Home ଓଡ଼ିଶା ଯୋଡା : ୟୁକ୍ରେନରେ ଫସିଛନ୍ତି ଖଣି ଅଞ୍ଚଳର ଓଡିଆ ଛାତ୍ର, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଓ...

ଯୋଡା : ୟୁକ୍ରେନରେ ଫସିଛନ୍ତି ଖଣି ଅଞ୍ଚଳର ଓଡିଆ ଛାତ୍ର, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଆକୁଳ ନିବେଦନ

54

ଯୋଡା, ୨୫ା୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି । ଏଥିରେ ଫସି ରହିଛନ୍ତି ବହୁ ଭାରତୀୟ । ସେମାନଙ୍କ ମଧ୍ୟରେ ଅନେକ ଓଡିଆ ଛାତ୍ର ମଧ୍ୟ ରହିଛନ୍ତି । ତେବେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଭୟ ଓ ଆଶଙ୍କା ମଧ୍ୟରେ ଏହି ଓଡିଆ ଛାତ୍ରମାନେ ଦିନ କାଟୁଥିବା ଜଣାପଡିଛି । ଏପଟେ ପରିବାର ଲୋକେ ନିଜ ପିଲାଙ୍କ ସୁରକ୍ଷା ନେଇ ଅତ୍ୟନ୍ତ ବ୍ୟସ୍ଥ ବିବ୍ରତ ହୋଇପଡିଛନ୍ତି । ଏମାନଙ୍କ ଭିତରେ ରହିଛନ୍ତି ଖଣି ଅଞ୍ଚଳର ଅନେକ ଛାତ୍ର । କେନ୍ଦୁଝର ଜିଲା ଯୋଡା ଅଞ୍ଚଳର ସତ୍ୟବ୍ରତ ସାହୁ, କୋରାପୁଟ ଜୟପୁରର ପ୍ରଜ୍ଞାଲିପ୍ସା ପାତ୍ର, ନତାସା ମହାକୁଡ, ବାଲେଶ୍ୱରର ଶ୍ରୀମାନ ଶ୍ରୀଚନ୍ଦନ ଅଗସ୍ତି ଖାକିବ ସହରରେ ଫସିରହିଥିବା ବେଳେ ଚମ୍ପୁଆର ଶିବମ କୁମାର ସାହୁ, କିରିବୁରୁ ଅଞ୍ଚଳର ଶିବପ୍ରତିକ ପଣ୍ଡା, ବାଲେଶ୍ୱରର ଅମନ କୁମାର, ମାଲକାନଗିରିର ସ୍ୱାଭିମାନ ସିଂ, କଟକର ଅଭିନାଶ ରାଉତ, ତାଳଚେର ଶ୍ରୀତାଂଶୁ ଦାସ, ଅନୁଗୁଳର ଅମୀୟ ସାହୁଙ୍କ ସହ ଝାରଖଣ୍ଡ ପୁରୁଲିଆ ଅଞ୍ଚଳର ମୟଙ୍କ ଚୌହାନ ଅନ୍ୟତମ । ଭିନିସିଆ ସହରରେ ସେମାନେ ସମସ୍ତେ ଫସିରହିଛନ୍ତି ବୋଲି ଜଣାପଡିଛି । ଏମାନେ ସମସ୍ତେ ୟୁକ୍ରେନରେ ରହି ଡାକ୍ତରି ପାଠ ପଡୁଥିଲେ । ତେବେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପ୍ରତି ମୂହୁର୍ତ୍ତରେ ସେମାନେ ଭୟ ଓ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି । ୟୁକ୍ରେନର ବିମାନ ବନ୍ଦରକୁ ରୁଷ ଉଡାଇଦେଇଥିବାରୁ ୟୁକ୍ରେନକୁ ବିମାନ ଚଳାଚଳ ବନ୍ଦ ରହିଛି । ସେମାନେ ନିଜ ଜନ୍ମ ମାଟିକୁ ଫେରିବାକୁ ଚାହିଁଥିଲେ ବି ଏବେ ସୁଦ୍ଧା ଫେରିବା ନିଶ୍ଚିତ ହୋଇପାରୁନାହିଁ । ଭାରତୀୟ ଦୁତାବାସ ସହ ଛାତ୍ରମାନେ କ୍ରମାଗତ ଯୋଗାଯୋଗରେ ରହିଥିବା ବେଳେ ବିମାନବନ୍ଦନ ଉପରେ ଆକ୍ରମଣରେ ପରେ ସେମାନଙ୍କୁ ସ୍ୱେଦେଶ ପ୍ରତ୍ୟାବର୍ତ୍ତନ କରାଯିବ ତାହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଫେରାଇନେବାକୁ ସେମାନେ ଭିଡିଓ ବାର୍ତ୍ତା ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଭାରତତ ପ୍ର୍‌ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିନମ୍ର ନିବେଦନ କରିଛନ୍ତି । ଏହି ଅନିଶ୍ଚିତତାକୁ ନେଇ ପରିବାର ମଧ୍ୟରେ ସମସ୍ତେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସେଠାରେ ଥିବା ଛାତ୍ରମାନେ କ୍ରମାଗତ ଭାବେ ଭିଡିଓ କଲ ମାଧ୍ୟମରେ ଯୋଗାଯୋଗରେ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ତେବେ ସହରରେ ବିସ୍ଫୋଟକର ଶବ୍ଦ ଶୁଣିଲେ ସେମାନଙ୍କୁ ତଳ ମହଲାକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଗୋଳାବର୍ଷଣ ସମୟରେ ଘରୁ ନାବାହାରି ବଙ୍କର ଭିତରେ ଲୁଚି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ୟୁକ୍ରେନରେ ଫସିଥିବା ଯୋଡା ଅଞ୍ଚଳର ଡାକ୍ତରୀ ଛାତ୍ର ସତ୍ୟବ୍ରତ ସାହୁଙ୍କ ମା କନକଲତା ସାହୁ ଏବଂ ଚମ୍ପୁଆର ଶିବମ କୁମାର ସାହୁଙ୍କ ବାପା ଦିଲ୍ଲୀପ ସାହୁଙ୍କୁ ଆମେ ଏ ସଂକ୍ରାନ୍ତରେ ପଚାରି ବୁଝିଥିଲୁ ଏବଂ ଭିଡିଓ ବାର୍ତ୍ତା ମାଧ୍ୟମରେ ସେଠାକାର ହୃଦୟ ବିଦାରକ ଦୃଶ୍ୟ ଏବଂ ସେମାନଙ୍କର କରୁଣ ନିବେଦନ ଦେଖିବାକୁ ପାଇଥିଲୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.