Home ଜିଲ୍ଲା ପରିକ୍ରମା ଯୌତୁକ ଲୋଭୀ ବଧୁ ନିର୍ଯ୍ୟାତିତାକାରୀଙ୍କୁ ବାସୁଦେବପୁର ପୁଲିସ୍‌ର ଘଣ୍ଟଘୋଡା ନୀତି, ନ୍ୟାୟ ଦାବିରେ ଏସ୍‌ପି ଅଫିସ୍...

ଯୌତୁକ ଲୋଭୀ ବଧୁ ନିର୍ଯ୍ୟାତିତାକାରୀଙ୍କୁ ବାସୁଦେବପୁର ପୁଲିସ୍‌ର ଘଣ୍ଟଘୋଡା ନୀତି, ନ୍ୟାୟ ଦାବିରେ ଏସ୍‌ପି ଅଫିସ୍ ସାମ୍ନାରେ ଆମରଣ ଅନଶନ, ଆତ୍ମାହୁତି ଚେତାବନୀ

51

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଧିକ ଯୌତୁକ ଟଙ୍କା ନଆଣିବାରୁ ମା’ ଓ ଶିଶୁକନ୍ୟାକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ହତ୍ୟା କରିବାର ଯୋଜନା କରିଥିବା ଶ୍ୱଶୁରଘର ଲୋକଙ୍କୁ ଗିରଫ କରିବାରେ ବାସୁଦେବପୁର ଥାନା ପୁଲିସ୍‌ର ଅହେତୁକ ଅନୁକମ୍ପାକୁ ନେଇ ଆଜି ପୂର୍ବ ଘୋଷଣା ମତେ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱାମୀ ପରିତ୍ୟକ୍ତା ରଂଜିତା ନିଜ ଶିଶୁକନ୍ୟା ଓ ପିତାଙ୍କ ସହ ଆମରଣ ଅନଶନରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏବଂ ତାଙ୍କ ପିତ୍ରାଳୟ ପକ୍ଷରୁ ଦିଆଯାଇଥିବା ଯାନି ଯୌତୁକ ଫେରସ୍ତ ସହ ସମସ୍ତ ଅଭିଯୁକ୍ତଙ୍କୁ ସୋମବାର ସୁଦ୍ଧା ଗିରଫ କରାନଗଲେ ଉଭୟ ପିତା, ପୁତ୍ରୀ ଓ ଶିଶୁକନ୍ୟା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେବା ଘଟଣା ଜିଲା ପୁଲିସ୍ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହି ଘଟଣା ସଂପର୍କରେ ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ଆଟୋ ଗ୍ରାମନିବାସୀ କରୁଣାକର ବେହେରାଙ୍କ ସ୍ୱାମୀ ପରିତ୍ୟକ୍ତା କନ୍ୟା ରଂଜିତା ବେହେରା ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ପ୍ରାୟ ଦେଢବର୍ଷ ତଳେ ତାଙ୍କର ବାସୁଦେବପୁର ଥାନା ଅଧୀନସ୍ଥ ବ୍ରାହ୍ମଣୀଗାଁ ନିବାସୀ ଶମ୍ଭୁନାଥ ବେହେରାଙ୍କ ପୁତ୍ର ସୁରେନ୍ଦ୍ର ସହ ହିନ୍ଦୁ ଶାସ୍ତ୍ର ମତେ ବିବାହ ହୋଇଥିଲା।

