Home କେନ୍ଦୁଝର ଯୋଡା : ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

ଯୋଡା : ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

31

ଯୋଡା, ୨୮/୧୧(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଜେଏସ୍‌ଡବ୍ଲ୍ୟୁ ଏବଂ ମୁମ୍ବାଇ ସ୍ଥିତ ଜଗନ୍ନାଥ କ୍ୟାନ୍‌ସର ଏଡ୍ ଫାଉଣ୍ଡେଶନ (ଜେସିଏଏଫ୍‌) ପକ୍ଷରୁ କେନ୍ଦୁଝର ଜିଲା ଖଣି ଅଞ୍ଚଳରେ ୨ ଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିିତ କରାଯାଇଥିବା ଜଣାପଡିଛି। ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଶନିବାର ନୂଆଗାଁ ଏବଂ ରବିବାର ଜଜାଙ୍ଗରେ ଦୁଇଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଇଛି। ଏଥିରେ ୨୭ରୁ ଅଧିକ ଗ୍ରାମର ୫୫୦ରୁ ଉର୍ଦ୍ଧ୍ୱ ରୋଗୀ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇଥିଲେ। ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବାଣ୍ଟିବା ସହ କୌଣସି ରୋଗର ଶୀଘ୍ର ନିଦାନ ଏବଂ ନିରାକରଣ କରାଯିବା ଉଦ୍ଦେଶ୍ୟରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର ବିଶେଷଜ୍ଞମାନେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚସହ ମାଗଣା ପରାମର୍ଶ, ନମୁନା ପରୀକ୍ଷଣ, ଡାଇବେଟିସ୍ ଟେଷ୍ଟ ଆଦି କରାଇଥିଲେ। ଏଥିସହ ସୁସ୍ଥ ରହିବା ନିମନ୍ତେ ଆବଶ୍ୟକ ଜୀବନଶୈଳୀ ଆପଣାଇବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, ଜଗନ୍ନାଥ କ୍ୟାନ୍‌ସର ସହାୟତା ଫାଉଣ୍ଡେଶନ ସହଯୋଗରେ ଜେଏସ୍‌ଡବ୍ଲ୍ୟୁ ଏହି ଶିବିରରେ କ୍ୟାନ୍‌ସର ପରୀକ୍ଷଣ ସେବା ମଧ୍ୟ ଯୋଗାଇଛି। କ୍ୟାନ୍‌ସର ସ୍ପେଶାଲିଷ୍ଟ ଡା. ଦିଲୀପ କୁମାର କର ରୋଗୀଙ୍କ ଏହି ପରୀକ୍ଷା କରାଇଥିଲେ। ଡା. କର ଏବେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲରେ କାର୍ଯ୍ୟରତ। ଏହା ସହ ୩ ଜେନେରାଲ ଫିଜିସିଆନ୍‌, ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଜଣେ ଅସ୍ଥିଶଲ୍ୟ ଡାକ୍ତରଙ୍କ ଏକ ଟିମ୍‌ରେ କ୍ୟାମ୍ପ୍‌ର ଲୋକଙ୍କ ସ୍ୱାସ୍ଥ୍ୟ ତଥା ରୋଗର ନିରୀକ୍ଷଣ କରିଥିଲେ। ସ୍ୱାସ୍ଥ୍ୟ ସେବା ପାଇଁ ବାହାରକୁ ଯାଇପାରୁ ନଥିବା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଲାଗି ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ବେଶ୍ ଉପଯୋଗୀ ହେବ ବୋଲି ଡା. କର କହିଥିଲେ। ଏହି କ୍ୟାମ୍ପ୍ ଉଚିତ୍ ଜୀବନଶୈଳୀ, ରୋଗରୁ ଦୂରେଇ ରହିବା ସହ ସ୍ୱାସ୍ଥ୍ୟ ସଚେତନତା ବାଣ୍ଟିବାରେ ବେଶ୍ ସହାୟକ ହୋଇଥିବା ସେ ପ୍ରକାଶ କରିଥିଲେ। ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଏହାର ବ୍ୟବସାୟିକ ଅଞ୍ଚଳରେ ଚଳିତ ବର୍ଷ ଆରମ୍ଭରୁ ଜେସିଏଏଫ୍ ସହଯୋଗରେ ଏପରି ମେଗା ସ୍ୱାସ୍ଥ୍ୟ ଶିବିର ଏବଂ କ୍ୟାନ୍‌ସର ନିରାକରଣ କ୍ୟାମ୍ପ୍ ଆୟୋଜନ କରୁଛି। ଏହି ହେଲ୍‌ଥ କ୍ୟାମ୍ପ୍‌ରେ ଜେଏସ୍‌ଡବ୍ଲ୍ୟୁ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଗକୁ ମଧ୍ୟ ଜେଏସ୍‌ଡବ୍ଲ୍ୟୁ ଏପରି ଶିବିର ଆୟୋଜନ କରିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.