Home ଓଡ଼ିଶା ଯୋଡା : ନିଶ୍ଚିତ ନିଯୁକ୍ତି ଦାବିରେ ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

ଯୋଡା : ନିଶ୍ଚିତ ନିଯୁକ୍ତି ଦାବିରେ ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରିଲେ ଶ୍ରମିକ

157

ଯୋଡା – ୨୪/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେତେ ଗୁଡିଏ ଖଣିର ଲିଜ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ ସରକାରଙ୍କ ଦ୍ୱାରା ଏହି ଖଣି ଗୁଡିକ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂତନ ଖଣି ଲିଜ୍‌୍‌ଧାରି ଖଣି ଗୁଡିକୁ ଅଧିକ ମୂଲ୍ୟ ଦେଇ ନେଉଥିବା ବେଳେ ଖଣିରେ କାର୍ଯ୍ୟରତ ଶ୍ରମିକମାନଙ୍କ ନିଯୁକ୍ତିକୁ ନୂତନ ଖଣି ଲିଜ୍ ଧାରି ନିଶ୍ଚିତ କରିବେ କି ନାଁ ଏ ନେଇ ଶ୍ରମିକମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ନୂତନ ଖଣି ଲିଜ୍ ଧାରି କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ନିଯୁକ୍ତି ବାଧ୍ୟତା ମୂଳକ କରିବା ଦାବିରେ ସୋମବାର ଦିନ ଏଆଇଟିୟୁସି (ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ) ପକ୍ଷରୁ ହଜାର ହଜାର ସଂଖ୍ୟାରେ ଖଣି ଶ୍ରମିକ ଯୋଡାସ୍ଥିତ ଯୁଗ୍ମ ଖଣି ନିର୍ଦ୍ଦେଶକ କାର୍ଯ୍ୟାଳୟ ଘେରାଉ କରିଥିଲେ । ସକାଳ ପ୍ରାୟ ୧୧ ଘଟିକା ସମୟରେ ଏହି ଶ୍ରମିକମାନେ ଯୋଡାସ୍ଥିତ କମାରଯୋଡା ଡାକ୍ତରଖାନା ସନ୍ନିକଟରୁ ବାହାରି ଏକ ବିରାଟ ପଟୁଆରରେ ଯୋଡା ସହର ପରିକ୍ରମା କରିବା ପରେ ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ରାଜ୍ୟ ଉପ ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା ଯୋଗଦେଇ ସମବେତ ଶ୍ରମିକମାନଙ୍କୁ କହିଥିଲେ ଯେ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ସମସ୍ତ ଆଦିବାସୀ ଓ ଗରିବ ଗ୍ରାମବାସୀମାନଙ୍କ ନିକଟରେ ଖଣି କାର୍ଯ୍ୟ ବ୍ୟତିତ ଜୀବିକା ନିର୍ବାହର କୌଣସି ବିକଳ୍ପ ପନ୍ଥା ନଥିବା ବେଳେ ନୂତନ ଖଣି କମ୍ପାନୀ କାର୍ଯ୍ୟରତ ଶ୍ରମିକମାନଙ୍କୁ ନିଯୁକ୍ତି ନିଶ୍ଚିନ୍ତ କରନ୍ତୁ । ସେହିପରି ସଂଘର ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ ନିଯୁକ୍ତି ବାଧ୍ୟତା ମୂଳକ କରିବା ପାଇଁ ଜୋରଦେଇଥିଲେ । ସରକାର ଏ ନିମନ୍ତେ ଏକ ବିଞ୍ଜପ୍ତି ଜାରି କରନ୍ତୁ ବୋଲି ସେ ଦୃଢୋକ୍ତି ପ୍ରଦାନ କରିବା ସହିତ ଏହା କରାନଗଲେ ଏହି ଆନ୍ଦୋଳନକୁ ଜୋରଦାର କରାଯିବା ସହିତ ଆଗାମୀ ଦିନରେ ଏହି ଜିଲ୍ଲା ଦ୍ୱୟରୁ ସମସ୍ତ ଖଣିଜ ପରିବହନକୁ ବନ୍ଦ କରାଯିବ ବୋଲି ଚେତାବନି ଦେଇଥିଲେ । ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିଜସ୍ୱ କମ୍ପାନୀ ଓଏମସି ଓ ଓଏମ୍‌ଡିସି ଅଧିନରେ ଥିବା ୧୩ଟି ଉର୍ଦ୍ଧ ଖଣିର ପରିବେଶ ମଞ୍ଜୁରି ନଥିବାରୁ ଦୀର୍ଘ ଦିନହେବା ଖଣି ଗୁଡିକ ବନ୍ଦ ପଡିଛି । ଖୋଦ୍ ସରକାରଙ୍କ ଖଣି କମ୍ପାନୀକୁ ସରକାର ଖୋଲିପାରୁନଥିବା ଦୁର୍ଭାଗ୍ୟ ଜନକ ବୋଲି ସେ ଉଦ୍‌ବେଗ ପ୍ରକାଶ କରିଥିଲେ । ବନ୍ଦ ଖଣି ଗୁଡିକୁ ସରକାର ତୁରନ୍ତ ଖୋଲି ଛଟେଇ ହୋଇଥିବା ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ବିଭିନ୍ନ ବକ୍ତାମାନେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସିର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ସହସମ୍ପାଦକ କପିଳ ମହାନ୍ତି, ଶ୍ରୀହରୀ ଘଣା, ରାଜାରାମ ମୁଣ୍ଡା, ବାଗରା ଚାତାର, କାହ୍ନୁଚରଣ ସାମଲ, ଅର୍ଜୁନ ମହାନ୍ତ, ଦଶମା ମୁଣ୍ଡା, ଗୋପିନ୍ଦ ଶାଶମଲ, ବୈଦନାଥ ମହାନ୍ତ, ହୃଦାନନ୍ଦ ପାତ୍ର, ବିିରଞ୍ଚି ଦେହୁରୀ, ମହମ୍ମଦ ବଦୃଜାମା, ବିଜିତ୍ ମହାନ୍ତି, କ୍ଷୀରୋଦ ମହାନ୍ତ, ହୃଦାନନ୍ଦ ପ୍ରଧାନ, ଦିପୁ ପାତ୍ର, ରେଘା ମାଝି, ଅନିତ ଚାତମ୍ବା, କୁନା ବେହେରା, ପ୍ରଫୁଲ୍ଲ ମହାନ୍ତ ଆଦି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ମାନ୍ୟବର ମୁଖ୍ୟମନ୍ତୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଯୁଗ୍ମ ଖଣି ନିର୍ଦ୍ଦେଶକ ସଲିଲ ବେହେରାଙ୍କୁ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.