Home ଓଡ଼ିଶା ଯୋଡା – ସିଲ୍ ଭାଙ୍ଗି ମଦ ଦୋକାନରେ ନୂଆ ସିଲ୍‌; ସନ୍ଦେହ ଘେରରେ ଅବକାରୀ ବିଭାଗ

ଯୋଡା – ସିଲ୍ ଭାଙ୍ଗି ମଦ ଦୋକାନରେ ନୂଆ ସିଲ୍‌; ସନ୍ଦେହ ଘେରରେ ଅବକାରୀ ବିଭାଗ

220

ଯୋଡା, ୧୫ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସମଗ୍ର ରାଜ୍ୟରେ ଲକ୍ ଡାଉନ ପ୍ରକ୍ରିୟା ଚାଲି ରହିଥିବା ବେଳେ ବୁଧବାର ପୂର୍ବାହ୍ନରେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳ ବାଂଶପାଣି ରୋଡ ତଥା ଏଚ୍‌.ଡି.ଏଫ୍‌.ସି. ବ୍ୟାଙ୍କ ସମ୍ମୁଖରେ ଥିବା ସରକାରୀ ବିଦେଶୀ ମଦ ଦୋକାନରେ ପୁରୁଣା ସିଲ୍ ଭାଙ୍ଗି ସେଥିରୁ ମଦ କଢା ଯିବା ସହିତ ସେଥିରୁ ନୂଆ ସିଲ୍ କରାଯିବା ଘଟଣା ଅବକାରୀ ବିଭାଗର କାର୍ଯ୍ୟ କଳାପକୁ ସନ୍ଦେହ ଘେରରେ ପକାଇଛି । ଏହି ସରକାରୀ ମଦ ଦୋକାନଟିରେ ଅବକାରୀ ବିଭାଗ ପକ୍ଷରୁ ପୂର୍ବରୁ ସିଲ୍ କରାଯାଇଥିବା ବେଳେ ଏହାକୁ ଅବକାରୀ ବିଭାଗ ଅଧିକାରୀ ନିରାକାର ଦେହୁରୀ ଏକାଟିଆ ଆସି ମଦ ଦୋକାନରେ ପୂନର୍ବାର ସିଲ୍ କରୁଥିବା ଦେଖିବାକୁ ମିଳିଥିଲା । ଏ ସଂକ୍ରାନ୍ତରେ ତାଙ୍କୁ ପଚାରିବାରୁ ସେ, କେହି ବ୍ୟକ୍ତି ଏହି ଦୋକାନରେ ଲାଗିଥିବା ସିଲ୍‌କୁ ଭାଙ୍ଗି ଦେଇଥିବାରୁ ପୁନର୍ବାର ସିଲ୍ କରାଯାଉଥିବା କହିଥିଲେ । ହେଲେ ସିଲ୍ ଭାଙ୍ଗି ଦୋକାନ ଭିତରେ ସମ୍ପୃକ୍ତ ଦୋକାନୀ ଏବଂ ତାର କର୍ମଚାରୀମାନେ କଣ କରୁଥିଲେ ବୋଲି ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ । ତେବେ ଦୋକାନ ଆଖପାଖରେ ଥିବା ଲୋକମାନଙ୍କ କହିବା ମୁତାବକ ସେ ପୁରୁଣା ସିଲ୍ କୁ ଭାଙ୍ଗିବା ପରେ ଏକ କାର ଯୋଗେ ବିପୁଳ ପରିମାଣର ବିଦେଶି ମଦ ଏଠାରୁ କେଉଁଆଡେ ପଠାଯାଇଥିଲା । ଯାହା ଅଧିକାରୀଙ୍କୁ ଅଡୁଆରେ ପକାଇଦେଇଥିଲା । ସୁଚନା ଯୋଗ୍ୟ ଯେ, ଲକ୍ ଡାଉନ ସମୟରେ ପ୍ରାୟତଃ ସବୁ ମଦ ଦୋକାନ ସିଲ୍ ବନ୍ଦ ଥିବା ସମୟରେ ପ୍ରଚୁର ପରିମାଣରେ ମଦ ଯୋଡା ସହରରେ ଚଢା ଦରରେ ବିକ୍ରି ହେଉଥିବା ସୁଚନା ମିଳିଛି । ଏପରିକି ଧାର୍ଯ୍ୟ ମୂଲ୍ୟ ଠାରୁ ତିନି ଗୁଣ ଦରରେ ଏହି ସବୁ ମଦ ବିକ୍ରି ହେଉଥିବା ଜଣାପଡିଥିବା ବେଳେ ଫୋନ ମାଧ୍ୟମରେ ହୋମ ଡେଲିଭରି ମଧ୍ୟ କରାଯାଉଥିବା କୁହାଯାଉଛି । ତେଣୁ ଏହି ମଦ ଦୋକାନ ସିଲ୍ କେବଳ ଧର୍ମକୁ ଆଖିଠାର ବୋଲି ସାଧାରଣରେ ବିବେଚନା କରାଯାଉଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟ କଳାପ ତଦନ୍ତ ସାପେକ୍ଷ । ଏ ସଂକ୍ରାନ୍ତରେ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.