Home ଓଡ଼ିଶା ରଣପୁରରେ ବାଇଗଣର ଅଭାବୀ ବିକ୍ରି ଚାଷୀ ହତାଶ

ରଣପୁରରେ ବାଇଗଣର ଅଭାବୀ ବିକ୍ରି ଚାଷୀ ହତାଶ

130

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୪-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ୩ହଜାର ଏକରରୁ ଉର୍ଦ୍ଧ୍ୱ ଜାଗା ବାଇଗଣ ଚାଷ ହୋଇଥାଏ । ଚାଷୀମାନେ ଧାନ କଟା ପରେ ପରେ ଏହି ବାଇଗଣ ଚାଷ ଆରମ୍ଭ କରିଥାନ୍ତି । ଏଥିପାଇଁ ସମବାୟ ବ୍ୟାଙ୍କ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଋଣ ଆଣିଥାନ୍ତି । ଶହ ଶହ ଚାଷୀ ଏହି ବାଇଗଣ ଚାଷ ଉପରେ ନିର୍ଭର କରିଥାନ୍ତି । ଯାହା ଫଳରେ ଚାଷୀ ଦାଦନ ଖଟିବାକୁ ନଯାଇ ଭଲ ଅର୍ଥ ରୋଜଗାରର ଆଶା କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଭୟାବହ କରୋନା ଭାଇରସ୍ ଯୋଗୁଁ କୋଭିଡ-୧୯ ର ଲକ୍‌ଡାଉନ୍ ବାଇଗଣ ଚାଷୀମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ଜଣା ପଡିଛି । ବାଇଗଣର ଅଭାବୀ ବିକ୍ରିର ଶିକାର ହୋଇ ଚାଷୀମାନେ ବାଇଗଣ ପଦା ଛାଡି ଦେଇଥିବା ଜଣା ପଡିଛି । ଚାଷୀ ବାଇଗଣ ତୋଳିବାରେ ଯାହା ମଜୁରୀ ଖର୍ଚ୍ଚ କରୁଛି ସେହି ଶ୍ରମର ମୁଲ୍ୟ ମିଳୁନାହିଁ । ତେଣୁ ବାଇଗଣ ପଦା ଛାଡି ଦେଇଛନ୍ତି । ସେହିଭଳି ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ଭେଟବର ଗ୍ରାମର ରାଜକିଶୋର ବେହେରା ଓ ରଙ୍କନାଥ ବେହେରା ୨ ଭାଇ ଦେଢ ଏକର ଜାଗା ବାଇଗଣ ଲଗାଇଥିଲେ । ଭୁବନେଶ୍ୱର ଓ କଟକରେ ବାଇଗଣ କିଲୋ ପିଛା ୨୦ ରୁ ୩୦ ଟଙ୍କାରେ ବିକ୍ରୟ ହେଉଥିଲା ବେଳେ ଭେଟବରରେ ବାଇଗଣ କିଲୋ ପିଛା ୩ଟଙ୍କାରେ ବିକ୍ରୟ ହେଉଛି । ଯାହା ଫଳରେ ୨ଭାଇ ବାଇଗଣ ପଦା ଛାଡି ଦେଇଛନ୍ତି । ଲୋକମାନେ ମନଇଛା ବାଇଗଣ ତୋଳି ଘରକୁ ନେଉଛନ୍ତି । ରଣପୁର ଅଂଚଳର ଲତାର, ଶ୍ୟାମଘନ ପୁର, ଇଛାପୁର, ଖଳିପଲ୍ଲୀ, ଡମସାହି, ବାଦଭୁଇଁ, ଗୌରାଙ୍ଗପୁର, ଯଦୁପୁର, ରଙ୍କଦେଉଳି ଆଦି ନଇକୁଳିଆ ଗ୍ରାମବାସୀ ଏବଂ ଯେଉଁଠାରେ ଉଠା ଜଳ ସେଚନର ସୁବିଧା ରହିଛି ବିଶେଷତଃ ସେହିଭଳି ଅଂଚଳରେ ବାଇଗଣ ଚାଷ ହୋଇଥାଏ । ଲକ୍‌ଡାଉନ୍ କଟକଣା ଯୋଗୁଁ ଚାଷୀ ନିଜ ବାଇଗଣକକୁ ବାହାରର ବଜାରକୁ ନେଇପାରୁ ନାହିଁ । ସାଧାରଣତଃ ରଣପୁରରେ ପରିବା ମଣ୍ଡିର ଅଭାବ ରହିଛି ।

ଯେଉଁଥିପାଇଁ ବାଇଗଣ ଦଣ୍ଡିଆ ବେପାରୀଙ୍କ ଦ୍ୱାରା ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀମାନେ । ଏହିଭଳି ଅନେକ ଚାଷୀ ବାଇଗଣ କିଲୋ ପିଛା ୩ଟଙ୍କାରେ ନ ବିକି ବାଇଗଣ ଚାଷ ଛାଡିଦେବା ଯୋଗୁଁ ଗାଇ ଗୋରୁବି ଖାଇଗଲେଣି । ତେଣୁ ବିଭିନ୍ନ ସମବାୟ ବ୍ୟାଙ୍କ  ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରୁ ଋଣ ଆଣି ବାଇଗଣ ଚାଷ କରିଥିବା ଚାଷୀ ଋଣ ସୁଝିବା ଚିନ୍ତାରେ ଏବେ ମୁଣ୍ଡରେ ହାତ ଦେଇ ବସିଛି । ସରକାରୀ ସହାୟତା ନ ମିଳିଲେ ଚାଷୀ ଦାଦନ ଖଟିବା ପାଇଁ ବାଧ୍ୟ ହେବେ ବୋଲି ଚାଷୀମାନେ କହିଛନ୍ତି । ରଣପୁର ଅଂଚଳରେ ବାଇଗଣ ପନି ପରିବା ଆଦି ସରକାରୀ ସ୍ତରରେ ମଣ୍ଡି ଖୋଲିବା ପାଇଁ ପଦକ୍ଷେପ ନିଆଗଲେ ଚାଷୀମାନେ କିଛି ଉପକୃତ ହୋଇପାରିବେ । ତେଣୁ ଜିଲ୍ଲା ଉଚ୍ଚ ପ୍ରଶାସନ ବାଇଗଣ ଚାଷୀଙ୍କ ଅଭାବୀ ବିକ୍ରିର ସମସ୍ୟାକୁ ଦୃଷ୍ଟିରେ ରଖି ରଣପୁର ଅଂଚଳରେ ମଣ୍ଡି ଖୋଲିବା ଏବଂ ସରକାରୀ ସହାୟତା ଯୋଗାଇ ଦେବାପାଇଁ ବାଇଗଣ ଚାଷୀମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.