ସେତେବେଳେ ରଂଜିତାଙ୍କ ପିତା କରୁଣାକର ଜଣେ ଗରିବ ଖଟିଖିଆ ଦିନ ମଜୁରିଆ ଶ୍ରେଣୀର ହୋଇଥିଲେ ମଧ୍ୟ ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ସମସ୍ତ ଆଳି ଅଳଙ୍କାର ଓ ଅର୍ଥ ଦିଆଯାଇଥିଲା। ମାତ୍ର ଇତିମଧ୍ୟରେ ଶ୍ୱଶୁରଘର ପକ୍ଷରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି ନେଇ ତାଙ୍କ ପ୍ରତି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଆସୁଥିବାବେଳେ ଏକ କନ୍ୟା ସନ୍ତାନ ଜନ୍ମ ହେବାରୁ ସ୍ୱାମୀ ସୁରେନ୍ଦ୍ର, ଶ୍ୱଶୁର ଶମ୍ଭୁନାଥ, ଦେଢଶୁର ରବିନ୍ଦ୍ର, ଶାଶୁ ସବିତା, ଯା’ ଲିଜା ଓ ସ୍ୱାମୀ ପରିତ୍ୟକ୍ତା ନଣନ୍ଦ ମାନା ପ୍ରମୁଖ ତାଙ୍କ ସହ ଶିଶୁକନ୍ୟାଟିକୁ ହତ୍ୟା କରିବାର ଯୋଜନା କରିଥିଲେ। ଏପରିକି ଅଧିକ ୫୦ ହଜାର ଟଙ୍କା ନଆଣିବାରୁ ତାଭ୍‌କ ତଣ୍ଟିରେ ବାଡି ପକାଇ ପିନ୍ଧା ଲୁଗାରେ ନିଆଁ ଲଗାଇବା ସହ ଛାତ ଉପରକୁ ଡାକିନେଇ ତଳକୁ ଠେଲି ହତ୍ୟା କରିବାର ଯୋଜନା ମଧ୍ୟ ବିଫଳ ହୋଇଥିଲା। ତାଙ୍କ ଶ୍ୱଶୁରଘର ଲୋକେ ସ୍ୱାମୀଙ୍କୁ କୁଶିକ୍ଷା ଦେଇ ତାଙ୍କୁ ଓ ଶିଶୁକନ୍ୟାକୁ ହତ୍ୟା କରି ଅନ୍ୟ ଏକ ଝିଅ ସହ ବିବାହ ପୂର୍ବକ ଅଧିକ ଯୌତୁକ ଆଣିବା ଲୋଭରେ ଷଡଯନ୍ତ୍ର କରୁଥିବା ଖବର ସେ ପାଇଥିଲେ। ଏବଂ ତାଙ୍କ ଆଖିରେ ଏସିଡ୍ ପକାଇ ଅନ୍ଧ କରିବା ଓ ହତ୍ୟା କରି ପୋଖରୀରେ ପକାଇଦେବା ଭଳି ଯୋଜନା ଷଡଯନ୍ତ୍ରର ଖବର ପାଇ ସେ ସ୍ୱାମୀଙ୍କୁ ଜୀବନରୁ ନମାରିବାର ଆକୁଳ ନିବେଦନ କରିଥିଲେ ମଧ୍ୟ ସେମାନେ ତାହା ନଶୁଣି ମା’ ଓ ଝିଅଙ୍କୁ ଏକ ଘରେ ପୁରାଇ ତଣ୍ଟି ଚିପି ହତ୍ୟା କରିବାର ଯୋଜନା କରିଥିଲେ। ଏହି ଘଟଣାରେ ତାଙ୍କ ଶ୍ୱଶୁରଘର ଗ୍ରାମର କେତେକ ବ୍ୟକ୍ତି ଥାନାକୁ ଜଣାଇବାରୁ ପୁଲିସ୍ ସହାୟତାରେ ଉଭୟ ମା’ ଓ ଝିଅ ଉଦ୍ଧାର ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପରେ ପିତ୍ରାଳୟକୁ ଆସି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଗତ ଜାନୁଆରୀ ୨୫ ରେ ଥାନା କେଶ୍ ନଂ ୩୯/୨୨, ଦଫା ୪୯୮ (କ) / ୩୨୩ / ୩୦୭ / ୩୫୪ / ୫୦୬ / ୩୪ ଆଇପିସି ମୂଳେ ଏକ ମାମଲା ରୁଜୁ କରିଥିଲେ। ମାତ୍ର ଅଭିଯୁକ୍ତମାନେ ପ୍ରଭାବଶାଳୀ ହୋଇଥିବାରୁ ବାସୁଦେବପୁର ଥାନା ପୁଲିସ୍ ସେମାନଙ୍କର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କେଶ୍‌ର ଦଫାକୁ କୋହଳ ପୂର୍ବକ କୋର୍ଟରେ ଜାମିନ୍ କରାଇବାର ମସୁଧା କରିଥିଲେ।

ଏହି ଘଟଣାରେ ପୁଲିସ୍ ଠାରୁ ନ୍ୟାୟ ନପାଇ ସେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିବା ପରେ ବାସୁଦେବପୁର ଥାନା ପୁଲିସ୍ ଏସ୍‌ପିଙ୍କ ଚାପରେ କେବଳ ସ୍ୱାମୀଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ହୋଇଛି। ବିଶେଷକରି ରଂଜିତାଙ୍କ ପିତା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ସେମାନଙ୍କ ପ୍ରତିପୋଷଣରେ ଅକ୍ଷମ ଥିବାରୁ ପୁଲିସ୍ ତୁରନ୍ତ ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟରେ ଭରଣପୋଷଣ ସହ ବିବାହ ସମୟରେ ଦିଆଯାଇଥିବା ଯାନି ଯୌତୁକ ଉଦ୍ଧାର କରିବା ପାଇଁ ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଭିଯୁକ୍ତମାନେ ଅଧିକ ଉତ୍ସାହିତ ହୋଇ କେଶ୍ ନଉଠାଇଲେ ସେମାନଙ୍କୁ ହତ୍ୟା କରିବାର ଚେତାବନୀ ଦେଉଛନ୍ତି। ଏଣୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହ ସେମାନଙ୍କ ବିରୁଦ୍ଧରେ ଲାଗୁ ହୋଇଥିବା ଦଫା କୋହଳର ତଦନ୍ତ ପୂର୍ବକ ଦିଆଯାଇଥିବା ଯାନି ଯୌତୁକ ଉଦ୍ଧାର କରିବା ପାଇଁ ଆଜି ପୂର୍ବ ଘୋଷଣା ମତେ ରଂଜିତା ପିତା ଓ ଶିଶୁକନ୍ୟା ସହ ଆମରଣ ଅନଶନରେ ବସିଥିଲେ। ତେବେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଏହି ଘଟଣାରେ ବାସୁଦେବପୁର ଥାନା ପୁଲିସ୍‌କୁ ନିର୍ଦ୍ଦେଶ ଦେଇ ସେମାନଙ୍କୁ ଉଚିତ୍ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି। ତେବେ ସପ୍ତାହକ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ସେମାନେ ଆତ୍ମାହୂତି ଦେବାର ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.