Home ଓଡ଼ିଶା ଯୋଡା : ଦନ୍ତା ଆକ୍ରମଣରେ ଜଣେ ମୃତ

ଯୋଡା : ଦନ୍ତା ଆକ୍ରମଣରେ ଜଣେ ମୃତ

115

ଯୋଡା, ୨୮ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଚମ୍ପୁଆରେଞ୍ଜ ତଥା ବାମେବାରୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପିଢପୋଖରୀ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଦିନ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ନିକଟସ୍ଥ ବସନ୍ତପୁର ଗ୍ରାମର ଗୁରା ମୁଣ୍ଡା(୫୫) ବୋଲି ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ, ପିଢପୋଖରୀ ଜଙ୍ଗଲରେ ଏକ ୪ଜଣିଆଁ ହାତୀ ଗୋଠ କିଛିମାସ ହେବ ଆତଙ୍କ ସୃଷ୍ଟି କରିଆସୁଛନ୍ତି । ଏହି ଗୋଠରେ ୩ଟି ମାଈ ହାତୀ ଥିବାବେଳେ ଗୋଟିଏ ଦନ୍ତାହାତୀ ରହିଛି । ଶୁକ୍ରବାର ଅପରାହ୍ନରେ ଗୁରା ଓ ତାଙ୍କର ଅନ୍ୟ କେତେ ଜଣେ ସାଥି ଛେଳି ଚରାଇବାକୁ ପିଢପୋଖରୀ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାବୁଡରେ ପଡିଥିଲେ । ଅନ୍ୟ ସାଥି ମାନେ ଦୌଡି ପଳାଇଥିବାବେଳେ ଗୁରା ଦୌଡୁଥିବା ବେଳେ ତଳେ ପଡିଯାଇଥିଲେ । ଫଳରେ ଦନ୍ତା ତାଙ୍କ ଉପରେ ଚଢିଯାଇଥିଲା ଓ ଘଟଣା ସ୍ଥଳରେ ହିଁ ତାଙ୍କରେ ମୃତୁ୍ୟ ଘଟିଥିଲା । ଦନ୍ତା ପଳାଇବା ପରେ ଅନ୍ୟ ସାଥିମାନେ ତାଙ୍କୁ ଘରକୁ ନେଇଆସିଥିଲେ । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଚମ୍ପୁଆ ରେଞ୍ଜର ବିଭିନ୍ନ ସ୍ଥାନରେ କେତେ ଗୁଡିଏ ଗୋଠ ହୋଇ ହାତୀ ପଲ ଆତଙ୍କ ସୃଷ୍ଟି କରୁଥିବା ଘଟଣା ବାରମ୍ବାର ନଜରକୁ ଆସୁଛି । ସେମାନେ ଘର ଦ୍ୱାର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରୁଥିବା ଜଣାପଡିଛି । ଖଣି ଅଞ୍ଚଳରେ ବ୍ୟାପକ ଜଙ୍ଗଲ ଅବକ୍ଷୟ ଯୋଗୁଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ନପାଇ ସେମାନେ ଜନବସତି ମୁହାଁ ହେଉଥିବା ନେଇ ପରିବେଷବିତ୍ ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । କିଛି ଦିନ ହେବ ଚମ୍ପୁଆ ରେଞ୍ଜର ପିଢପୋଖରୀ ସାଗୁଆନ ଜଙ୍ଗଲରେ ଏହି ହାତୀ ଗୋଠ ଲୁଚି ରହିଥିବା ବେଳେ ଦୁବୁନା ଠାରୁ ପିଢପୋଖରି ଯିବାକୁ ଥିବା ଏକମାତ୍ର ରାସ୍ତାରେ ଦିନବେଳା ମଧ୍ୟ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନଙ୍କୁ ଆକ୍ରମଣ କରିବାକୁ ଗୋଢାଉଥିବା ଅଭିଯୋଗ ହୋଇଆସୁଛି । ଫଳରେ ଉକ୍ତ ରାସ୍ତାରେ ଯାତାୟତ କରିବା ପାଇଁ ଲୋକେ ଭୟଭିତ ହୋଇପଡିଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ ଏହି ହାତୀ ଗୋଠକୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସେହିପରି ବାମେବାରୀ ବନପାଳ ଅଧିନରେ ଥିବା ନୟାଗଡ କୋଇରମ ସାହିରେ ଗୋଟିଏ ଦନ୍ତା ସହ ୩ ଜଣିଆ ହାତୀ ଗୋଠ କିଛି ଦିନ ତଳେ ଆତଙ୍କ ଖେଳାଇଥିବା ବେଳେ କାଳିଆପାଣି ଅଞ୍ଚଳରେ ଗୋଟିଏ ଦନ୍ତା ଗ୍ରାମ ଭିତରେ ପଶି ଘର ଦ୍ୱାର ଭାଙ୍ଗୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଥିଲେ । ବାମେବାରୀ ଅଞ୍ଚଳରେ ୯ଟିକିଆ ହାତୀ ଗୋଠ ଆତଙ୍କ ଖେଳାଇଥିବା ବେଳେ ଏଠାରୁ କିଛି ଦୂରରେ ଅବସ୍ଥିତ ଜାମୁପାଣି ଗ୍ରାମର ଡବ ଚାମ୍ପିଆଙ୍କ ହାତୀ ଆକ୍ରମଣରେ ନିକଟରେ ଶୋଚନୀୟ ମୃତୁ୍ୟ ଘଟିଥିଲା । ବନବିଭାଗ ଏହି ହାତୀ ଗୋଠକୁ ତୁରନ୍ତ ତଡିବା ସହ ହାତୀ ଆକ୍ରମଣରେ ଘଟୁଥିବା ମୃତକଙ୍କୁ କ୍ଷତି ପୂରଣ ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.