Home ଓଡ଼ିଶା ଯୋଡା – ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ରରୁ, ‘ମୋ ଖତ’ ବିକ୍ରିର...

ଯୋଡା – ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ରରୁ, ‘ମୋ ଖତ’ ବିକ୍ରିର ଶୁଭାରମ୍ଭ

90

ଯୋଡା, ୦୧ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ବାଚ୍ୟୁହାଟିଂ ଠାରେ ଅବସ୍ଥିତ ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ରରୁ ଗୁରୁବାର ‘ମୋ ଖତ’ ବିକ୍ରିର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବନ ବିଭାଗ ପକ୍ଷରୁ ୧୦୩ ଟନ୍ ପରିମାଣର ଖତ କ୍ରୟ କରିବା ନିମନ୍ତେ ଯୋଡା ପୌରପାଳିକାକୁ ବରାଦ ଦିଆଯାଇଥିବା ବେଳେ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୪୦ ଟନ୍ ପରିମାଣର ଖତ ବନ ବିଭାଗକୁ ପୌରପାଳିକା ବିକ୍ରି କରିଛି । ଏ ବାବଦକୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ୨୦ ଟଙ୍କା କିଲୋ ପ୍ରତି ଦରରେ ପୌରପାଳିକା ୮ ଲକ୍ଷ ଟଙ୍କା ପାଇଥିବା ଜଣାପଡିଛି । ଏହି ଖତ କୃଷି, ଉଦ୍ୟାନ କୃଷି ଏବଂ ସାମାଜିକ ବନିକରଣ ନିମନ୍ତେ ଆବଶ୍ୟକତା ରହିଥିବା ବେଳେ ପୌରପାଳିକା ଜିଲ୍ଲାର ଏହି ଚାହିଦାକୁ କିଛି ମାତ୍ରାରେ ପୂରଣ କରିବ ବୋଲି ଆଶା ପ୍ରକଟ କରିଛି । ବଳକା ୬୩ ଟନ୍‌ର ଚାହିଦାକୁ ପୌରପାଳିକା ଖୁବ୍ ଶୀଘ୍ର ପୂରଣ କରିବା ବୋଲି ପ୍ରତିଶ୍ରୁତି ଦେଇଛି । ସୂଚନା ଯୋଗ୍ୟ, ଏହି ସାର ପ୍ରକ୍ରିୟାକରଣ ପ୍ରକଳ୍ପଟି ରାଜ୍ୟରେ ପ୍ରଥମ କରି ଯୋଡା ପୌରପାଳିକା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ୬ ମାସ ପୂର୍ବେ ତାର ଉତ୍ପାଦନ ଆରମ୍ଭ କରିଥିଲା । ପ୍ରକଳ୍ପଟିରେ ଯୋଡା ସହର ଘର ଘର ବୁଲି ଓଦା ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ପ୍ରକ୍ରିୟାକରଣ ଦ୍ୱାରା ସେଥିରୁ ଜୈବିକ ସାର ଉତ୍ପାଦନ କରାଯାଉଛି ଏବଂ କଠିନ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ସିମେଣ୍ଟ କାରଖାନାକୁ ଜାଳେଣୀ ଭାବେ ବ୍ୟବହାର କରିବାକୁ ପଠାଇ ଦିଆଯାଉଛି । ଏହି ପ୍ରକ୍ରିୟାକରଣ କେନ୍ଦ୍ରରେ ୫୦ରୁ ଅଧିକ କର୍ମଚାରୀ ନିୟୋଜିତ ରହି ସେମାନଙ୍କ ଜୀବିକା ନିର୍ବାହ କରିବାକୁ ସକ୍ଷମ ହେବା ସହ ଯୋଡା ସହରକୁ ସ୍ୱଚ୍ଛ, ବର୍ଜ୍ୟବସ୍ତୁ ମୁକ୍ତ ରଖାଯାଇପାରିଛି । ରାଜ୍ୟ ସରକାର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ମାଧ୍ୟମରେ ସହରକୁ ସ୍ୱଚ୍ଛ, ନିର୍ମଳ ରଖିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଥିବା ବେଳେ ଏହା ତାହାର ଅନ୍ତର୍ଭୁକ୍ତ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଗୁରୁବାର ଦିନ ମୋ ଖତ ବିକ୍ରିର ଶୁଭାରମ୍ଭରେ ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ସମେତ ପୌରପାଳିକାର ସମସ୍ତ ସ୍ୱଚ୍ଛ ସାଥି, ପରିମଳ ନିରୀକ୍ଷକ, ସ୍ୱାସ୍ଥ୍ୟ ଅଧିକାରୀ, ସଫେଇ ଠିକାଦାର ଏବଂ ଚମ୍ପୁଆ ବନାଞ୍ଚଳ ଅଧିକାରୀ ସଞ୍ଜିବ କୁମାର ରାଉତ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.