳେ ସେମାନେ ପଛରୁ ଓ ପାଶ୍ୱର୍ରୁ ଆକ୍ରମଣ ଜାରି ରଖଥିଲେ। ଶେଷରେ ବାଧ୍ୟ ହୋଇ ତପନ ଓ ପ୍ରିୟବ୍ରତ ଦୌଡ଼ିବାକୁ ଚେଷ୍ଟା କରିଥିଲେ। ୩/୪ ଚଟା ଖାଇ ମଧ୍ୟ ପ୍ରିୟବ୍ରତ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବା ବେଳେ ତପନ କିଛିବାଟ ଦୌଡ଼ି ଯାଇ ତଳେ ପଡ଼ିଯାଇଥିଲା। ମାତ୍ର ଆକ୍ରମଣକାରୀମାନେ ତାଙ୍କୁ ବାରମ୍ବାର ହାଣି ଚାଲିଥିଲେ। ତେବେ ପ୍ରିବବ୍ରତକୁ ଫଛରୁ କିଏ ଜଣେ ଗୋଡ଼ାଇ ଗୋଡ଼ାଇ ଅଶ୍ଳୀଳ ଭାଷାରେ ଗାଳିଦେବା ସହ ଦୁଇରାଉଣ୍ଡ ଫାୟାରିଂ କରିଥିବା ସେ ପ୍ରକାଶ କରିଛନ୍ତି। ବନ୍ଧୁକ ଆବାଜ ଶୁଣି ଲୋକେ ରୁଣ୍ଡ ହେବା କ୍ଷଣି ଆକ୍ରମଣକାରୀମାନେ ସେଠାରୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ତପନଙ୍କ ଘରକୁ ଖବର ଦେବା ସହ ତାଙ୍କୁ ଓ ପ୍ରିୟବ୍ରତକୁ ଆଣି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତପନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ପରିବାର ଲୋକେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। କଟକ ଯିବା ବାଟରେ ସୋରଠାରେ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ତପନର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରିୟବ୍ରତଙ୍କ ଅବସ୍ଥା ସୁଧୁରୁଥିବା ଲକ୍ଷ୍ୟ କରାଯାଇଛି। ଏନେଇ ପ୍ରିୟବ୍ରତଙ୍କ ପିତା ମୁରଲୀଧର ମହାପାତ୍ର ସଦର ଥାନା ଅଧୀନସ୍ଥ ହଳଦୀପଦା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ୨୧୫ ନଂର ଏକ ମାମଲା ରୁଜୁ ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ତେବେ ସ୍ଥାନୀୟ ରାଜନୀତିକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଦୀର୍ଘଦିନ ଧରି ଛକାପଞ୍ଜା ଚାଲିଥିଲା। ନିକଟ ଭବିଷ୍ୟତରେ ସଦର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହେବାକୁ ଯାଉଥିବା ବେଳେ ପୂର୍ବ ରାଜନୈତିକ ଶତ୍ରୁତାରୁ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.