Home ଓଡ଼ିଶା ଯୋଡା : ଡାକ୍ତରାଣୀଙ୍କ ମୃତ୍ୟୁ ଘଟଣାର ରହସ୍ୟ ଖୋଲୁଛି, ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲା...

ଯୋଡା : ଡାକ୍ତରାଣୀଙ୍କ ମୃତ୍ୟୁ ଘଟଣାର ରହସ୍ୟ ଖୋଲୁଛି, ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲା ପ୍ରତାରକ ପ୍ରେମିକ

101

– ଜିରୋ ନାଇଟ ସେଲିବ୍ରେସନ ଚାଲିଥିଲା ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ
– ଭଡା ଘର କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କଲା ପୁଲିସ
ଯୋଡା, ୨ା୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର(୨୫)ଙ୍କ ମୃତ୍ୟୁ ଘଟଣା ଉପରୁ ଧିରେ ଧିରେ ରହସ୍ୟ ଖୋଲିବାରେ ଲାଗିଛି। ମୃତକ ଶୁଭଶ୍ରୀଙ୍କ ସହିତ ଦୀର୍ଘ ୬ ବର୍ଷ ଧରି ରୁଗୁଡି ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଡାକ୍ତର ଦିବ୍ୟ ରଞ୍ଜନ ମାଝିଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଉଭୟ ଗୋଟିଏ ସ୍ଥାନରେ ଡାକ୍ତରୀପାଠ ପଢୁଥିଲେ। ସେମାନେ ନିୟମିତ ଭାବେ ଫୋନ ମାଧ୍ୟମରେ ଯୋଗାଯୋଗରେ ଥିବା ବେଳେ ଡାକ୍ତର ଶୁଭଶ୍ରୀ କର ବନେଇକଳା ବସ୍ତିରେ ଯୋଡା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକଙ୍କ ଭଡା ଘରେ ଅବସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉପରମହଲାରେ ଭଡା ସୂତ୍ରରେ ରହି କାର୍ଯ୍ୟ କରିଆସୁଥିଲେ। ସେ ମାତ୍ର ୭ ମାସ ହେଲା କାର୍ଯ୍ୟରେ ଯୋଗଦେଇଥିବା ବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଗୁରୁ ଦାୟିତ୍ୱ ନିର୍ବାହ କରିଆସୁଥିଲେ। ତେବେ ଗତ ୨୦ ତାରିଖରେ ମୃତକ ଶୁଭଶ୍ରୀ ଯୋଡା ଥାନାରେ ଡାକ୍ତର ଦିବ୍ୟ ରଞ୍ଜନ ମାଝିଙ୍କ ନାମରେ ଏକ ଏତଲା ଦାୟର କରିଥିଲେ। ଏତଲାରେ ସେ ଦର୍ଶାଇଥିଲେ ଯେ, ଦିବ୍ୟ ତାଙ୍କୁ ବିବାହର ପ୍ରଲୋଭନ ଦେଇ ୨ ଥର ଶୁଭଶ୍ରୀଙ୍କ ଭଡା ଘରେ ଶାରିରୀକ ସମ୍ପର୍କ ରଖିଥିଲେ ଏବଂ ପରେ ଏବେ ତାଙ୍କୁ ବିବାହ କରିବାକୁ ମନା କରୁଥିବାରୁ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଅନୁରୋଧ କରିଥିଲେ। ଏହାକୁ ବିଚାରକୁ ନେଇ ଯୋଡା ଥାନା କେଶ ନଂ. ୩୬୩/୨୨ରେ ଏକ ଦୁଷ୍କର୍ମ ମାମଲା ଦାୟର କରି ଦଫା ୪୧୭ ଏବଂ ୩୭୬ରେ ବଡବିଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ଏହା ପଠାଇଦିଆଯାଇଥିଲା ଏବଂ ୨୩ ତାରିଖରେ ବିଚାରପତି ଶୁଭଶ୍ରୀଙ୍କ ୧୬୪ ଧାରା ଅନୁଯାୟୀ ବୟାନ ରେକର୍ଡ କରିଥିବା ଜଣାପଡିଛି। ତେବେ ପରବର୍ତ୍ତି ସମୟରେ ମୃତକ ଶୁଭଶ୍ରୀ ଅନ୍ୟ ଏକ ଚୁକ୍ତି ମାଧ୍ୟମରେ ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି। ତେବେ ଏହି ମୃତ୍ୟୁ ଘଟଣାରେ ମାଝିଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଶୁଭଶ୍ରୀ ମାନଶୀକ ଚାପରେ ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ପୁଲିସ କହିଛି। ସୋମବାର ଶୁଭଶ୍ରୀଙ୍କ ପରିବାର ଲୋକେ ଯୋଡାରେ ପହଞ୍ଚି ମୃତ ଦେହକୁ କେନ୍ଦୁଝର ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଛି। ଏହା ସହିତ ଯୋଡା ପୁଲିସ ଶୁଭଶ୍ରୀ ରହୁଥିବା ଘର ଭିତରୁ ତାଙ୍କ ମୋବାଇଲ, କିଛି ଔଷଧ ଏବଂ କାଗଜପତ୍ର ଜବତ କରିଛି। ଏଠାରେ ସୂଚନା ଯୋଗ୍ୟ, ୩୧ ଡିସେମ୍ବର ରାତିରେ ଶୁଭଶ୍ରୀ ଏବଂ ତାଙ୍କର ୭ ଜଣ ସହକର୍ମିମାନେ ଜିରୋ ନାଇଟ ସେଲିବ୍ରେସନ ମହା ଧୁମ ଧାମରେ ଡାକ୍ତରଖାନା ଭିତରେ ପାଳନ କରିଥିଲେ। ଏଥିରେ ନାଚଗୀତର ଆୟୋଜନ ସହ ଖାଦ୍ୟ ପେୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହାର ସମସ୍ତ ଆୟୋଜନ ଶୁଭଶ୍ରୀ କରିଥିବା ଜଣାପଡିଛି। ତେବେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ସେଲିବ୍ରେସନ ଚାଲିଥିବା ବେଳେ ରାତି ଦୁଇଟାରେ ସମସ୍ତେ ଘରକୁ ଫେରିଥିଲେ। ପରଦିନ ରବିବାର ଯୋଗୁଁ ଚିକିତ୍ସାଳୟ ଛୁଟିଥିବା ବେଳେ ଶୁଭଶ୍ରୀ ଡାକ୍ତରଖାନା ଆସିନଥିଲେ। ଦିନ ତମାମ ତଳକୁ ନ ଓହ୍ଲାଇବାରୁ ସନ୍ଧ୍ୟାରେ ଜଣେ କର୍ମଚାରୀ ତାଙ୍କ ଘରକୁ ଯାଇଥିବା ବେଳେ ଭିତର ପଟୁ କବାଟ ବନ୍ଦ ଥିବା ଜାଣି ପୁଲିସକୁ ଖବର ଦେଇଥିଲେ। ଯୋଡା ପୁଲିସ ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ଘଟଣା ସ୍ଥଳରେ ପହଞ୍ଚି ଶୁଭଶ୍ରୀଙ୍କ ଭଡା ଘରର କବାଟ ତାଡି ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ତାଙ୍କୁ ତୁରନ୍ତ ଯୋଡାସ୍ଥିତ ଟାଟା ଡାକ୍ତରଖାନାକୁ ଅଣାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁଭଶ୍ରୀଙ୍କ ଘର କଟକ ଜିଲା ୪୨ ମୌଜା ବେଣ୍ଟକାରରେ ବୋଲି ଜଣାପଡିଛି। ତାଙ୍କର ବାପା ଜଣେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ। ସେ ଏବେ ରାଉରକେଲାରେ ଅବସ୍ଥାପିତ। ବ୍ୟବଚ୍ଛେଦ ପରେ ମୃତ ଦେହକୁ ରାଉକେଲାକୁ ନିଆଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଶୁଭଶ୍ରୀ ଜଣେ ମିଷ୍ଟଭାଷି ଏବଂ ମେଳାପି ଯୁବତୀ ହୋଇଥିବାରୁ ଖୁବ କମ ଦିନ ମଧ୍ୟରେ ସେ ଯୋଡା ଜନସାଧାରଣଙ୍କ ପାଖରେ ଆଦୃତ ହୋଇପାରିଥିଲେ। ତାଙ୍କର ମୃତ୍ୟୁ ଘଟଣା ସମଗ୍ର ଯୋଡା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.